ପଟ୍ଟାମୁଣ୍ଡାଇରେ କେନ୍ଦ୍ରମନ୍ତ୍ରୀଙ୍କ ଅଖିମୁଠି ଅନୁକୂଳ: ଆସିଲେନି ବୈଜୟନ୍ତ, ଦ‌ୂରେଇ ରହିଲେ ଅଲେଖ

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ : ଯେତେ ତାଳିପକା ଉଦ୍ୟମ କରି ବି ସଫଳ ହେଲେନି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ପଟ୍ଟାମୁଣ୍ଡାଇ ଗସ୍ତ କାର୍ଯ୍ୟକ୍ରମ ବେଳେ ଦଳୀୟ କନ୍ଦଳ ପଦାକୁ ଫୁଟି ବାହାରିଲା। ପଟ୍ଟାମୁଣ୍ଡାଇରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦଳର ନଗର ସଭାପତିଙ୍କ ସମେତ ବହୁ ଛାମୁଆ ନେତା ଓ ଆଗଧାଡ଼ିର କର୍ମୀଙ୍କୁ ଦେଖିବାକୁ ମିଳିନାହିଁ। ଏପରିକି ମୁଖ୍ୟବକ୍ତା ଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କାର୍ଯ୍ୟକ୍ରମକୁ ଆସି ନାହାନ୍ତି। ଗୋଟିଏପଟେ ସ୍ଥାନୀୟ ବିଜେପି ନେତା ଅଲେଖ ଜେନାଙ୍କୁ ଅଣଦେଖା କରାଯାଇ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବିବାଦ ଥମି ନ ଥିବା ବେଳେ ଆଜି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ ବ୍ଲକ୍ ଓ ପୌରାଞ୍ଚଳର ବହୁ ଛାମୁଆ ନେତା ଓ ଆଗଧାଡ଼ିର କର୍ମୀ ନ ଆସିବା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଦେଇଛି।

ଜଳଶକ୍ତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ବିଶ୍ବେଶ୍ବର
ଅଲେଖଙ୍କ ସମର୍ଥକ ଖପ୍ପା, ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚା

ଶନିବାର ସଂଧ୍ୟାରେ କେନ୍ଦ୍ରାପଡ଼ାରେ ପହଞ୍ଚି ସର୍କିଟ୍‌ ହାଉସରେ ଅବସ୍ଥାନ କରିଥିଲେ କେନ୍ଦ୍ରମନ୍ତ୍ରୀ। ରବିବାର ସକାଳୁ ସେ ପଟ୍ଟାମୁଣ୍ଡାଇ ଗସ୍ତରେ ବାହାରିଥିଲେ। ପ୍ରଥମେ ଜୟଗୁରୁ ଆଶ୍ରମ ପରିଦର୍ଶନ କରିବା ପରେ ଏକ ଶୋଭାଯାତ୍ରାରେ ଯାଇ ଚୁନିଢ଼ିଅଠାରେ ଅଖି ମୁଠି ଅନୁକୂଳ କରିଥିଲେ। ଏହାପରେ କଷଣଅଣ୍ଟ‌ାଠାରେ ପତ୍ରପୁର-ବାଲିପାଟଣା ପାଟନାଳିର ଅବସ୍ଥା ଦେଖି ବାଲିପଡ଼ାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ଅନୁସୂଚିତ ଜନଜାତି ଓ କୃଷକଙ୍କୁ ନେଇ ହୋଇଥିବା ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତାକୁ କଡ଼ା ସମାଲୋଚନା କରିଥିଲୋ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ କହିଥିଲେ,  ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ଜଳଶକ୍ତିର ବିକାଶ ହୋଇପାରୁ ନାହିଁ। ନଦୀ ଓ ବର୍ଷା ଜଳ ସଂଚୟ ଓ ଏହାର ବିନିଯୋଗ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରୁନାହାନ୍ତି।

ତେବେ, ଏହି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଥିଲା। ରାଜନଗର ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ହେଉଥିବା ବେଳେ ସ୍ଥାନୀୟ ବିଜେପି ନେତା ଅଲେଖ ଜେନାଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଯାଇଥିଲା ା କାର୍ଡରେ ତାଙ୍କ ନାଁ ରଖାଯାଇ ନଥିଲା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ନାଁ ରହିଥିଲା। ତେବେ,  କାର୍ଯ୍ୟକ୍ରମ ବାବଦରେ ତାଙ୍କୁ ଅବଗତ କରାଯାଇ ନଥିବା ଅଲେଖ ଅଭିଯୋଗ କରିଥିଲେ। ଏଭଳି ସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଆସିଥିବା ବେଳେ ମୁଖ୍ୟବକ୍ତା ଥିବା ଶ୍ରୀ ପଣ୍ଡା ଅନୁପସ୍ଥିତ ରହିଥିଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ କାର୍ଡ ଛପାଯାଇଥିଲା, ସେଥିରେ ନିବେଦକ ପଟ୍ଟାମୁଣ୍ଡାଇ ନଗର ଥିଲା। କିନ୍ତୁ, କ‌ାର୍ଯ୍ୟକ୍ରମରେ ଖୋଦ୍ ନଗର ସଭାପତି ବିଶ୍ବରଂଜନ ପାତ୍ର ବି ଅନୁପସ୍ଥିତ ରହିଛନ୍ତି। ତାଙ୍କ ସହିତ ରାଜନଗର ନିର୍ବାଚନମଣ୍ଡଳୀ ସଂଯୋଜକ ଦିଲ୍ଲୀପ ରାଉତଙ୍କ ସମେତ ପଟ୍ଟାମୁଣ୍ଡାଇ ଓ ରାଜନଗର ମଣ୍ଡଳର ବହୁ କର୍ମକର୍ତ୍ତା, ଜିଲ୍ଲାପରିଷଦ ପ୍ରାର୍ଥୀ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନେଇ କେନ୍ଦ୍ରାପଡ଼ାରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ, ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପ୍ରଭାରୀ ସୁନାକାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ  ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପ୍ରାକ୍ତନ ସଭାପତି ମହେଶ୍ୱର ସାହୁ, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଜେପି ନେତା ରଶ୍ମିରଞ୍ଜନ ପ୍ରଧାନ, ସୁନାକାର ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ସଞ୍ଜୟ ସାହୁ, କୃଷ୍ଣଚନ୍ଦ୍ର ପଣ୍ଡା, ଡ.କଳ୍ପନା ମଲିକ, ଦୁର୍ଗାପ୍ରସନ୍ନ ନାୟକ, ସମୀର ପାତ୍ର, ସଂଗଠକ ଅଜୟ ବେହେରା, ଶଶିକାନ୍ତ ସ୍ୱାଇଁ, ଲଳିତ ବେହେରା, ସୁଶୀଲ ପରିଡା, ନୃସିଂହ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର