ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି

ଶ୍ରୀଜିଉଙ୍କ ବାହୁଟକଣ୍ଟ, ରତ୍ନସିଂହାସନରେ ବନ୍ଧାହେଲା ଚାରମାଳ, ଆଜି ସକାଳୁ ସେନାପଟା ଲାଗି, ୧୦ଟାରୁ ବନ୍ଦ ରହିଲା ଦର୍ଶନ

ପୁରୀ : ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହୋଇଛି। ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀଜିଉଙ୍କ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି।

ଆଜି (ଶନିବାର) ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସେପଟେ ଆଜି ଚାରମାଳ ବନ୍ଧା ଓ ଶନିବାରର ସେନାପଟା ଲାଗି ପାଇଁ ଶୁକ୍ରବାର ରାତି ୧୦ଟାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଶନିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେନାପଟା ଲାଗି ଶେଷପରେ ଦୈନନ୍ଦିନ ନୀତି ବଢ଼ିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଥିଲା। ସକାଳେ ଦଇତାପତି ସେବକମାନେ ଶୁଦ୍ଧପୁତ ଭାବେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀଜିଉଙ୍କ ଦର୍ଶନ ଆଶୀର୍ବାଦ ନେଇଥିଲେ। ସ୍ନାନଯାତ୍ରାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ସବୁକିଛି ଶୃଙ୍ଖଳିତ ଶେଷକରିବା ଦିଗରେ ଆଶୀର୍ବାଦ କରିବାକୁ ମହାପ୍ରଭୁଙ୍କୁ ଗୁହାରି ହୋଇଥିଲେ। ପହୁଡ଼ ଆଳତି ପରେ ବିଳମ୍ବିତ ରାତିରେ ଶ୍ରୀମୁଖ ଖଣ୍ଡୁଆ ନୀତିସମ୍ପନ୍ନ କରାଯାଇଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଖଣ୍ଡୁଆରେ ଆଚ୍ଛାଦିତ କରାଯାଇଥିଲା। ପରେ ଦଇତାପତି ସେବକମାନେ ବାହୁଟ କଣ୍ଟର ଗୋପନ ନୀତି ସମ୍ପାଦନ କରିଥିଲେ। ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବାପାଇଁ ବଉଳ କାଠରେ ବାହୁଟ ନିର୍ମାଣ ହୋଇଥାଏ। ଏହି ବାହୁଟ ନିର୍ମାଣ ପାଇଁ ଦଇତାପତିମାନେ କଣ୍ଟ ବା ମାପ କରିଛନ୍ତି। ଏହି ମାପରେ ମହାରଣାମାନେ ସ୍ୱତନ୍ତ୍ର ବାହୁଟ ନିର୍ମାଣ କରିବେ। ସେପଟେ ରତ୍ନସିଂହାସନରୁ ଶ୍ରୀଜିଉଙ୍କ ପହଣ୍ଡି ପାଇଁ ରତ୍ନସିଂହାସନରେ ଚାରମାଳ ବନ୍ଧାଯାଇଛି। ଏହା ନୀଳାଦ୍ରି ବିଜେ ପହଣ୍ଡି ପର୍ଯ୍ୟନ୍ତ ରହିବ।

ଏ ସମ୍ପର୍କ‌ରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ତଥା ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଶୁକ୍ରବାର ଦିନ ବାହୁଟକଣ୍ଟ ନୀତି ପରେ କୋଠ ସୁଆଁସିଆ ଚାରବନ୍ଧା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ କୋଠ ସୁଆଁସିଆ ବାହାରିବା ପରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ ଦେବସ୍ନାନ ପୂର୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ରୂପେ ଦଇତାପତିମାନେ ଅଣସର ସେବାରେ ସାମିଲ ହେବେ।

ସମ୍ବନ୍ଧିତ ଖବର