ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଲା ‘ଓଖି’

-କେରଳରେ ବର୍ଷା ବିତ୍ପାତ, ୧୫୦ ମତ୍ସ୍ୟଜୀବୀ ଉଦ୍ଧାର

ଥିରୁବନନ୍ତପୁରମ: କେରଳ ଏବଂ ତାମିଲନାଡ଼ୁରେ ବାତ୍ୟା ‘ଓଖି’ ଆତଙ୍କ ଖେଳାଇ ଦେଇଛି। ଏହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରଚଣ୍ଡ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲାକ୍ଷାଦ୍ୱୀପର ଉତ୍ତର- ଉତ୍ତରପୂର୍ବ ମିନିକୟର ୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ‘ଓଖି’ ହେତୁ କେରଳର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳମଗ୍ନ ରହିଛି। ବିଭିନ୍ନ ଜିଲ୍ଲାର ପାଖାପାଖି ୨୦୦ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ଜଳରେ ନିଖୋଜ ହୋଇଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନେକ ଉଦ୍ଧାର ହୋଇଥିବା ମତ୍ସ୍ୟଜୀବୀ ଏବେ ଚିକତ୍ସାଧୀନ ଅଛନ୍ତି।

ଓଖି ହେତୁ ଉଭୟ କେରଳ ଏବଂ ତାମିଲନାଡ଼ୁରେ ସମୁଦାୟ ୯ ଜଣଙ୍କ ମୃତ୍ୟୁ ହୋଇଛି। ନୌସେନା, ତଟରକ୍ଷୀ ବାହିନୀ ଏବଂ ଭାରତୀୟ ବାୟୁ ସେନାବାହିନୀ ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ରହିଛନ୍ତି। ଲାକ୍ଷାଦ୍ୱୀପରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଲାଗି ବରିଷ୍ଠ ନୌସେନା ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଲାକ୍ଷାଦ୍ୱୀପର ତଳିଆ ଅଞ୍ଚଳ ଗୁଡ଼ିକରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ଭିତରେ ଏହି ଝଡ଼ ଅତି ପ୍ରଚଣ୍ଡ ରୂପ ନେବ।

ସମ୍ବନ୍ଧିତ ଖବର