ଉତ୍ତର ଆମେରିକାରେ ଉତ୍କଳ ଦିବସ

ବୋଷ୍ଟନ୍ : ଉତ୍ତର ଆମେରିକାରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାଜ୍‌(ଓସା)ର ଶାଖା ସଂଗଠନ ଓଡ଼ିଶା ସୋସାଇଟି ଅଫ୍‌ ନିଉ ଇଂଲଣ୍ଡ (ଓ.ଏସ.ଏନ.ଇ) ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ଉତ୍ସବସ୍ଥଳ ମାସାଚ୍ୟୁଟସର ଅକ୍ସଫୋର୍ଡ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବେ ସଜ୍ଜାଯାଇ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଓଡ଼ିଶା ଦିବସ ସାଙ୍ଗକୁ ଓ.ଏସ.ଏନ.ଇର ୪୦ତମ ବାର୍ଷିକ ଉତ୍ସବ ଏବଂ ଆଞ୍ଚଳିକ ନାଟକ ସମାରୋହ ଏକା ସାଙ୍ଗରେ ଆୟୋଜନ କରାଯାଇଥିଲା।

ପ୍ରଥମେ ଆମେରିକା ଓ ଭାରତର ଜାତୀୟ ସଙ୍ଗୀତ ଏବଂ ତା’ ପରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ ସମ୍ପ୍ରଦାୟ ବ୍ୟାପାର ଦାୟିତ୍ୱରେ ଥିବା କନସଲ୍ ଏ.କେ ବିଜୟକୃଷ୍ଣନ୍, ମିଲନ ସାଂସ୍କୃତିକ ସଂଘର ଅଧ୍ୟକ୍ଷ ସୁରେଶ ଶର୍ମା, ବିଶିଷ୍ଟ ବୈଜ୍ଞାନିକ ଓ ଲେଖକ ଡ. ଲକ୍ଷ୍ମୀ ପରିଡ଼ା ଏବଂ ନ୍ୟୁ-ଇଂଲଣ୍ଡ ଇସ୍କନ୍‌ କେନ୍ଦ୍ରର ମୁଖ୍ୟ ପ୍ରଭୁ ଶ୍ରୀ ସଦାନନ୍ଦ ଦାସ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ଓଏସ୍‌ଏନ୍‌ଇର ସଭାପତି ଡ. ବିଶ୍ୱଭୂଷଣ ସାହୁ ସ୍ବାଗତଭାଷଣରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟକୁ ଉତ୍ତର ଆମେରିକାରେ ଲୋକପ୍ରିୟ କରିବାରେ ତାଙ୍କ ସଙ୍ଗଠନର ବ୍ୟାପକ ଯୋଗଦାନ ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଏବଂ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ସମାବେଶକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ଏନ୍‌ଇର ପ୍ରତିଷ୍ଠାତା ସଦସ୍ୟ ଡ. ବିଜୟ ଏବଂ ସୁବର୍ଣ୍ଣା ମିଶ୍ର, ସତ୍ୟବ୍ରତ ଓ ବିଜୟଲକ୍ଷ୍ମୀ ମିଶ୍ର, ଡ. ବୁଦ୍ଧିନାଥ ଓ କଲ୍ୟାଣୀ ପାଢ଼ୀ ତଥା ଚନ୍ଦ୍ରଶେଖର ମହାନ୍ତି ପ୍ରମୁଖ ସମାବେଶରେ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସାର ନ୍ୟୁୟର୍କ ଓ ନ୍ୟୁଜର୍ସି ଅଧ୍ୟାୟର ସଭାପତି ନାଗେଶ ରାଜନାଲା ଏବଂ ପୂର୍ବତନ ସଭାପତି ବିଜୟ ମିଶ୍ର ଉପସ୍ଥିତ ଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀ ପରିସରରେ ଓଡ଼ିଶାର ହସ୍ତକଳା, ବୟନ ଶିଳ୍ପ ଏବଂ ଓଡ଼ିଆ ବହି ଷ୍ଟଲ୍‌ମାନ ଲଗା ଯାଇଥିଲା।

ସମ୍ବନ୍ଧିତ ଖବର