୧.୫ କ୍ବିଣ୍ଟାଲ ଗଞ୍ଜେଇ ସହ ଗାଡ଼ି ଜବତ, ୨ ଗିରଫ

ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଡୁଙ୍ଗିବାହାଲ ଛକରେ ପୁଲିସ୍ ଏକ ପିକ୍ଅପ୍ ଭ୍ୟାନ (ଓଡି ୦୮କେ-୩୮୨୩)ରୁ ପ୍ରାୟ ୧.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ, ଭୋରରୁ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୁଲିସ୍ ଖବର ପାଇଥିଲା। ଏନେଇ ତୁଷୁରା ଥାନାଧିକାରୀ ସଂଜୀବ ପ୍ରଧାନଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନଥିଲେ। ପରେ ଯାଞ୍ଚ କରାଯିବାରୁ ଗାଡ଼ିରେ ପ୍ରାୟ ୬ଟି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ରହିଥିଲା।

ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ତାହା ପାଖାପାଖି ୧.୫ କ୍ବିଣ୍ଟାଲ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଡ୍ରାଇଭର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଥାନା ଟିକ୍ରାପଡ଼ା ଅଞ୍ଚଳର ସତ୍ୟ ସାହୁ ଓ ସୁବର୍ଣ୍ଣପୁର ଜିଲ୍ଲା ଏସ୍‌.ରାମପୁର ଥାନା ଗରିଆଟିକିରିର ରସିକ ଗରିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଚଢ଼ଉରେ ଏସଆଇ ଗଙ୍ଗାଧର ମଲ୍ଲିକ, ଏଏସଆଇ ଖାମସିଂ ମାଝୀ, ଯୁଗେଶ୍ଵର ଧରୁଆ, କନ୍‌ଷ୍ଟେବଲ ମଙ୍ଗଲା ମାଡକାମୀ, ନିରାକର ଭୋଇ, ଉପେନ୍ଦ୍ର ବିଶ୍ଵାଳ, ମୀନକେତନ ଭୋଇ, ଅରୁଣ ଜେନା, ସୁଦାମ ସା, ଗୃହରକ୍ଷୀ ଅନନ୍ତ ସାହୁ, ତଫିକ ମହମ୍ମଦ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର