‘ଅଗ୍ନିବୀର’ଙ୍କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ମିଳିବ ନିଯୁକ୍ତି:ପୁରୀ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ପ୍ରତିରକ୍ଷା ନିଯୁକ୍ତି ଯୋଜନାକୁ ବିରୋଧ କରି ବ୍ୟାପକ ହିଂସାତ୍ମକ ବିକ୍ଷୋଭ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର କହିଛନ୍ତି ଯେ ତାଙ୍କ ଗୃହ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁ)ମାନେ ସଶସ୍ତ୍ର ବାହିନୀରେ ଚାରି ବର୍ଷର ସେବା ପରେ ‘ଅଗ୍ନିବୀର’ମାନଙ୍କୁ ନିଯୁକ୍ତି ଦେବେ।

ନୂତନ ସାମରିକ ନିଯୁକ୍ତି ମଡେଲ ବିଷୟରେ ‘ଭୁଲ ସୂଚନା’ ପ୍ରଚାର କରିଥିବାରୁ ମନ୍ତ୍ରୀ ପୁରୀ ବିରୋଧୀଙ୍କୁ ସମାଲୋଚନା କରଛନ୍ତି। ସେ କହଛନ୍ତି ଯେ ସରକାର ଯୁବକମାନଙ୍କୁ ଅଗ୍ନିପଥ ଯୋଜନା ବିଷୟରେ ଶିକ୍ଷିତ କରିବେ। ମନ୍ତ୍ରୀ ପୁରୀ ଅଗ୍ନିପଥ ଯୋଜନାକୁ ସମର୍ଥନ କରି କହିଛନ୍ତି ଯେ ଏହା ଏକ ଉଜ୍ଜ୍ୱଳ ଯୋଜନା।

‘ଏହା ଏକ ମହାନ ଯୋଜନା। ମୁଁ ରେକର୍ଡରେ ଏହା କହିପାରିବି ଯେ ମୋ ମନ୍ତ୍ରାଳୟ ଅଧୀନରେ ଅନେକ ପିଏସୟୁ ପୂର୍ବରୁ ତାଲିମପ୍ରାପ୍ତ ମାନବ ଶକ୍ତି (ଅଗ୍ନିବୀର)ଙ୍କ ନିଯୁକ୍ତି ଉପରେ କାର୍ଯ୍ୟ କରୁଛନ୍ତି… ସେମାନଙ୍କର ଦକ୍ଷତାକୁ ପିଏସୟୁରେ ବ୍ୟବହାର କରାଯାଇପାରିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଉଲେଖଯୋଗ୍ୟ, ମଙ୍ଗଳବାର ଦିନ ଏହି ଯୋଜନାକୁ ଉନ୍ମୋଚନ କରି ସରକାର କହିଛନ୍ତି ଯେ ୧୭ରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ସେନା ବାହିନୀରେ ଅନ୍ତର୍ଭୁକ୍ତ କରାଯିବ। ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ପରବର୍ତ୍ତୀ ସମୟରେ ନିୟମିତ ସେବା ପାଇଁ ଅନ୍ତର୍ଭୁକ୍ତ କରାଯିବ। ସେନା, ନୌସେନା ଏବଂ ବାୟୁସେନାରେ ସୈନିକଙ୍କ ନିଯୁକ୍ତି ପାଇଁ ଏହି ନୂତନ ମଡେଲ ବିରୋଧରେ ବିକ୍ଷୋଭ ବ୍ୟାପିଥିବାରୁ ଗୁରୁବାର ଦିନ ବୟସ ସୀମାକୁ ୨୩ ବର୍ଷକୁ ବୃଦ୍ଧି କରାଯାଇଥିଲା।

‘ଅଗ୍ନିପଥ’ ଯୋଜନାକୁ ନେଇ ଚିନ୍ତା ଦୂର କରିବା ଉଦ୍ଦେଶ୍ୟରେ ଗୃହ ମନ୍ତ୍ରାଳୟ ଶନିବାର ଘୋଷଣା କରିଛି ଯେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଏବଂ ଆସାମ ରାଇଫଲ୍‌ସରେ ଥିବା ସମସ୍ତ ଖାଲି ପଦବୀ ମଧ୍ୟରୁ ୧୦ ପ୍ରତିଶତ ’ଅଗ୍ନିବୀର’ଙ୍କ ପାଇଁ ସଂରକ୍ଷିତ ରହିବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆବଶ୍ୟକ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ‘ଅଗ୍ନିବୀର’ଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟରେ ୧୦ ପ୍ରତିଶତ ଚାକିରି ଖାଲି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନିଯୁକ୍ତିର ପ୍ରଥମ ବର୍ଷରେ ’ଅଗ୍ନିବୀର’ଙ୍କ ମାସିକ ଦରମା ୩୦,୦୦୦ ଟଙ୍କା ହେବ ଏବଂ ହାତରେ ମିଳିବାକୁ ଥିବା ରାଶି ୨୧,୦୦୦ ଟଙ୍କା ହେବ। କାରଣ ୯,୦୦୦ ଟଙ୍କା ସରକାରଙ୍କ ସମାନ ଅବଦାନ ସହିତ ଏକ କର୍ପସକୁ ଯିବ। ପରବର୍ତ୍ତୀ ସମୟରେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବର୍ଷରେ ମାସିକ ଦରମା ଯଥାକ୍ରମେ ୩୩,୦୦୦ ଟଙ୍କା, ୩୬,୫୦୦ ଟଙ୍କା ଏବଂ ୪୦,୦୦୦ ଟଙ୍କା ହେବ।

ସମ୍ବନ୍ଧିତ ଖବର