ଯେତେବେଳେ ଦ୍ରୌପଦୀ ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ; ମୁଁ ରାଷ୍ଟ୍ରପତି ହେବାକୁ ଯୋଗ୍ୟ କି? ଜାଣନ୍ତୁ କ’ଣ ଥିଲା ତାଙ୍କ ଉତ୍ତର

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଶିକ୍ଷକତାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ଆଜି ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏବେ ଅନେକ ବିରୋଧୀ ଦଳଙ୍କ ସମର୍ଥନ ମିଳୁଥିଲେ ବି ପ୍ରଥମେ ସେ ରାଷ୍ଟ୍ରପତି ହେବାକୁ ଯୋଗ୍ୟ କି ନାହିଁ ବୋଲି ଭାବି ଚିନ୍ତାରେ ପଡ଼ିଯାଇଥିଲେ ବୋଲି ଜଣାପଡ଼ିଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନୋବଳ ବଢ଼ାଇଥିଲେ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ।

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଞ୍ଚି ଯାଇଥିବା ବେଳେ ସେଠାରେ ବିଜେପି ନେତାମାନଙ୍କୁ ଭେଟି ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ବିଜେପି ନେତାମାନଙ୍କ ସହ ବାର୍ତ୍ତାଳାପ ସମୟରେ ସେ ଅନେକ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ସେ ମଧ୍ୟରେ ଗୋଟିଏ ଥିଲା ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ବାର୍ତ୍ତାଳପ।

ମୁର୍ମୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତେ କହିଥିଲେ ଯେ ଏନଡିଏ ରାଷ୍ଟ୍ରପତି ପଦ ପାଇଁ ମୋତେ ପ୍ରାର୍ଥୀ କରିବାକୁ ସ୍ଥିର କରିଛି। ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପଚାରିଥିଲି ‌ଯେ, ମୁଁ ଏକ ଛୋଟ ଗାଁରୁ ଆସିଛି। ପ୍ରଥମେ ଶିକ୍ଷୟତ୍ରୀ ଏବଂ ପରେ ମନ୍ତ୍ରୀ ହେଲି, କିନ୍ତୁ ମୁଁ ଏବେ ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ କି? ମୋର ଏଭଳି ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀଜୀ ମୋର ମନୋବଳ ବଢ଼ାଇବା ସହ କହିଥି‌ଲେ ଯେ, ସମଗ୍ର ଦେଶ ଆପଣଙ୍କ ସହିତ ଅଛନ୍ତି। ଏହା ଦେଶର ଲୋକଙ୍କ ଶକ୍ତି ଏବଂ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଶକ୍ତି। ସମ୍ବିଧାନ ଆପଣଙ୍କ ମାର୍ଗଦର୍ଶନ କରିବ। ଆପଣ ଝାଡଖଣ୍ଡର ରାଜ୍ୟପାଳ ହୋଇ ଯେଉଁ ସବୁ କାମ କରିଛନ୍ତି, ତାହା ପ୍ରଶଂସନୀୟ। ଏହାକୁ ନଜରରେ ରଖି ପ୍ରଥମ ଥର ପାଇଁ ଆଦିବାସୀ ସମାଜର ଜଣେ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି।

ସମ୍ବନ୍ଧିତ ଖବର