ସିସିଡ଼ି(କାଫେ କଫି ଡେ) ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ ନିଖୋଜ, ସର୍ଚ୍ଚ ଅପରେସନ ଆରମ୍ଭ

ବାଙ୍ଗାଲୋର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଜ୍ୱାଇଁ ତଥା କାଫେ କଫି ଡେର ପ୍ରତିଷ୍ଠାତା ବିଜି ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି | କୁହାଯାଉଛି ସିଦ୍ଧାର୍ଥ ମାଙ୍ଗଲୋରର ନେତ୍ରାବତୀ ନଦୀ ପାଖରୁ ନିଖୋଜ ହୋଇଯାଇଛନ୍ତି | ବର୍ତ୍ତମାନ ତାଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି | ପରିବାର ଲୋକଙ୍କ କହିବା ମୁତାବକ ସିଦ୍ଧାର୍ଥ ସୋମବାର ସନ୍ଧ୍ୟାରୁ ନିଖୋଜ ହୋଇଯାଇଛନ୍ତି | ସେହି ସମୟରୁ ତାଙ୍କର ଫୋନ ମଧ୍ୟ ବନ୍ଦ ହୋଇଯାଇଛି |

ସିଦ୍ଧାର୍ଥ ସୋମବାର ଦିନ କର୍ଣ୍ଣାଟକର ମାଙ୍ଗଲୋର ଯାଉଥିଲେ | ଏହି ସମୟରେ ନେତ୍ରାବତୀ ନଦୀ ପାଖରେ ଥିବା ଏକ ପୋଲ ନିକଟରେ ରହିବାକୁ ତାଙ୍କ ଡ୍ରାଇଭରକୁ କହିଥିଲେ | ଏହାପରେ ପୋଲ ତଳକୁ ଚାଲିଆସିଥିଲେ | କାରରୁ ଓହ୍ଲାଇ ଫୋନରେ କାହା ସହ କଥା ହେଉଥିଲେ | କିଛି ସମୟ ପରେ ସିଦ୍ଧାର୍ଥ ନ ଫେରିବାରୁ ଡ୍ରାଇଭର ବ୍ୟସ୍ତ ହୋଇ ସିଦ୍ଧାର୍ଥଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇଥିଲେ | ସେବେଠାରୁ ସେ ନିଖୋଜ ରହିଥିବାବେଳେ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନଥିଲା |

 

ଏହାକୁ ନେଇ ପରିବାର ଲୋକ ପୁଲିସକୁ ଜଣାଇଥିଲେ | ବର୍ତ୍ତମାନ ପୁଲିସ ପକ୍ଷରୁ ନେତ୍ରାବତୀ ନଦୀରେ ସର୍ଚ୍ଚ ଅପରେସନ କରାଯାଉଛି | ଏଠାରେ ସୂଚନା ଥାଉ କି ସାରା ଦେଶରେ କାଫେ କଫି ଡେ ସ୍ଥାପନ କରି ଜଣେ ସଫଳ ବ୍ୟବସାୟୀ ଭାବେ ଜଣାଶୁଣା ଥିଲେ ବିଜି ସିଦ୍ଧାର୍ଥ |

ସମ୍ବନ୍ଧିତ ଖବର