ଉତ୍ପାଦନ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ କୋଭାକ୍ସିନ ଟିକାକୁ ବ୍ୟବହାର କରିହେବ, ସେଲଫ ଲାଇଫ ବଢାଇଲା ସିଡେସକୋ

ହାଇଦ୍ରାବାଦ : ଭାରତରେ ନିର୍ମିତ କରୋନା ଟିକା କୋଭାକ୍ସିନର ସେଲଫ ଲାଇଫକୁ ୧୨ ମାସ ପର୍ଯ୍ୟନ୍ତ ବଢାଇଦେଇଛନ୍ତି ଔଷଧ ନିୟନ୍ତ୍ରକ ‘କେନ୍ଦ୍ରୀୟ ଓଷଧ ମାନକ ନିୟନ୍ତ୍ରକ ସଂଗଠନ’ (ସିଡେସକୋ) । ଏହାର ଅର୍ଥ ହେଉଛି ଉତ୍ପାଦନ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ କୋଭାକ୍ସିନର ଗୁଣବତ୍ତା ଅନୁମୋଦିତ ସ୍ତରରେ ରହିବ  । ଭାରତ ବାୟୋଟେକ ପକ୍ଷରୁ ପ୍ରଦାନ କରାଯାଇଥିବା ଅତିରିକ୍ତ ଷ୍ଟାବିଲିଟି ଡାଟାକୁ ଅନୁଶୀଳନ କରି ସିଡେସକୋ ଏହି ପଦକ୍ଷେପ ନେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋଟିଏ ଔଷଧର ସେଲଫ ଲାଇଫ ଓ ଏକ୍ସପାରି ତାରିଖ ମଧ୍ୟରେ କିଛିଟା ଫରକ ରହିଛି । ସେଲଫ ଲାଇଫର ଅର୍ଥ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଗୋଟିଏ ଔଷଧର ରହୁଥିବା ଗୁଣବତ୍ତା ବା କ୍ବାଲିଟି । ଅନ୍ୟପକ୍ଷରେ ଏକ୍ସପାରିର ଅର୍ଥ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଗୋଟିଏ ଔଷଧର ରହୁଥିବା ଗୁଣବତ୍ତା ବା କ୍ବାଲିଟି ଏବଂ ନିରାପତ୍ତା ।

Image Courtesy of Zee News

କୋଭାକ୍ସିନର ସେଲଫ ଲାଇଫକୁ ୬ରୁ ୨୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଭାରତ ବାୟୋଟେକ ଚଳିତ ବର୍ଷ ଏପ୍ରିଲ ମାସରେ ସିଡେସକୋ ନିକଟରେ ଆବେଦନ କରିଥିଲା । ନିଜର ଏହି ଆବଦେନ ସମର୍ଥନରେ ଭାରତ ବାୟୋଟେକ ପକ୍ଷରୁ ସିଡେସକୋକୁ ରିଅଲ ଟାଇମ ଷ୍ଟାବିଲିଟି ଡାଟା ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ କମିଟି କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରସ୍ତାବ ଉପରେ ନିଜର ନିଷ୍ପତ୍ତି ଘୋଷଣା କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ କୋଭାକ୍ସିନକୁ ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ବିକଶିତ କରିଛି ।

ସମ୍ବନ୍ଧିତ ଖବର