ମାମଲାର ସଫଳ ପରିଚାଳନା ପାଇଁ ପିପି ଓ ଆଇଓ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ମାମଲାର ସଫଳ ପରିଚାଳନା ପାଇଁ ଅପରାଧୀକୁ ଦଣ୍ଡ ମିଳି ପାରିଛି। ଏଭଳି ଦୁଇଟି ମାମଲାରେ ସଫଳତା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଅତିରିକ୍ତ କମିସନର ଅନୁପ କୁମାର ସାହୁ ଅତିରିକ୍ତ ପିପି ଓ ମାମଲାଗୁଡ଼ିକର ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କୁ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ଦ୍ବାରା ସେମାନଙ୍କ ମନୋବଳ ବଢ଼ିବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଉଭୟ ଅତିରିକ୍ତ ପିପି ଓ ଆଇଓ ମତବ୍ୟକ୍ତ କରିଛନ୍ତି।

ପ୍ରକାଶ ଥାଉକି, ୨୦୧୩ ମସିହାରେ ଅବସରପ୍ରାପ୍ତ ସେନା ଡାକ୍ତର ସୋମନାଥ ପରିଡ଼ା ତାଙ୍କ ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ହତ୍ୟା କରିଥିଲେ। ହେଲେ ସମସ୍ତ ପ୍ରମାଣ ଲିଭାଇ ଦେବାକୁ ଚେଷ୍ଟା କରିଥିଲେ। ମାମଲାରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିଲେ। ଏଣୁ ପ୍ରମାଣ ଯୋଗାଡ଼ କରିବାରେ ତତ୍‌କାଳୀନ ନୂଆପଲ୍ଲୀ ଥାନା ଏସିପି ତଥା ବର୍ତ୍ତମାନର ପାରାଦୀପ ଅତିରିକ୍ତ ଏସ୍‌ପି ଭାବରେ କାର୍ଯ୍ୟରତ ବିଷ୍ଣୁ ଚରଣ ମିଶ୍ରଙ୍କୁ କାଠିକର ପାଠ ହୋଇଥିଲା। ତଥାପି ସେ ଯୋଗାଡ଼ କରିଥିବା ପ୍ରମାଣ ଓ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଶରଦ ଚନ୍ଦ୍ର ସାମନ୍ତଙ୍କ ସଫଳ ପରିଚାଳନା ବଳରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ସେହିଭଳି ୨୦୧୮ ମସିହାରେ ଚନ୍ଦନ ମଲ୍ଲିକ ଶ୍ବଶୁର ଅଭିମନ୍ୟୁ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସଙ୍କଟାପନ୍ନ ଅବସ୍ଥା‌ରେ ତାଙ୍କୁ ଏସ୍‌ସିବି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତତ୍‌କାଳୀନ ଆଇଓ ଏୟାରଫିଲ୍ଡ ଥାନାର ଏସ୍‌ଆଇ ତଥା ବର୍ତ୍ତମାନର ରାଜନଗର ଥାନା ଏସ୍‌ଆଇ ଅଜୟ ସାହୁଙ୍କ ଉଦ୍ୟମ ବଳରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଥିଲା। ଅତିରିକ୍ତ ପିପି ସଲିଳ ପ୍ରଧାନଙ୍କ ପରିଚାଳନା ବଳରେ ଅଭିଯୁକ୍ତ ଚନ୍ଦନକୁ ଆଜୀବନ କାରାଦଣ୍ଡ ହୋଇ ପାରିଛି।

ସମ୍ବନ୍ଧିତ ଖବର