ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ହଟଚମଟ, ବିଜେପି-କଂଗ୍ରେସ ବାକ୍‌ଯୁଦ୍ଧ

ସିଏଏ, ଏନ୍‌ଆର୍‌ସି, କାଶ୍ମୀର ପ୍ରସଙ୍ଗ ଉଠାଇବେ!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି‌ ଡୋନାଲ୍‌ଡ ଟ୍ରମ୍ପ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ୨୪ ତାରିଖରେ ସେ ଅହମ୍ମବାଦ ଏବଂ ତାଜମହଲ ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୫ ତାରିଖରେ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସ୍ବଭାବ ଯାହା ସେ ଯେକୌଣସି ପ୍ରସଙ୍ଗକୁ ମଧ୍ୟ ହଠାତ୍ ଉଠାଇ ଦେଇପାରନ୍ତି। ଏହା ହେଲେ ମୋଦୀ ଅଡ଼ୁଆରେ ପଡ଼ିଯାଇପାରନ୍ତି। ତେଣୁ ଏହାକୁ ନେଇ ବିଭିନ୍ନ ମହଲରେ ହଟଚମଟ ଆରମ୍ଭ ହୋଇଯାଇଛି। ଦେଶରେ ଏବେ ବିବାଦୀୟ ପ୍ରସଙ୍ଗ ହୋଇ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଆଦି ପ୍ରସଙ୍ଗ ଟ୍ରମ୍ପ ଉଠାଇପାରନ୍ତି ବୋଲି କୁହାଯାଉଛି। ଟ୍ରମ୍ପ ଉଭୟ ସର୍ବସାଧାରଣରେ ଏବଂ ମୋଦୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି। ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗଣତନ୍ତ୍ର ଏବଂ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗରେ ଆମେରିକାର ମତକୁ ଟ୍ରମ୍ପ ଉଭୟ ସର୍ବଧାରଣରେ ଏବଂ ମୋଦୀଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ। ବିଶେଷକରି ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ ଯାହା ଆମେରିକା ପ୍ରଶାସନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତାହା ଉପରେ ଟ୍ରମ୍ପ ଆଲୋଚନା କରିବେ । ଅତୀତରେ ମଧ୍ୟ ଆମେରିକା ଏସବୁ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରିଛି।

ମେଲାନିଆଙ୍କ କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିଲେ କେଜ୍ରିୱାଲ
ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତ ସମୟରେ ମୋଦୀ ରହିବେନି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଅହମ୍ମବାଦାବ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଏକ ବିରାଟ ରୋଡସୋ’ରେ ମୋଟେରା ଷ୍ଟାଡିୟମକୁ ଯିବେ। ରାସ୍ତାରେ ତାଙ୍କୁ ବହୁ ସଂଖ୍ୟକ ଲୋକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ଏହାକୁ ନେଇ ଟ୍ରମ୍ପ ନିଜେ ଉତ୍ସାହିତ ‌ଅଛନ୍ତି। ଟ୍ରମ୍ପଙ୍କୁ ‌କୋଟିଏ‌ ଲୋକ ସ୍ବାଗତ କରିବେ। ମୋଦୀ ତାଙ୍କୁ ଏହି କଥା କହିଛନ୍ତି ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଟ୍ରମ୍ପଙ୍କ ଗସ୍ତର ଦୁଇଦିନ ପୂର୍ବରୁ ଦେଶରେ ଦୁଇ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ବେକାରି ପ୍ରସଙ୍ଗ ଉଠାଇ ବିଜେପି ଓ ସରକାରଙ୍କୁ ସମାଲୋଚନା କରିଛି। ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବାଲାଗି ମୋଦୀ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ୬୯ ଲକ୍ଷ ପଦବି ପୂରଣ ପାଇଁ ଘୋଷଣା କରାଯାଇଛି। ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇଛି। ଡୋନାଲ୍‌ଡ ଟ୍ରମ୍ପ ନାଗରିକ ଅଭିନନ୍ଦନ ସମିତି ପକ୍ଷରୁ ଏବେ ନିଯୁକ୍ତି ଦିଆଯାଉଛି। ପଦବି ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସ୍ବାଗତ କରିବା। ଖାଲି ପଦବି ସଂଖ୍ୟା: ୬୯ ଲକ୍ଷ। ବେତନ: ଅଚ୍ଛେ ଦିନ୍‌। ତେବେ କଂଗ୍ରେସର ଏହି ଟ୍ବିଟ୍‌କୁ ବିଜେପି ସମାଲୋଚନା କରିଛି। ଦେଶର ମର୍ଯ୍ୟାଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଏଥିରେ ଖୁସି ନାହାନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତ ସମୟରେ ମୋଦୀ ରହିବେନି
ଲକ୍ଷ୍ନୌ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆଗ୍ରା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ସହ ରହିବେନି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରମ୍ପ୍‌ଙ୍କୁ ଆଗ୍ରାରେ ସ୍ବାଗତ କରିବେ ଏବଂ ତାଙ୍କୁ ବିଶ୍ବ ଐତିହ୍ୟ ସ୍ଥଳ ତାଜମହଲ ନେଇ ଯିବେ। ମୋଦୀ ଟ୍ରମ୍ପ୍‌ଙ୍କ ସହ ଆଗ୍ରା ଗସ୍ତରେ ରହିବେ ବୋଲି ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଥିଲା ତାକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଭାରତର ବରିଷ୍ଠ ପ୍ରତିନିଧି ଦଳ ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତ ସମୟରେ ଉପସ୍ଥିତ ରହିବା ନେଇ ଯୋଜନା ପ୍ରସ୍ତୁତ ହୋଇନଥିବା ସରକାରୀ ସୂତ୍ରରୁ କୁହାଯାଇଛି। ଟ୍ରମ୍ପ୍‌ ଆସନ୍ତା ୨୪ ତାରିଖ ୧୨.୩୦ରେ ଅହମଦାବାଦ୍‌ରେ ପହଞ୍ଚିବେ। ଏହାପରେ ମୋଦୀ ଏବଂ ଟ୍ରମ୍ପ୍‌ ୯ କିମି ରୋଡ୍‌ ସୋ କରି ପ୍ରାୟ ୨.୩୦ ସମୟରେ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିବେ। ଏଠାରେ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ୨ ରାଷ୍ଟ୍ରମୁଖ୍ୟ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଉଦ୍‌ବୋଧନ ଦେବେ। ତେବେ ଅହମଦାବାଦ୍‌ରୁ ଟ୍ରମ୍ପ୍‌ ଏବଂ ମେଲାନିଆ ସେହି ସମାନ ଦିନରେ ଆଗ୍ରା ଗସ୍ତ କରିବେ। ତେବେ ଟ୍ରମ୍ପ୍‌ଙ୍କ ଆଗ୍ରା ଗସ୍ତ ସମୟରେ ମୋଦୀ ଉପସ୍ଥିତ ରହିବା ପାଇଁ ହ୍ବାଇଟ୍‌ ହାଉସ୍‌ ଚାହୁଥିଲେ ମଧ୍ୟ ମୋଦୀ ଟ୍ରମ୍ପ୍‌ଙ୍କ ସହ ଆଗ୍ରା ଗସ୍ତ ସମୟରେ ଉପସ୍ଥିତ ନରହିବା ଚର୍ଚ୍ଚାର ବିଷୟ ହୋଇଛି।

ମେଲାନିଆଙ୍କ କାର୍ଯ୍ୟକ୍ରମରୁ ବାଦ୍‌ ପଡ଼ିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ୨୫ ତାରିଖରେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌କୁ ଗସ୍ତ କରିବେ। ମେଲାନିଆଙ୍କ ‘ବି ବେଷ୍ଟ୍‌ ଇନିସିଏଟିଭ୍‌ ’ କାର୍ଯ୍ୟକ୍ରମ ସେ ଏକ ସରକାରୀ ସ୍କୁଲ୍‌କୁ ଯିବେ। ମେଲାନିଆଙ୍କ ଗସ୍ତ ସମୟରେ ସ୍କୁଲ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆ ତାଙ୍କୁ ସ୍ବାଗତ କରିବେ ବୋଲି କୁହାଯାଉଥିଲା। ଆପ୍‌ ସରକାର ଦ୍ବାରା ଆରମ୍ଭ ହୋଇଥିବା ‘ହାପିନେସ୍‌ କରିକୁଲମ୍‌’ ସଂକ୍ରାନ୍ତରେ ବି ଉଭୟ କେଜ୍ରିୱାଲ୍‌ ଏବଂ ‌ସିସୋଦିଆଙ୍କ ଦ୍ବାରା ମେଲାନିଆ ଟ୍ରମ୍ପ୍‌ଙ୍କୁ ଅବଗତ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ଦିଲ୍ଲୀରେ ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମେଲାନିଆଙ୍କ ସ୍କୁଲ୍‌ କାର୍ଯ୍ୟକ୍ରମରୁ କେଜ୍ରିୱାଲ୍‌ ଏବଂ ସିସୋଦିଆଙ୍କ ନାମ ବାଦ୍‌ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଆଜି ସକାଳୁ ଏନେଇ ଅବଗତ କରାଯାଇଛି। ୨୦୧୮ରେ ଦିଲ୍ଲୀ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ହାପିନେସ୍‌ କରିକୁଲମ୍‌ କାର୍ଯ୍ୟକ୍ରମ ଉପରେ ମେଲାନିଆଙ୍କ ସ୍କୁଲ୍‌ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫୋକସ୍‌ କରୁଥିଲେ ବି ଅତିଥି ତାଲିକାରେ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ନାମ ନରହିବା ନେଇ ଏକପ୍ରକାର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର