୧୬ ନମ୍ବର ଜୋନ୍‌ରେ ଚତୁର୍ମୁଖୀ ଲଢ଼େଇ: ‌ପ୍ରଚାର ମଇଦାନରେ ହେଭିୱେଟ୍‌ ନେତା

ବାଲିଅନ୍ତା: ୧୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଏଥର ଚତୁର୍ମୁଖୀ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଟକ୍କର୍‌ ଚାଲିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ତ୍ରୈଲୋକ୍ୟ ମଙ୍ଗରାଜ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ରୋଡ୍‌ ସୋ’‌ରେ ସେ ବିଭିନ୍ନ ପଞ୍ଚାୟତ ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି। ହେଭି-ୱେଟ୍‌ ନେତାମାନେ ମଇଦାନକୁ ଓହ୍ଲାଇଥିବାରୁ ଜୋରଦାର ପ୍ରଚାର ଚାଲିଛି। ଗତକାଲି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ବାଲିଅନ୍ତା, ବେଣୁପୁର, ଭୁବନପୁର ଏବଂ ବଇଁଚୁଆ ଆଦି ଗ୍ରାମରେ ବିଜେଡି ପ୍ରାର୍ଥୀ ମହେଶ୍ବର ଦାଶଙ୍କ ସପକ୍ଷରେ ଭୋଟ୍‌ ପ୍ରଚାର କରିଥିଲେ। ବାଲିଅନ୍ତା ପଞ୍ଚାୟତରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ପରେ ଶ୍ରୀ ରାଉତ ଉପରୋକ୍ତ ୱାର୍ଡରେ ପ୍ରଚାର କରିଥିଲେ। ଶ୍ରୀ ରାଉତଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ୍‌ ଅଭିନେତା ସମ୍ବିତ ଆଚାର୍ଯ୍ୟ, ଜୟଦେବ ପର୍ଯ୍ୟବେକ୍ଷକ ଅମରେଶ ଜେନା, ବ୍ଲକ୍‌ ସଭାପତି ପ୍ରଦୀପ୍ତ ଜେନାମଣି ଏବଂ ପଞ୍ଚାୟତ ସଭାପତି ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବଡ଼ କଥା ହେଉଛି, ଜୟଦେବ ନିର୍ବାଚନମଣ୍ଡଳୀରେ ବାହାର ନିର୍ବାଚନ ମଣ୍ଡଳୀର ବିଧାୟକ ଏବଂ ନେତା ପ୍ରଚାର କରୁଥିବା ବେଳେ ସ୍ଥାନୀୟ ବିଧାୟକ ଡ. ଅରବିନ୍ଦ ଢାଲିଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁ ନାହିଁ। ଦଳ ବିଧାୟକଙ୍କୁ ଉପେକ୍ଷା କରି ବିଜେଡିର ଅନ୍ୟ ନେତୃତ୍ବଙ୍କୁ ଟିକେଟ୍‌ ଦେଇଥିବାରୁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଟିକେଟ୍‌ ବଣ୍ଟନ ଦାୟିତ୍ବରେ ଥିବା କମଳ ପାତ୍ର ଦୀର୍ଘ ଦିନ ଧରି ଦଳରେ ଅଲୋଡ଼ା ହୋଇ ପଡ଼ିଥିବା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ପଟ୍ଟନାୟକ, ଯୋଗେନ୍ଦ୍ର ନାଥ ପଣ୍ଡା ଏବଂ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚୌଧୁରୀ ବିଜୟକୃଷ୍ଣ ଦାଶଙ୍କୁ ସହାୟତାରେ ପ୍ରଚାର ଚଳାଇଛନ୍ତି।

ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ପ୍ରାର୍ଥୀ ସିଦ୍ଧେଶ୍ବର ନାଥଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀଙ୍ଗ ପରେ ଅନ୍ୟ କୌଣସି ବଡ଼ ନେତା ପ୍ରଚାରକୁ ନ ଆସିବାରୁ ଏହା କର୍ମୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଅନୁରୂପ ଭାବେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମହମ୍ମଦ ସମ୍ମଦଙ୍କ ସପକ୍ଷରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆସନ୍ତାକାଲି (୨୦ ତାରିଖରେ) ପ୍ରଚାର କରିବେ ବୋଲି ବାଲିପାଟଣା ବ୍ଲକ ସଭାପତି ବଟକୃଷ୍ଣ ରାଉତରାୟ କହିଛନ୍ତି। ଶ୍ରୀ ରାଉତରାୟ ପ୍ରଚାର ମଇଦାନକୁ ଓହ୍ଲାଇବା ଖବର କଂଗ୍ରେସ ପ୍ରାର୍ଥୀ ଏବଂ କର୍ମୀଙ୍କୁ ବେଶ ଉତ୍ସାହିତ କରିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ତ୍ରୈଲୋକ୍ୟ ମଙ୍ଗରାଜ ଆଜି ବେଣୁପୁର, ବାଲିଅନ୍ତା, ବଇଁଚୁଆ, ଜଗନ୍ନାଥପୁର ପଞ୍ଚାୟତରେ ରୋଡ୍‌ ସୋ’ କରି ଭୋଟ୍‌ ଭିକ୍ଷା କରିଥିଲେ।

ସମ୍ବନ୍ଧିତ ଖବର