ଇମ୍ଫାଲ: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଦୁଇ ଜନଜାତି ମଧ୍ୟରେ ବିବାଦକୁ ଦୃଷ୍ଟିରେ ରଖି ବୁଧବାରଠାରୁ ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ବିବାଦୀୟ ସ୍ଥାନରେ ନିଜ ନିଜ ସମ୍ପ୍ରଦାୟର ପତାକା ଉତ୍ତୋଳନକୁ ନେଇ ମଙ୍ଗଳବାର ଜାମି ଓ ହମାର ଜନଜାତି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ବିବାଦୀୟ ସ୍ଥାନ ମୁନହୋଇହ ଓ ରେଙ୍ଗକାଇ ଗାଁ ମଧ୍ୟରେ ରହିଛି। ମୁନହୋଇହ ଓ ରେଙ୍ଗକାଇ ସମେତ କାଙ୍ଗୱାଇ, ସମୁଲମଲାନ ଓ ସାଙ୍ଗାଇକୋଟରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ଏହି ସବୁ ଅଞ୍ଚଳରେ ସକାଳ ୬ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି।
ଜିଲ୍ଲାପାଳ ଉଭୟ ଗ୍ରାମବାସୀଙ୍କ ସହ ଇତିମଧ୍ୟରେ ବୈଠକ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟ କହିଛନ୍ତି ଯେ ଏହି ବିବାଦ ଜାତିଗତ ନୁହେଁ ବରଂ ଜମି ପାଇଁ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଗୁଜବ ପ୍ରଚାର ନ କରିବାକୁ ବୈଠକରେ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ପତାକା ହଟାଇବାକୁ ନେଇ ଦୁଇ ଜନଜାତି ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ମାର୍ଚ୍ଚ ୧୭ ତାରିଖରେ ଜୋମି ଓ ହମାର ଜନଜାତି ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ହମାର ଜନଜାତିର ସଦସ୍ୟ ରୋପୁଇ ପାକୁମଟେ ପ୍ରାଣ ହରାଇଥିଲେ।