ସ୍ତ୍ରୀ କହିଥିବା ସଉଦା ଆଣିବାକୁ ତେଜରାତି ଷ୍ଟୋର୍‌କୁ ଯାଇଥିଲେ ସ୍ବାମୀ; ଲଟେରିରେ ଜିଣିଲେ ଦେଢ଼ କୋଟି ଟଙ୍କା

ମିସିଗାନ୍‌ (ଆମେରିକା): ସଉଦା ପାଇଁ ତେଜରାତି ଷ୍ଟୋର୍‌କୁ ଯାଇ ଲଟେରି ଟିକେଟ୍‌ କିଣିଥିବା ମିସିଗାନ୍‌ର ଜଣେ ବ୍ୟକ୍ତି ପ୍ରାୟ ଦେଢ଼ କୋଟି ଟଙ୍କା ଜିଣିଥିବା ଖବର ବିଶ୍ବର ପ୍ରମୁଖ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୈନିନ୍ଦିନ ଅଫିସ୍‌ କାମ ଶେଷ କରୁଥିବା ବେଳେ ମିସିଗାନ୍‌ବାସୀ ପ୍ରିସ୍‌ଟନ୍‌ ମାକି ତେଜରାତି ଦୋକାନ ଯାଇ କିଛି ସଉଦାପତ୍ର ଆଣିବାକୁ ସ୍ତ୍ରୀଙ୍କଠାରୁ ମେସେଜ୍‌ ପାଇଲେ। ତେଣୁ, ଘରକୁ ଫେରିବା ବାଟରେ ପଡୁଥିବା ‘ମିଜେର୍‌ ସପ୍‌’ ନାମକ ତେଜରାତି ଷ୍ଟୋର୍‌ ନିକଟରେ ସେ ଅଟକିଲେ। ସଉଦା କିଣିବା ବେଳେ ସେଠାରେ ବିକ୍ରୟ ହେଉଥିବା ‘ଫାଣ୍ଟାସି ୫’ ଲଟେରି ଟିକେଟ୍‌ ମଧ୍ୟ କିଣି ପକାଇଲେ। ସନ୍ଧ୍ୟା ବେଳକୁ ବିଜୟୀ ହୋଇଥିବା ଲଟେରି ଟିକେଟ୍‌ଗୁଡ଼ିକର ତାଲିକା ବାହାରିଲା, ଏବଂ ସକାଳେ ମାକି କିଣି ଥିବା ଟିକେଟ୍‌ ନମ୍ବର ତାଲିକାରେ ପ୍ରକାଶିତ ନମ୍ବର ସହିତ ମିଳାଇ ଦେଖିଲା ବେଳକୁ ତାଙ୍କର ‘୦୫-୧୨-୧୬-୧୭-୨୯’ ଟିକେଟ୍‌ଟି ସେଥିରେ ଅଛି। ସେ ଟିକେଟ୍‌ ବାବଦକୁ ତାଙ୍କୁ ୧୯୦,୭୩୬ ଡଲାର୍‌ ବା ଭାରତୀୟ ମୁଦ୍ରା ହିସାବରେ ଟ. ୧,୫୫,୫୫,୦୨୬.୨୫ ମିଳିବ।

Image Courtesy of Indiatimes

‘ମିସିଗାନ୍‌ ଲଟେରି’ କର୍ତ୍ତୃପକ୍ଷଙ୍କୁ ୪୬ ବର୍ଷିୟ ପ୍ରିସ୍‌ଟନ୍‌ ମାକି କହିଛନ୍ତି ଯେ, ସ୍ତ୍ରୀଙ୍କଠାରୁ ମେସେଜ୍‌ ପାଇ ନ ଥିଲେ ସେ ମାର୍କ୍ୟୁଟିସ୍ଥିତ ‘ମିଜେର୍‌ ଷ୍ଟୋର୍‌’ରୁ ‘ଫାଣ୍ଟାସି ୫’ ଟିକେଟ୍‌ କିଣି ନ ଥାନ୍ତେ।

ସେ କହନ୍ତି, ଦିନକର କାମ ଶେଷ କରୁଥିବା ବେଳେ ସ୍ତ୍ରୀ ଟେକ୍‌ଷ୍ଟ୍‌ ମେସେଜ୍‌ କଲେ କି, ଘରକୁ ଫେରିବା ବାଟରେ ତେଜରାତି ଷ୍ଟୋର୍‌ରୁ କିଛି ସଉଦାପତ୍ର କିଣି ଆଣିବ। ଲଟେରି ଅର୍ଥ ୨୦୦,୦୦୦ରୁ ଅଧିକ ଡଲାର୍‌ ହୋଇ ନ ଥିଲେ ମୁଁ ସାଧାରଣତଃ ‘ଫାଣ୍ଟାସି ୫’ ଖେଳେ ନାହିଁ। କିନ୍ତୁ, ସେଦିନ ଦେଖିଲି ଟିକେଟ୍‌ ବିକ୍ରୟ ସମୟ ଶେଷ‌ ହୋଇ ଆସିଲାଣି। ତେଣୁ, ୫ଟି ଟିକେଟ୍‌ କିଣିବାକୁ ମନସ୍ଥ କଲି।

ତହିଁ ଆର ଦିନ ସକାଳେ ମୁଁ ରୋଷେଇ ଘରେ ଥିବା ବେଳେ ଉକ୍ତ ଲଟେରିର ମୋବାଇଲ୍‌ ଆପ୍‌ରେ କିଣିଥିବା ଟିକେଟ୍‌ ସ୍କାନ୍‌ କରି ଜାଣିଲି ମୁଁ ଜିଣିଛି। ଜିଣିଥିବା ଅର୍ଥରୁ କିଛି ବିନିଯୋଗ କରିବି ଓ କିଛି ପରିବାର ଲୋକଙ୍କୁ ଦେବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର