ମୁମ୍ବାଇ : ଜଣାଶୁଣା ବ୍ୟବସାୟୀ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପହଞ୍ଚିଥିବା ଜଣାପଡ଼ିଛି । କୁଖ୍ୟାତ ଆତଙ୍କବାଦୀ ଦାଉଦ୍ର ସହଯୋଗୀ ଡି-କମ୍ପାନୀ ଗ୍ୟାଙ୍ଗ୍ଷ୍ଟର ଇକ୍ବାଲ ମିର୍ଚୀ ସହ ବ୍ୟବସାୟିକ କାରବାର ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଡ଼କାଯାଇଛି ।
ସୂଚନା ମୁତାବକ, ଇଡି ରିୟଲ ଇଷ୍ଟେଟ୍ କମ୍ପାନି ଆର୍କେଡବ୍ଲ୍ୟୁ ଡେଭ୍ଲପର ପ୍ରାଇଭେଟ୍ ଲିମିଟେଡ୍ର କାଗଜପତ୍ର ଯାଞ୍ଚ କରିବା ସମୟରେ ଏହି କମ୍ପାନି ଏସେନ୍ସିଆଲ ହସ୍ପିଟାଲିଟି ଲିମିଟେଡ୍ କମ୍ପାନିକୁ ଟଙ୍କା ନେଣଦେଣ କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହା ସହ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ମଧ୍ୟ ଏସେନ୍ସିଆଲ ହସ୍ପିଟାଲିଟି ଲିମିଟେଡ୍ କମ୍ପାନିରେ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଜଣେ ଥିବା ଜଣା ପଡ଼ିଥିଲା । ପୂର୍ବରୁ ଏହି କମ୍ପାନୀର ନିର୍ଦ୍ଦେଶକ ରହି ସାରିଥିବା ରଣଜିତ୍ ବିନ୍ଦ୍ରାଙ୍କୁ ଇଡି ଗିରଫ କରି ସାରିଥିବା ବେଳେ ଆଉ ଜଣେ ନିର୍ଦ୍ଦେଶକ ଧୀରଜ ଓ୍ଵାଧାଓ୍ଵନଙ୍କ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ବିନ୍ଦ୍ରା ଇକ୍ବାଲର ଜଣେ ବିଶ୍ୱସ୍ତ ସହଯୋଗୀ ହୁମାୟୁନ ମର୍ଚ୍ଚାଣ୍ଟ ସହ ମିଶି କମ୍ପାନି ପାଇଁ ଜମି ବିକା କିଣାରେ ସାହାଯ୍ୟ କରୁଥିଲେ । ଯାହା ବିଷୟରେ ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।
ବିଶେଷ ସୂତ୍ରରୁ ଜଣା ପଡ଼ିଛି କି, ଆର୍କେଡବ୍ଲ୍ୟୁ ଡେଭ୍ଲପର ପ୍ରାଇଭେଟ୍ ଲିମିଟେଡ୍ ଏସେନ୍ସିଆଲ ହସ୍ପିଟାଲିଟି ଲିମିଟେଡ୍ କମ୍ପାନିରେ ୪୪କୋଟି ଟଙ୍କା ନିବେଶ କରିଥିବା ବେଳେ ୩୧.୫୩କୋଟି ଟଙ୍କା ସୁଧ ମୁକ୍ତ ଋଣ ଦେଇଛି । ଅପ୍ରେଲ ୨୦୧୭-ମାର୍ଚ୍ଚ ୨୦୧୮ ମଧ୍ୟରେ ୩୦କୋଟି ଟଙ୍କା ଋଣ ଆକାରରେ ଏସେନ୍ସିଆଲ ହସ୍ପିଟାଲିଟି ଲିମିଟେଡ୍ କମ୍ପାନିକୁ ଦିଆଯାଇଥିବା ବେଳେ ଅପ୍ରେଲ ୨୦୧୬-ମାଚ୍ଚ ୨୦୧୭ ମଧ୍ୟରେ କମ୍ପାନିକୁ ୧୧୭.୨୧୭କୋଟି ଟଙ୍କା ଋଣ ଆକାରରେ ଦେଇଛି ଆର୍କେଡବ୍ଲ୍ୟୁ ଡେଭ୍ଲପର ।
India Today
ରଣଜିତ୍ଙ୍କ ଗିରଫ ପରେ ଏବେ ଇଡି ଆର୍କେଡବ୍ଲ୍ୟୁ ଡେଭ୍ଲପର ପ୍ରାଇଭେଟ୍ ଲିମିଟେଡ୍ ଆଉ ଜଣେ ନିର୍ଦ୍ଦେଶକ ପ୍ଲାସିଡ୍ ଜକୋବ୍ଙ୍କ ଉପରେ ଯାଞ୍ଚ ଆରମ୍ଭ କରିଛି । ପ୍ଲାସିଡ୍ ଆର୍କେଡବ୍ଲ୍ୟୁ ଡେଭ୍ଲପର ସହ ଧୀରଜ ଓ୍ଵାଧଓ୍ଵନ୍ କିଣିଥିବା ଅନ୍ୟ କମ୍ପାନିଗୁଡ଼ିକରେ ମଧ୍ୟ ନିର୍ଦ୍ଦେଶକ ଅଛନ୍ତି । ସେ ମଧ୍ୟରେ ଗୋଟେ କମ୍ପାନି ହେଉଛି ବାବା ରିୟଲଟର୍ସ । ଏଥିରେ ସେ ରାଜ କୁନ୍ଦ୍ରାଙ୍କ ସହ ନିର୍ଦ୍ଦୋଶକର ଦାୟିତ୍ୱ ତୁଲାଉଛନ୍ତି ।
ଏହା ସହ ରାଜ୍ କୁନ୍ଦ୍ରାଙ୍କ କମ୍ପାନୀ ବସ୍ତିଆନ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ରେ ମଧ୍ୟ ଗିରଫ ହୋଇ ସାରିଥିବା ରଣଜିତ୍ ନିର୍ଦ୍ଦେଶକ ଭାବେ କାମ କରି ସାରିଥିବା ଜଣା ପଡ଼ିଛି । ତେବେ ପୂର୍ବରୁ ରାଜ୍ ଓ ତାଙ୍କ ପତ୍ନୀ ଶିଳ୍ପାଙ୍କ ଉପରେ ମଧ୍ୟ ଅଭିଯୋଗ ଲାଗିଥିବା ବେଳେ କୁନ୍ଦ୍ରା ସବୁ ଆରୋପକୁ ମିଛ ବୋଲି କହି ସାରିଥିଲେ । କିନ୍ତୁ ଏବେ ପୁଣି ତାଙ୍କୁ ଯାଞ୍ଚ ପାଇଁ ଡ଼କାଯାଇଛି ।