ଆମେରିକା ଅଶାନ୍ତ, ସବୁ ସହରରେ ଘୂରୁଛି ଯୁଦ୍ଧଯାନ ‘ହମ୍ବୀ’

ୱାସିଂଟନ୍ : ମେ ୨୫ରେ ଜର୍ଜ ଫ୍ଲଏଡ୍‌ ନାମ ଜଣେ ଆଫ୍ରିକୀୟ ବଂଶୋଦ୍ଭବ ଆମେରିକୀୟଙ୍କୁ ମିନେସୋଟାରେ ଜଣେ ଗୋରା ପୁଲିସ୍‌ ଅଧିକାରୀ ତଣ୍ଟି ଚିପି ମାରିଦେବା ପରେ କଳା ଲୋକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଅଧିକରୁ ଅଧିକ ଭୟାନକ ହେବାରେ ଲାଗିଛି। ତେଣୁ ଲୋକଙ୍କୁ ଜବତ କରିବା ପାଇଁ ସବୁ ସହରରେ ବହୁ ସଂଖ୍ୟାରେ ଯୁଦ୍ଧଯାନ ‘ହମ୍ବୀ’ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ‘ହମ୍ବୀ’ ପୂରା ନାମ ହେଉଛି ହାଇ ମୋବିଲିଟି ମଲ୍‌ଟିପର୍ପସ ହ୍ବିଲ୍‌ଡ୍‌ ଭେହିକିଲ୍‌, ଯାହା ସାଧାରଣତଃ ଆମେରିକା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ ଏବଂ ପ୍ରତି ଗାଡ଼ିର ଦାମ୍‌ ପ୍ରାୟ ଅଢେଇ ଲକ୍ଷ ଡଲାର। ସେହି ଯାନ ସବୁ ପ୍ରକାର ଘାଟିମାଟି ପଥରକଙ୍କର ସ୍ଥାନରେ ବି ଗଡ଼ିପାରେ।

ପରିସ୍ଥିତି ଅସମ୍ଭାଳ ହେବାରୁ ଉତ୍ତ୍ୟକ୍ତ ଲୋକଙ୍କୁ ସମ୍ଭାଳିବାକୁ ନିଜ ଦେଶର ନାଗରିକଙ୍କ ସାମ୍ନାରେ ଆମେରିକା ସେନା ‘ହମ୍ବୀ’ ଦେଖାଉଛି। ଏପରିକି କେତେକ ସ୍ଥାନରେ ସଡ଼କ ଅବରୋଧ କରିବା ପାଇଁ ‘ହମ୍ବୀ’ ବ୍ୟବହାର କରାଯାଉଛି। ଭଙ୍ଗାରୁଜା ଜଳାପୋଡା ହେଉଥିବା ବିବାଦୀୟ ଉତ୍ତେଜନାପୂର୍ଣ ଅଞ୍ଚଳରେ ହମ୍ବୀଗୁଡ଼ିକ ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇପାରିବ ବିବେଚନା କରି ଆମେରିକା ପ୍ରଶାସନ ଏବେ ସେନା ହାତରେ ସହରଗୁଡ଼ିକୁ ଛାଡ଼ିଦେଇଛି। ପୁଲିସ୍‌ ଗାଡ଼ି ବା ଅନ୍ୟ ନିରାପତ୍ତା ଯାନଗୁଡ଼ିକୁ ଉତ୍ତ୍ୟକ୍ତ ଲୋକେ ବାଡେଇ ଭାଙ୍ଗିଦେବା ବା ଜାଳିଦେବା ଯୋଗୁ ଏବେ ହମ୍ବୀଗୁଡ଼ିକୁ ସେଭଳି ସ୍ଥାନରେ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର