ରାଷ୍ଟ୍ରପତିଙ୍କୁ ଅସମ୍ମାନ: କ୍ଷମା ମାଗିଲେ ମମତାଙ୍କ ମନ୍ତ୍ରୀ

କ୍ଷମାଭିକ୍ଷା ପରେ ବି ବିବାଦ ଥମୁନି, ମନ୍ତ୍ରୀଙ୍କ ଗିରଫ ଦାବି ଜୋର ଧରିଲା, ମନ୍ତ୍ରୀଙ୍କ ମନ୍ତବ୍ୟରେ ଟିଏମ୍‌ସି ବି କ୍ଷୁବ୍ଧ

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗର ଆଉ ଜଣେ ନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହି ନେତା ଜଣକ ହେଉଛନ୍ତି ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଥିବା ଟିଏମ୍‌ସି ନେତା ଅଖିଳ ଗିରି। ତାଙ୍କର ମନ୍ତବ୍ୟର ଭିଡିଓ ଆଜି ଭାଇରାଲ୍‌ ହେବା ପରେ ସବୁଆଡ଼ୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏପରିକି ତାଙ୍କ ଦଳ ଟିଏମ୍‌ସି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛି। ଏହାପରେ ଗିରି ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି।

ସୂଚନାଯୋଗ୍ୟ ଯେ ଗିରି ଗତକାଲି ସନ୍ଧ୍ୟାରେ ନନ୍ଦିଗ୍ରାମରେ ଏକ ନିର୍ବାଚନ ରୢାଲିରେ କହିଥିଲେ, ‘ସେମାନେ (ବିଜେପି) କହୁଛନ୍ତି ମୁଁ ଦେଖିବାକୁ ଭଲ ନୁହେଁ। ଆମେ କାହାକୁ କାହାର ରୂପକୁ ନେଇ ବିଚାର କରୁନା। ଆମେ ରାଷ୍ଟ୍ରପତିଙ୍କୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କିପରି ଦେଖିବାକୁ?’ ତାଙ୍କର ଏପରି ଟିପ୍ପଣୀ ସଂକ୍ରାନ୍ତ ୧୭ ସେକେଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି। ଗିରିଙ୍କର ଏହି ଟିପ୍ପଣୀ ପାଇଁ ବିଭିନ୍ନ ମହଲରୁ ସେ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଏପରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି।

ବିଜେପି ଏହି ମାମଲାରେ ଆଜି ଟିଏମ୍‌ସିକୁ ଘେରିଛି। ମନ୍ତ୍ରୀ ଗିରିଙ୍କ ଟିପ୍ପଣୀ ଆଦିବାସୀ ବିରୋଧୀ ଚିନ୍ତାଧାରାକୁ ପଦାରେ ପକାଇ ଦେଇଛି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି। ଅଖିଳ ଗିରି ଦେଶର ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ବରିଷ୍ଠ ବିଜେପି ନେତା ଏବଂ ସାଂସଦ ସୌମିତ୍ର ଖାନ୍‌ ମନ୍ତ୍ରୀଙ୍କର ଏଭଳି ଟିପ୍ପଣୀକୁ ଘୃଣ୍ୟ କହିଛନ୍ତି। ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବାପାଇଁ ସେ ଦାବି କରିଛନ୍ତି। ଗିରିଙ୍କୁ ମନ୍ତ୍ରୀ ପଦରୁ ହଟାଇବା ସହ ତାଙ୍କ ଗିରଫ ଦାବି କରି ଆଜି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ କୋଲକାତା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି।

ଅନ୍ୟପକ୍ଷେ ଟିଏମ୍‌ସି କହିଛି ଯେ ମନ୍ତ୍ରୀଙ୍କର ଏଭଳି ଟିପ୍ପଣୀକୁ ଦଳ ସମର୍ଥନ କରୁନାହିଁ। ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି ବୋଲି ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି। ମନ୍ତ୍ରୀ ଗିରି ଯାହା କହିଛନ୍ତି ତାହା ନିନ୍ଦନୀୟ।

ତେବେ ଆଜି ସକାଳେ ଏହି ଟିପ୍ପଣୀ ପାଇଁ ଗିରି କ୍ଷମା ମାଗିଛନ୍ତି। ଗିରି କହିଛନ୍ତି, ସମ୍ମାନୀୟ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବାକୁ ମୁଁ ଚାହିନି। ବିଜେପି ନେତାମାନେ ମତେ କରୁଥିବା ସମାଲୋଚନାର ମୁଁ ଉତ୍ତର ଦେଇଛି। ଯଦି କେହି ଭାବୁଛନ୍ତି ଯେ ରାଷ୍ଟ୍ରପତିଙ୍କୁ ମୁଁ ଅସମ୍ମାନ କରିଛି ତେବେ ଏହା ଭୁଲ୍‌। ଏଭଳି ଟିପ୍ପଣୀ କରିଥିବାରୁ ମୁଁ କ୍ଷମା ମାଗୁଛି। ଗିରି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଦେଶର ସମ୍ବିଧାନ ଅନୁଯାୟୀ ମୁଁ କାର୍ଯ୍ୟ କରୁଛି। କିନ୍ତୁ ଗତ କିଛି ଦିନ ଧରି ବିଜେପି ନେତା ସୁଭେନ୍ଦୁ ଅଧିକାରୀ ମୋ ବିରୋଧରେ ଏବଂ ମୋ ରୂପକୁ ନେଇ ଅତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି। ରାଗରେ ଭାବପ୍ରବଣ ହୋଇ ରାଷ୍ଟ୍ରପତିଙ୍କୁ ନେଇ ଏଭଳି ଟିପ୍ପଣୀ ଦେଇଛି। ଏଥିପାଇଁ ମୁଁ କ୍ଷମା ମାଗୁଛି।

ଇତିମଧ୍ୟରେ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜାତୀୟ ମହିଳା କମିସନ୍‌ ପାଖକୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ବିଜେପି ସାଂସଦ ସୌମିତ୍ର ଖାନ୍‌। ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ଚିଠି ଲେଖି ବିଜେପି ସାଂସଦ କହିଛନ୍ତି, ମନ୍ତ୍ରୀ ଗିରି ଆମ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି ତାଙ୍କୁ କୌଣସି ବି ପରିସ୍ଥିତିରେ କ୍ଷମା କରାଯିବା ଉଚିତ ନୁହେଁ।

ସୂଚନାଯୋଗ୍ୟ ଯେ ପଶ୍ଚିମ ବଙ୍ଗର କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ମଧ୍ୟ ଏହାପୂର୍ବରୁ ରାଷ୍ଟ୍ରପତି ମୁର୍ମୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର