କେନ୍ଦ୍ର ସରକାରଙ୍କୁ ରାକେଶ ଟିକାୟତଙ୍କ ଚେତାବନୀ: ଜୁନ୍‌ ୯ ସୁଦ୍ଧା ବ୍ରିଜ ଭୂଷଣ ଗିରଫ ନହେଲେ ଆନ୍ଦୋଳନ

ବ୍ରିଜ ଭୂଷଣ ସିଂହଙ୍କ ଅଯୋ‌ଧ୍ୟା ରୢାଲି ବାତିଲ

ନୂଆଦିଲ୍ଲୀ: ଯୌନ ଶୋଷଣ ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଖାପ୍‌ ପଂଚାୟତ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ନ୍ୟାୟ ପାଇଁ ଲଢ଼ୁଥିବା ଭାରତର କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରୁଥିବା ଚାଷୀ ନେତା ରାକେଶ ଟିକାୟତ ଆଜି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଟିକାୟତ କହିଛନ୍ତି, ବ୍ରିଜ ଭୂଷଣ ସିଂହଙ୍କୁ ଜୁନ୍‌ ୯ ସୁଦ୍ଧା ଗିରଫ କରାନଗଲେ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ସହ ଆମେ ବଡ଼ ଧରଣର ଆନ୍ଦୋଳନ କରିବୁ। ଟିକ‌ାୟତ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ସରକାର କୁସ୍ତିଯୋଦ୍ଧାଙ୍କ ଦାବି ଶୁଣିବା ଉଚିତ ଏବଂ ବ୍ରିଜ ଭୂଷଣ ଗିରଫ ହେବା ଜରୁରୀ। କୁସ୍ତିଯୋଦ୍ଧାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ହେବା ଉଚିତ ବୋଲି ଟିକ‌ାୟତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚାଷୀ ସଂଗଠନ ଦ୍ବାରା ଉତ୍ତରପ୍ର‌ଦେଶରେ ଖାପ୍‌ ମହାପଞ୍ଚାୟତ ହୋଇଛି ଏବଂ ପଂଜାବ, ହରିୟାଣାରେ ମଧ୍ୟ ଆନ୍ଦୋଳନ ହୋଇଛି। ଇତିମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଧୈର୍ଯ୍ୟ ରଖିବାକୁ ଠାକୁର କହିଛନ୍ତି।

ଅନ୍ୟପ‌କ୍ଷେ ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କୁ ଆଜି ଝଟ୍‌କା ଲାଗିଛି। ଜୁନ୍‌ ୫ ତାରିଖରେ ବ୍ରିଜ ଭୂଷଣ ଅଯୋଧ୍ୟାରେ ରୢାଲି କରିଥାନ୍ତେ। କିନ୍ତୁ ଏହି ରୢାଲି ପାଇଁ ଅଯୋଧ୍ୟା ଜିଲ୍ଲା କର୍ତ୍ତୃପକ୍ଷ ଅନୁମତି ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ, ବ୍ରିଜ ଭୂଷଣ ଯଦି ଅଯୋଧ୍ୟାରେ ରୢାଲି କରିବେ ତେବେ କୃଷକମାନେ ଏକ ଟ୍ରାକ୍ଟର ଯାତ୍ରା କରିବେ ବୋଲି ଟିକାୟତ ଘୋଷଣା କରିବାପରେ ବ୍ରିଜ ଭୂଷଣଙ୍କ ରୢାଲି ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର