ସଂସଦରେ ରାଫେଲ୍‌ ତାତି

ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲେ କଂଗ୍ରେସ, ବିଜେପି

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ  ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଏହାକୁ କେନ୍ଦ୍ରକରି ଉଭୟ ଗୃହକୁ ଆଜି ଦିନତମାମ ବାରମ୍ବାର ମୁଲତବୀ ରଖାଯାଇଥିଲା। ରାଫେଲ୍‌ ଚୁକ୍ତିକୁ ନେଇ ପ୍ରଥମେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଅଣାଯାଇଥିଲା। ଏହାର କିଛି ସମୟ ପରେ ବିଜେପି ସାଂସଦ ଅନୁରାଗ ଠାକୁର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲେ।
କଂଗ୍ରେସ ପକ୍ଷରୁ ଉଭୟ ଗୃହରେ ଆଜି ମୋଦୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଅଣାଯାଇ କୁହାଯାଇଛି ଯେ ରାଫେଲ୍‌ ଚୁକ୍ତି ବାବଦରେ ମୋଦୀ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କୁ ଅନ୍ଧାରରେ ରଖିବା ପାଇଁ ସରକାର ଉଦ୍ୟମ କରିଥିବା କଂଗ୍ରେସ ଦର୍ଶାଇଛି। କଂଗ୍ରେସ ପକ୍ଷରୁ ପଞ୍ଜାବ ଗୁରଦାସପୁର ସାଂସଦ ସୁନୀଲ ଜାଖଡ଼ ରାଫେଲ୍‌ ଚୁକ୍ତି ମାମଲାରେ ସରକାରଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲେ। ତେବେ ଏହି ନୋଟିସ୍‌ ଏବେ ବିଚାରାଧୀନ ଥିବା ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି। ମାମଲା ଏବେ ବିଚାରାଧୀନ ଥିବାରୁ ଏ ବାବଦରେ କୌଣସି ନିର୍ଣ୍ଣୟ ନିଆଯାଇନଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଫେଲ୍‌ ଚୁକ୍ତି ମାମଲାରେ ଗତ ଶୁକ୍ରବାର ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଚୁକ୍ତିରେ କୌଣସି ତ୍ରୁଟି ନଥିବା ଦର୍ଶାଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠ ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗିରହିଛି।

ସମ୍ବନ୍ଧିତ ଖବର