ଟାଭେରାରୁ ମିଳିଲା ୧ କ୍ବିଣ୍ଟାଲ ଗଞ୍ଜେଇ, ଜଣେ ଗିରଫ

ବାଲିଅନ୍ତା: ଆଜି ସଂଧ୍ୟା ପ୍ରାୟ ୫ଟା ବେଳେ ଭୁବନେଶ୍ବର-ବନମାଳୀପୁର ରାସ୍ତାରେ ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ପୁଲିସ ଏକ ଗଞ୍ଜେଇ ଭର୍ତ୍ତି ଟାଭେରା ଜବତ କରିଛି। ଗାଡ଼ିରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ଓ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗାଡ଼ି ଚାଳକକୁ ଗିରଫ କରାଯାଇଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କାରେ ଗିରଫ ଚାଳକର ନାମ ପ୍ରକାଶ କରାଯାଇନାହିଁ। ତେବେ ଏହି କାରବାର ମୁଖ୍ୟକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। କିନ୍ତୁ ଗାଡ଼ି ଚାଳକ ଜରିଆରେ ପୁଲିସ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ‌ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନାନୁସାରେ ବାଳକାଟି, ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର କିଛି ବଡ଼ ବେପାରୀ ଏହି କାରବାରରେ ସମ୍ପୃକ୍ତ ବୋଲି ପୂର୍ବରୁ ଜଣାଶୁଣା କଥା। ଗଞ୍ଜାମ, କନ୍ଧମାଳ, ଫୁଲବାଣୀ, ମାଲକାନାଗିରି, କୋରାପୁଟ ଏବଂ ଚିତ୍ରକୋଣ୍ଡା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଏହି ଅଞ୍ଚଳକୁ ଚାଲାଣ ହୋଇଆସୁଛି। ଜଟଣୀର ଜଣେ ମାଫିଆ ଏହି ଅଞ୍ଚଳକୁ ହେଉଥିବା ମାଲ୍ ଚାଲାଣର ମୁଖ୍ୟ ବୋଲି ଜଣାପଡ଼ିଛି। ଆଜି ମାଲ୍‌ ନେଇ ଏକ ଗାଡ଼ି ବାଲିପାଟଣା ଅଭିମୁଖେ ଯାଉଥିବା ଖବର ପାଇ ସ୍ପେସାଲ୍‌ ସ୍କ୍ବାଡ୍‌ ସେଠା‌ରେ ଛକି ବସିଥିଲା। ଗାଡ଼ିଟି ମନ୍ଦିର ପାଖରେ ପହଞ୍ଚିବା ମାତ୍ରେ ଜଗିଥିବା ପୁଲିସ ଟିମ୍ ରାସ୍ତା ଉପରକୁ ଆସି ତାକୁ ଘେରି ଯାଇଥିଲେ ଓ ଗାଡ଼ିର ଚାଳକକୁ ବାଳକାଟି ଫାଣ୍ଡିକୁ ନେଇ ଅଟକ ରଖିଥିଲେ। ତେବେ ପୁଲିସର ଏହି ଚଢ଼ଉକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଚର୍ଚ୍ଚା ହେଉଛି। ପୁଲିସ ଚତୁରତାର ସହ ଗାଡ଼ିକୁ ପିଛା କରିଥିଲେ ହୁଏତ ମାଲ୍ ବରାଦ କରିଥିବା ସ୍ଥାନୀୟ ଅଞ୍ଚଳର ବଡ଼ ବେପାରୀ ପୁଲିସ କବ୍‌ଜାକୁ ଆସିପାରିଥାନ୍ତା। କିନ୍ତୁ ଆଜିର ଚଢ଼ଉରେ କେବଳ ଗାଡ଼ି ଚାଳକ ଗିରଫ ହେଲା। ପୁଲିସର ଏହି ପଦ‌କ୍ଷେପ ସିଧାସଳଖ ବେପାରୀକୁ ସୁହାଇଲା ବୋଲି ଲୋକେ ଆଲୋଚନା କରୁଛନ୍ତି। ଯଦି ଗାଡ଼ି ଚାଳକଠାରୁ ତଥ୍ୟ ହାସଲ କରି ପୁଲିସ ମୁଖିଆ ବେପାରୀକୁ ଠାବ କଲା, ତେବେ ସ୍ପେସାଲ୍‌ ସ୍କ୍ବାଡ୍‌ର ପଦ‌କ୍ଷେପ ପ୍ରଶଂସନୀୟ ହେବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

ସମ୍ବନ୍ଧିତ ଖବର