ମୁମ୍ବାଇ ବିମାନବନ୍ଦରରେ ଶାହରୁଖ ଅଟକ
ବିଳାସପୂର୍ଣ୍ଣ ଘଣ୍ଟା ପାଇଁ ୬.୮୩ ଲକ୍ଷ ଟଙ୍କାର ବହିଃଶୁଳ୍କ ଦେବା ପରେ ଛାଡ଼ ପାଇଲେ
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କୁ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି। ତାଙ୍କ ବ୍ୟାଗ୍ରେ କେତେକ ବିଳାସପୂର୍ଣ୍ଣ ଘଣ୍ଟା ଥିବାର ଦେଖି ତାଙ୍କୁ କଷ୍ଟମ୍ସ ଡ୍ୟୁଟି (ବହିଃଶୁଳ୍କ) ବିଭାଗର ଅଧିକାରୀମାନେ ୪ ଘଣ୍ଟା ଧରି ଅଟକାଇଥିଲେ। ସେ ୬ ଲକ୍ଷ ୮୩ ହଜାର ଟଙ୍କାର ଶୁଳ୍କ ଦେବା ପରେ ତାଙ୍କୁ ବିମାନବନ୍ଦରରୁ ଛଡ଼ାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶାହରୁଖ ସାରଜାରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଏକ ଘରୋଇ ବିମାନରେ ସେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ୩ ନମ୍ବର ଟର୍ମିନାଲରେ ଓହ୍ଲାଇଥିଲେ। ଚେକିଂ ବେଳେ ତାଙ୍କ ବ୍ୟାଗ୍ରୁ ୬ଟି ବିଳାସପୂର୍ଣ୍ଣ ଘଣ୍ଟା ମିଳିଥିଲା ଯାହାର ଦାମ୍ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ। ଏଣୁ ସୀମାଶୁଳ୍କ ଅଧିକାରୀମାନେ ଟିକସ ଦେବାକୁ ବାଧ୍ୟ କରିଥିଲେ। ପ୍ରାୟ ୪ ଘଣ୍ଟାକାଳ ଅଟକ ରହିବା ପରେ ଶେଷକୁ ସେ ୬ ଲକ୍ଷ ୮୩ ହଜାର ଟଙ୍କାର ଶୁଳ୍କ ପଇଠ କରିଥିଲେ। ତା’ପରେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଛଡ଼ାଯାଇଥିଲା।
ସୂଚନାଯୋଗ୍ୟ ଯେ ଶାହରୁଖ ଗତକାଲି ଅନ୍ତର୍ଜାତୀୟ ପୁସ୍ତକମେଳା ୨୦୨୨ରେ ଯୋଗ ଦେବାକୁ ସାରଜା ଯାଇଥିଲେ। ସେଠାରେ ତାଙ୍କୁ ଅନ୍ତର୍ଜାତୀୟ ସିନେମା ଓ ସଂସ୍କୃତିକୁ ଅବଦାନ ପାଇଁ ‘ଗ୍ଲୋବାଲ ଆଇକନ ଅଫ୍ ସିନେମା’ ଏବଂ ‘କଲଚରାଲ ନ୍ୟାରେଟିଭ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା।