ମହିଳା ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ କୌଣସି ମହିଳାଙ୍କ ପ୍ରତି ଗୋଟିଏ ଅପରାଧ ମଧ୍ୟ ଲଜ୍ଜାଜନକ: ସୌଗତ ରାୟ

କୋଲାକାତା: ନଦିଆ ଦୁଷ୍କର୍ମ ଘଟଣାକୁ ନେଇ ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଏବେ ତାଙ୍କୁ ଭାରୀ ପଡ଼ିବାରେ ଲାଗିଛି। ବିରୋଧୀଙ୍କ ସମେତ ଏବେ ନିଜ ଦଳର ନେତାମାନେ ମଧ୍ୟ ଦିଦିଙ୍କ ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଛନ୍ତି। ଟିଏମସି ସାଂସଦ ସୌଗତ ରାୟ କହିଛନ୍ତି ଯେ, ମହିଳା ମୁଖ୍ୟମନ୍ତ୍ରୀ ଥିବା ରାଜ୍ୟରେ କୌଣସି ମହିଳାଙ୍କ ପ୍ରତି ଗୋଟିଏ ଅପରାଧ ମଧ୍ୟ ଲଜ୍ଜାଜନକ।

indiatoday

ତାଙ୍କ କହିବା ମୁତାବକ, ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପାଇଁ ସମସ୍ତେ ଅତ୍ୟଧିକ ଚିନ୍ତିତ। ଏହି ବିଷୟଗୁଡିକରେ ଆମର ଶୂନ୍ୟ ସହନଶୀଳତା ରହିବା ଜରୁରୀ। ଯଦି ଏଭଳି କୌଣସି ଘଟଣା ଘଟେ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ମହିଳା, ତାଙ୍କ ନେତୃତ୍ୱରେ ଏପରି ଏକ ଅପରାଧ ଆମ ସମସ୍ତଙ୍କ ପାଇଁ ଲଜ୍ଜାଜନକ ଅଟେ। ମୁଁ ଆଶା କରୁଛି ପୁଲିସ ଏବଂ ପ୍ରଶାସନ ଏକଥାକୁ ଧ୍ୟାନରେ ରଖି କାମ କରିବେ।

ଉଲ୍ଲେଖଯୋଗ୍ୟ, ନାଦିଆ ଜିଲ୍ଲାରେ ନାବାଳିକା ସହ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ଦିଦି କହିଥିଲେ ଯେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା। ଏହି ଘଟଣାର ତଦନ୍ତ ପାଇଁ ମୁଁ ପୁଲିସକୁ ନିର୍ଦ୍ଦେଶ ଦେଇଛି।

ସେ ଆହୁରି କହିଥିଲେ, ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ। ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା।

ସମ୍ବନ୍ଧିତ ଖବର