କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା: ‘ଫ୍ୟାକ୍ଟ ଚେକ୍‌ ୟୁନିଟ୍‌’ ଗଠନ ନେଇ ସରକାରୀ ବିଜ୍ଞପ୍ତି ଉପରେ ରୋକ୍‌

ନୂଆଦିଲ୍ଲୀ: ପିଆଇବି (ପ୍ରେସ୍ ଇନ୍‌ଫର୍ମେସନ୍ ବ୍ୟୁରୋ) ଅଧୀନରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ଗତକାଲି ଜାରି କରିଥିବା ଏକ ବିଜ୍ଞପ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ‘ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ସଦାଚାର ସଂହିତା’ ସଂଶୋଧନ ନିୟମ ୨୦୨୩ର ସଂଶୋଧନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ ବମ୍ବେ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି ଉପରେ ରୋକ୍‌ ଲାଗିବ ବୋଲି ଅଦାଲତ ରାୟ ଦେଇଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ବୁଧବାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ଅଧୀନରେ ଥିବା ଫ୍ୟାକ୍ଟ ଚେକ୍ ୟୁନିଟ୍ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଏଜେନ୍ସିମାନଙ୍କ ଫ୍ୟାକ୍ଟ ଚେକ୍‌ ୟୁନିଟ୍‌ ଭାବେ କାମ କରିବ।

କେନ୍ଦ୍ରୀୟ ସଂସ୍ଥା ସମ୍ପର୍କରେ ମିଥ୍ୟା ତଥ୍ୟ ସଂପର୍କରେ ଏହା ଲୋକଙ୍କୁ ଅବଗତ କରାଇବା କାମ ଜାରି ରଖିବ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାରେ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିରେ କେତେକ ଗମ୍ଭୀର ସାମ୍ବିଧାନିକ ପ୍ରଶ୍ନ ଉଠାଯାଇଛି। ବାକ୍ ସ୍ୱାଧୀନତା ଉପରେ ଏହାର ପ୍ରଭାବକୁ ବମ୍ବେ ହାଇକୋର୍ଟ ଯାଞ୍ଚ କରିବା ଆବଶ୍ୟକ ବୋଲି ମଧ୍ୟ କୁହାଯାଇଛି। ଉଚ୍ଚ ନ୍ୟାୟାଳୟ ଧାରା ୧୯(୧)(କ)କୁ ନେଇ ଉଠାଯାଇଥିବା ମୂଳ ପ୍ରଶ୍ନଗୁଡ଼ିକର ସମାଧାନ କରିବା ଆମେ ଆଶା କରୁଛୁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କରି ମାର୍ଚ୍ଚ ୧୧ରେ ବମ୍ବେ ହାଇକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର