ରାଜନାଥଙ୍କ ବୟାନ: ୫ ବର୍ଷରେ ୩ ଥର ସୀମାପାର କାର୍ଯ୍ୟାନୁଷ୍ଠାନ

ତୃତୀୟ ଆକ୍ରମଣର ତଥ୍ୟ ପ୍ରଘଟ କରିହେବନାହିଁ, ଆତଙ୍କବାଦ ପାଇଁ ପାକ୍‌କୁ ବହୁମୂଲ୍ୟ ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ବିଗତ ୫ ବର୍ଷ ମଧ୍ୟରେ ଭାରତ ୩ ଥର ସୀମାପାର କାର୍ଯ୍ୟାନୁଷ୍ଠାନ କରିଛି। ଆତଙ୍କବାଦ ବିରୋଧରେ ଭାରତର ଏହି ସର୍ଜିକାଲ ଷ୍ଟ୍ରାଇକ୍‌ ସଂପୂର୍ଣ୍ଣ ସଫଳ ରହିଛି। ଦୁଇଟି କାର୍ଯ୍ୟାନୁଷ୍ଠାନ ସଂପର୍କରେ ସମସ୍ତେ ଅବଗତ ଥିବା ବେଳେ ତୃତୀୟଟି ସଂପର୍କରେ ତଥ୍ୟ ପ୍ରଘଟ କରିହେବ ନାହିଁ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଉରିରେ ସେନା ଶିବିର ଉପରେ ଆକ୍ରମଣ ପରେ ୨୦୧୬ରେ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିଲା ଏବଂ ଗତ ଫେବ୍ରୁଆରିରେ ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ପକ୍ଷରୁ ଆତ୍ମଘାତୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା। ଏହା ବ୍ୟତୀତ ଆଉ ଏକ ବିମାନ ଆକ୍ରମଣ ମଧ୍ୟ କରାଯାଇଛି, ତେବେ ବର୍ତ୍ତମାନ ପରିସ୍ଥିତିରେ ଉରି ଏବଂ ବାଲାକୋଟ ବ୍ୟତୀତ ଅନ୍ୟ ଆକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିହେବନାହିଁ ବୋଲି ରାଜନାଥ କହିଛନ୍ତି।

ଆଜି ମାଙ୍ଗାଲୁରୁରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି, ଭାରତ ଏବେ ଆତଙ୍କବାଦର ମୂଳପୋଛ କରିବା ପାଇଁ ଅଭିଯାନ ଚଳାଇଛି। ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯାଉଛି। ସରକାରଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ବାଲାକୋଟରେ ବାୟୁସେନାର ଆକ୍ରମଣ ଅତ୍ୟନ୍ତ ଯୋଜନାବଦ୍ଧ ଏବଂ ସଫଳ ଥିଲା। ପାକିସ୍ତାନରେ ସଫଳତାର ସହ ଟାର୍ଗେଟ୍‌ ଧ୍ବଂସ କରି ଭାରତୀୟ ବାୟୁସେନା ଫେରିଥିଲା। ଭାରତ ସର୍ବଦା ଶାନ୍ତି ଚାହୁଛି, କିନ୍ତୁ ପାକିସ୍ତାନ ପଟୁ କୌଣସି ଉତ୍ତେଜନାକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ରାଜନାଥ କହିଛନ୍ତି। ଭାରତର ଏକ ମିଗ୍‌ ୨୧ ବିମାନ ପାକିସ୍ତାନର ଶକ୍ତିଶାଳୀ ଲଢ଼ୁଆ ବିମାନ ଏଫ୍‌-୧୬କୁ ଖସାଇ ଦେବା ଗର୍ବର ବିଷୟ ବୋଲି ରାଜନାଥ କହିଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଆତଙ୍କବାଦର ଦମନ ପାଇଁ ଭାରତ ନୂଆ ରଣନୀତିରେ ଆଗକୁ ବଢ଼ୁଛି ଏବଂ ଆବଶ୍ୟକ ସ୍ଥଳେ ସର୍ଜିକାଲ ଷ୍ଟ୍ରାଇକ୍‌ କରି କଡ଼ା ଜବାବ ଦେଉଛି । ମୋଦୀ ଆଜି ନଏଡ଼ାରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି ଯେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ଉଚିତ ଥିଲା। କିନ୍ତୁ ସେତେବେଳେ ସରକାର ସେନାକୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇନଥିଲେ। ଏବେ ଭାରତ ନୂଆ ନୀତି, ନୂଆ କୌଶଳରେ ଆଗକୁ ବଢ଼ୁଛି ଏବଂ ୨୦୧୬ରେ ଉରି ଆକ୍ରମଣ ପରଠାରୁ ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ଜବାବ ଦେଉଛି। ଫେବ୍ରୁଆରି ୨୬ରେ ଭାରତ ବିମାନ ଆକ୍ରମଣ କରିବା ପରେ ଭୋର୍‌ ୫ଟାରେ ପାକିସ୍ତାନ କାନ୍ଦିବା ଆରମ୍ଭ କଲା। ମୋଦୀ ଆମକୁ ଆକ୍ରମଣ କଲା କହି ପାକିସ୍ତାନ ଟ୍ବିଟ୍‌ କରି ନିଜ ଦେଶବାସୀଙ୍କୁ ଉଠାଇଲା। କିନ୍ତୁ ଆମେ ସଂପୂର୍ଣ୍ଣ ଶାନ୍ତ ଥିଲୁ, ରାତି ୩ଟାରେ ଲୋକଙ୍କୁ ଉଠାଇବାକୁ ଚାହୁନଥିଲୁ ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର