ସଂଘ ସମ୍ମତିରେ ସଂସଦୀୟ ବୋର୍ଡରୁ ବିଦା ହୋଇଥିଲେ ଗଡ଼କରୀ

ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନତୀନ ଗଡ଼କରୀଙ୍କୁ ବିଜେପି ସଂସଦୀୟ ବୋର୍ଡରୁ ନିକଟରେ ଅପ୍ରତ୍ୟାଶିତ ଭାବେ ବାଦ୍ ଦିଆଯାଇଥିଲା। ଗଡ଼କରୀ ବେଳେବେଳେ ଅନାବଶ୍ୟକ ମନ୍ତବ୍ୟ ଦେଉଥିବାରୁ ଏଥିରେ ବିରକ୍ତ ଆର୍‌ଏସ୍‌ଏସ୍‌ ନେତୃତ୍ବର ପରାମର୍ଶରେ ହିଁ ଏହା କରାଯାଇଥିବା ଜଣାପଡ଼ିଛି। ଅନେକ ବରିଷ୍ଠ ବିଜେପି ନେତାଙ୍କ ସୂତ୍ର ଅନୁଯାୟୀ, ପୂର୍ବତନ ବିଜେପି ମୁଖ୍ୟ ଗଡ଼କରୀଙ୍କୁ ସଂଘ ପରିବାର ପକ୍ଷରୁ ସାବଧାନ କରାଇ ଦିଆଯାଇଥିଲା ଯେ ସେ ଏପରି ମନ୍ତବ୍ୟ ଦେବା ଅଭ୍ୟାସ ଛାଡ଼ନ୍ତୁ ଯାହାକୁ ଗଣମାଧ୍ୟମ ପ୍ରମୁଖ ଖବର କରି ପ୍ରକାଶ କରିବେ ଏବଂ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହାକୁ ଅସ୍ତ୍ର କରି ଦଳ ଓ କେନ୍ଦ୍ର ସରକାରଙ୍କୁ ଏପରି କି ସଂଘ ପରିବାରକୁ ମଧ୍ୟ ଅଡ଼ୁଆରେ ପକାଇବେ। କିନ୍ତୁ ଗଡ଼କରୀ ସଂଘ ପରିବାରର ଏହି ପରାମର୍ଶକୁ ମାନିପାରିଲେ ନାହିଁ ଏବଂ ନିଜକୁ ଏକ ସ୍ବୟଂଶାସିତ ନେତା ଭଳି ଘୋଷଣା କରି ସେହି ଅନୁସାରେ ବୟାନ ଜାରି ରଖିଥିଲେ। ତେଣୁ ସଂଘ ପକ୍ଷରୁ ବିଜେପିକୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି, ଯାହାର ଫଳ ହେଉଛି ଗଡ଼କରୀ ବିଜେପି ସଂସଦୀୟ କମିଟିରୁ ବାଦ୍ ପଡ଼ିବା। ଗଡ଼କରୀ ଯଦି ତାଙ୍କର ଭୁଲ୍ ବୁଝି ନ ପାରିବେ ଓ ସମାନ ପ୍ରକାର ଭୁଲ୍ ଜାରି ରଖିବେ ତେବେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ସରକାରକୁ ଅଡ଼ୁଆରେ ପକାଇବା ଭଳି ବୟାନ ଦେଉଥିବା ନେତାମାନଙ୍କୁ ଅଧିକ ଦିନ ଏଭଳି ସ୍ବାଧୀନତା ମିଳିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି।

ସମ୍ବନ୍ଧିତ ଖବର