ଦେଶରେ ସୁସ୍ଥହେଲେ ଲକ୍ଷେରୁ ଅଧିକ, ସଂକ୍ରମଣ ମାମଲା ୨ ଲକ୍ଷ ୭ ହଜାର ଟପିଲା

୮ ରାଜ୍ୟରେ ଆରୋଗ୍ୟ ହାର ୫୦%ରୁ ଅଧିକ

ନୂଆଦିଲ୍ଲୀ : ଦେଶରେ କରୋନାଭାଇରସ୍‌ ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଆରୋଗ୍ୟ ହାର ବଢ଼ୁଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଏବେ ୧ ଲକ୍ଷ ୧ ହଜାର ୪୯୭ ସକ୍ରିୟ ମାମଲା ଥିବ‌ାବେଳେ ୧ ଲକ୍ଷ ୩୦୨ ଜଣ କ‌ରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଆରୋଗ୍ୟ ହାର ୪୮.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮ ହଜାର ୯୦୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୧୭ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨ ଲକ୍ଷ ୭ ହଜାର ୭୫୭ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୫,୮୧୫କୁ ବୃଦ୍ଧି ପାଇଛି। ଭାରତ ଏବେ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ସପ୍ତମ ସ୍ଥାନରେ ରହିଛି। ଆମେରିକା, ବ୍ରାଜିଲ୍‌, ରୁଷ୍‌, ବ୍ରିଟେନ୍‌, ସ୍ପେନ୍‌ ଏବଂ ଇଟାଲି ପରେ ଭାରତ ବିଶ୍ବରେ ସପ୍ତମ ସ୍ଥାନରେ ରହିଛି। ଦେଶରେ ସଂକ୍ରମଣ ଯେଉଁ ପରିମାଣରେ ବଢ଼ି ଚାଲିଛି ଭାରତ ଖୁବ୍‌ କମ୍‌ ଦିନ ମଧ୍ୟରେ ଇଟାଲି ଏବଂ ସ୍ପେନ୍‌କୁ ଟପିଯିବ ବୋଲି କୁହାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ‌ମହାରାଷ୍ଟ୍ରରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୩, ଗୁଜରାଟରେ ୨୯, ତାମିଲନାଡ଼ୁ‌ରେ ୧୩ ଏବଂ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ୫,୮୧୫ କରୋନା ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୨,୪୬୫, ଗୁଜରାଟରେ ୧,୦୯୨ ଏବଂ ଦିଲ୍ଲୀରେ ୫୫୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ ୩୬୩, ପଶ୍ଚିମବଙ୍ଗରେ ୩୩୫, ଉତ୍ତରପ୍ରଦେଶରେ ୨୨୨ ଏବଂ ରାଜସ୍ଥାନରେ ୨୦୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ସରକାର ଗୋଷ୍ଠୀ ସଂକ୍ରମଣ ହୋଇନଥିବା ସ୍ପଷ୍ଟ କରିଛନ୍ତି। ଗତକାଲି ପୁଣିଥରେ ଆଇସିଏମ୍‌ଆର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଦେଶ କରୋନା ସଂକ୍ରମଣର ଶୀର୍ଷରୁ ବହୁ ଦୂରରେ ରହିଛି।

୮ ରାଜ୍ୟରେ ଆରୋଗ୍ୟ ହାର ୫୦%ରୁ ଅଧିକ
ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର ବଢ଼ିବା ଏକ ସକାରାତ୍ମକ ସଙ୍କେତ ପ୍ରଦାନ କରିଛି। ଗୁଜରାଟ, ତାମିଲନାଡ଼ୁ ସମେତ ଦେଶର ୮ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ‌ବୁଧବାର ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମଣ ମାମଲା ୭୨ ହଜାର ୩୦୦‌ରେ ପହଞ୍ଚିଛି। ରାଜ୍ୟରେ ୨,୪୬୫ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ହଜାର ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତାମିଲନାଡ଼ୁରେ ମୋଟ୍‌ ସଂକ୍ରମଣ ମାମଲା ୨୪ ହଜାର ୫୮୬ ଥିବାବେଳେ ୧୯୭ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ହଜାର ୭୦୬ରୁ ଅଧିକ ଲୋକ ତାମିଲନାଡ଼ୁ‌‌ରେ କରୋନାରୁ ସୁସ୍ଥ ହୋଇଛନ୍ତି। ଦିଲ୍ଲୀରେ ୨୨ ହଜାର ୧୩୨ ଜଣ ସଂକ୍ରମିତ ହୋଇଥିବାବେଳେ ୯,୨୪୩ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୫୫୬ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟ‌ରେ ମୋଟ୍‌ ୧୭ ହଜାର ୬୧୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୧ ହଜାର ୮୯୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି ରାଜ୍ୟଗୁଡ଼ିକରେ କରୋନା ମାମଲା ଖୁବ୍‌ ଶୀଘ୍ର ୧୦ ହଜାରରେ ପହଞ୍ଚିବ। କରୋନା ମାମଲା ମଧ୍ୟପ୍ରଦେଶରେ ୮ ହଜାର ୪୨୦ରେ ପହଞ୍ଚିଥିବା ବେଳେ ୫ ହଜାର ୨୨୧ ଜଣ ଆରୋଗ୍ୟ ହୋଇଛନ୍ତି। ‌ସେହିପରି ଉତ୍ତରପ୍ରଦେଶରେ ମାମଲା ୮, ୩୬୧ରେ ପହଞ୍ଚିଥିବା ବେଳେ ୫ ହଜାର ୩୦ ଜଣ ଆରୋଗ୍ୟ ହୋଇଛନ୍ତି। ରାଜସ୍ଥାନରେ ମୋଟ ୯,୩୭୩ ମାମଲା ଥିବା‌ବେଳେ ୬,୪୩୫ ଜଣ ଆରୋଗ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର