ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ୨୯ଜଣଙ୍କୁ ନାରୀଶକ୍ତି ପୁରସ୍କାର, ଓଡ଼ିଶାରୁ ପାଇବେ ଶ୍ରୁତି ମହାପାତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଓ ୨୦୨୧ ଲାଗି ସମ୍ମାନଜନକ ନାରୀଶକ୍ତି ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଏକ ବିଶେଷ ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ୨୯ଜଣ ସଫଳ ମହିଳାଙ୍କୁ ନାରୀଶକ୍ତି ପୁରସ୍କାର ଦେଇ ସମ୍ମାନିତ କରିବେ ବୋଲି ଘୋଷଣା କରାଯାଇଛି । କରୋନା ସଂକ୍ରମଣ ପାଇଁ ୨୦୨୦ ମସିହାରେ ଏହି ପୁରସ୍କାର ବିତରଣ କରାଯାଇପାରି ନଥିବା ବେଳେ ‌ଚଳିତ ବର୍ଷ ଏହା ପ୍ରଦାନ କରାଯାଉଛି। ଓଡ଼ିଶା ପାଇଁ ଖୁସୀ ଖବର ହେଲା ଜଣାଶୁଣା ସାମାଜିକ କର୍ମୀ ଶ୍ରୁତି ମହାପାତ୍ରଙ୍କୁ ଭିନ୍ନକ୍ଷମମାନଙ୍କର ଅଧିକାର ସୁରକ୍ଷା କ୍ଷେତ୍ରରେ ଅବଦାନ ଲାଗି ନାରୀଶକ୍ତି ପୁରସ୍କାର-୨୦୨୧ ପ୍ରଦାନ କରାଯିବାକୁ ଚୟନ କରାଯାଇଛି।

ପୁରସ୍କାର ପାଇବାକୁ ଯାଉଥିବା ଏହି ୨୯ ଜଣଙ୍କ ମଧ୍ୟରେ କେବଳ ଜଣେ ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି ଶ୍ରୁତି ମହାପାତ୍ର। ମିଳିଥିବା ସୂଚନା ଅନୁସାରେ ନାରୀଶକ୍ତି ପୁରସ୍କାର ପାଉଥିବା ସମସ୍ତ ମହିଳାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ତ୍ତାଳାପ କରିବେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯିବା ସହ ମହିଳା ସଶକ୍ତିକରଣ ସହ ଜଡିତ କାର୍ଯ୍ୟରେ ସହଯୋଗ ଲାଗି ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଉତ୍ସାହିତ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ମହିଳା ସଶକ୍ତୀକରଣ, ବିଶେଷକରି ଅସୁରକ୍ଷିତ ତଥା ବଞ୍ଚିତ ମହିଳାଙ୍କ ସଶକ୍ତୀକରଣ ଦିଗରେ ଭିନ୍ନ ଭିନ୍ନ ସେବା ପ୍ରଦାନ କରିବାରେ ସେମାନଙ୍କର ଅତୁଳନୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରାଯିବ। ୨୦୨୦ ପାଇଁ ନାରୀ ଶକ୍ତି ପୁରସ୍କର ପାଉଥିବା ବିଜେତାମାନେ ଉଦ୍ୟୋଗ, କୃଷି, ନବସୃଜନ, ସାମାଜିକ କାର୍ଯ୍ୟ, କଳା ଏବଂ ହସ୍ତଶିଳ୍ପ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଇତ୍ୟାଦି ବିଭିନ୍ନ କ୍ଷେତ୍ରର ହୋଇଥିବା ବେଳେ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କର ବିଜେତାମାନେ ଭାଷା ବିଜ୍ଞାନ, ଉଦ୍ୟୋଗୀତା, କୃଷି, ସାମାଜିକ କାର୍ଯ୍ୟ, କଳା ଏବଂ ହସ୍ତଶିଳ୍ପ, ନୌସେନା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ଗଣିତ, ଶିକ୍ଷା ଏବଂ ସାହିତ୍ୟ, ଭିନ୍ନକ୍ଷମ ଅଧିକାର ଇତ୍ୟାଦି କ୍ଷେତ୍ରରୁ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର