ଦେଢ଼ କୋଟି ଠକେଇ ଘଟଣା: ୨୦ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ବଢ଼ୁଛି ଅଭିଯୋଗକାରୀଙ୍କ ସଂଖ୍ୟା, ବଢ଼ିପାରେ ରିମାଣ୍ଡ ଅବଧି

ଭୁବନେଶ୍ବର: ବର୍ଷକରେ ଦୁଇଗୁଣ ଟଙ୍କା ଦେବାର ଲୋଭ ଦେଖାଇ କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଦେବାଶିଷ ମହାପାତ୍ର ଓରଫ ବୁବୁର ଗୁମର ଖୋଲିବାରେ ଲାଗିଛି। ଆଜିଠାରୁ ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ ଦୁଇଦିନିଆ ରିମାଣ୍ଡରେ ଆଣିଥିବା ବେଳେ ତା’ କଳା କାରନାମା ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି। ସେ କେଉଁଠୁ ଟଙ୍କା ଆଣୁଥିଲା? କେମିତି ଲୋକଙ୍କୁ ଠକୁଥିଲା? ତା’ ସହ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଏ ସଂପର୍କରେ ପୁଲିସ ଆଜି ତାକୁ ‌ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛି। ଜେରା ବେଳେ ଅନେକ ତଥ୍ୟ ପୁଲିସ ହାତରେ ଲାଗିଛି।

ଅପରପକ୍ଷେ ପୁଲିସ୍‌ ଆଜି ଶିଶୁପାଳଗଡ଼ ଗାୟତ୍ରୀବିହାରସ୍ଥିତ ତା’ ଘରେ ଚଢ଼ଉ କରି ୨୦ ଲକ୍ଷ ଟଙ୍କାର ଦୁଇଟି କାର୍‌ ମାରୁତି ସ୍ବିଫ୍ଟ ଓ ବ୍ରିଜା ଜବତ କରିଛି। ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ପୁଲିସର ବୁବୁର ୨ ମହଲା ଘରେ ଚଢ଼ଉ କରିବାକୁ ଯାଇଥିଲା। ଘର ତାଲା ପଡ଼ିଥିବାରୁ ପରିବାରଲୋକ ଆସିବାକୁ ଅପେକ୍ଷା କରିଥିଲା। କିନ୍ତୁ ଦିନ ସାଢ଼େ ୨ଟା ପର୍ଯ୍ୟନ୍ତ କାହାରି ଦେଖା ନ ମିଳି ନଥିଲା। ତେଣୁ ପୁଲିସ୍‌ ଘରେ ପଶି ପାରିନଥିଲା। ଖାଲି କାର୍‌ ଦୁଇଟିକୁ ଜବତ କରି ଫେରିଥିଲା।

ଅପରପକ୍ଷେ ବୁବୁ ଗିରଫ ହେବା ପରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ତା’ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହୋଇ ଚାଲିଛି। ଶୁକ୍ରବାର ତା’ ବିରୋଧରେ ଆହୁରି ନୂଆ ୫ ଅଭିଯୋଗ ଯୋଡ଼ି ହୋଇଛି। ତେଣୁ ତାକୁ ପୁଣିଥରେ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି। ଦରକାର ପଡ଼ିଲେ ରିମାଣ୍ଡ ଅବଧିକୁ ବଢ଼ାଇବା ପାଇଁ ଆବେଦନ କରାଯିବ ବୋଲି ଏସିପି ରଜତ ରାୟ କହିଛନ୍ତି।

ଚେନ୍‌ ସିଷ୍ଟମ୍‌ରେ ଲୁଟୁଥିଲା

ଲୋକମାନଙ୍କୁ ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ଚେନ୍‌ ସିଷ୍ଟମ୍‌ରେ ଯୋଡ଼ୁଥିଲା। ଯେଉଁମାନେ ପୁଞ୍ଜି ନିବେଶ କରୁଥିଲେ ସେମାନଙ୍କୁ ସେମାନଙ୍କ ନିବେଶର ୯ ପ୍ରତିଶତ ମାସକୁ ସୁଧ ଏବଂ ଦୁଇଗୁଣ ଟଙ୍କା ଛାଡ଼ି; କିଭଳି ଅଧିକ ରୋଜଗାର କରିବେ ବାଟ ବତାଉଥିଲା। ସେମାନେ ଯଦି ୪ଜଣ ନିବେଶକାରୀଙ୍କୁ ଯୋଡ଼ିବେ, ସେମାନଙ୍କୁ ନିବେଶ ପୁଞ୍ଜିର ମାସକୁ ୧୮ ପ୍ରତିଶତ ସୁଧ ଦେବାକୁ କହିଥିଲା। ସେମାନଙ୍କ ବିଶ୍ବାସ ଜିଣିବା ପାଇଁ ପ୍ରଥମ କିଛି ମାସ ସୁଧ ଦେଉଥିଲା।

ବାପା ମା’ ଫେରାର୍‌, ଭଙ୍ଗାଯିବ ଘର ତାଲା
ପୁଲିସ ଚଢ଼ଉ କରିବା କଥା ଜାଣିବା ପରେ ବୁବୁର ବାପା, ମା’ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ଆଜୁ ପୁଲିସ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୁବୁ ଘରେ ଡେରା ପକାଇଥିଲେ ବି କେହି ପରିବାରଲୋକ ଆସି ନଥିଲେ। ଘରେ ଅନେକ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଟଙ୍କା କିମ୍ବା ସୁନାଗହଣା ଥାଇପାରେ। ତାଲା ପଡ଼ିଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ତେଣୁ ତାଲାଭାଙ୍ଗି ଘରେ ଚଢ଼ଉ ପାଇଁ ପୁଲିସ କୋର୍ଟରେ ଆବେଦନ କରିବ।

ବାପା ପିଡବ୍ଲ୍ୟୁଡିର କର୍ମଚାରୀ
ବୁବୁର ବାପା ଜଣେ ପିଡବ୍ଲ୍ୟୁଡି ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡ଼ିଛି। ତେଣୁ ଭୁବନେଶ୍ବରରେ ତାଙ୍କର ୨ ମହଲା କୋଠାକୁ ନେଇ ପୁଲିସର ସନ୍ଦେହ ବଢ଼ିଛି। ଏତେ ଟଙ୍କା ଆସିଲା କେଉଁଠୁ? କୋଠାରେ ଠକେଇ ଟଙ୍କା ଲାଗିଛି କି? କୋଠା କେବେ ନିର୍ମାଣ ହୋଇଛି? ତେଣୁ ଉକ୍ତ ଘର ତଦନ୍ତ ପରିସରଭୁକ୍ତ ହୋଇପାରେ ବୋଲି କୁହାଯାଉଛି।

ମାଳମାଳ ଆକାଉଣ୍ଟ, ଟଙ୍କା ଶୂନ
ବୁବୁ ଲୋକଙ୍କୁ ଚୂନ ଲଗାଇବା ପାଇଁ ବିଭିନ୍ନ ବ୍ୟାଙ୍କର ଏକାଧିକ ଆକାଉଣ୍ଟ ବ୍ୟବହାର କରୁଥିଲା। ଏଚ୍‌ଡିଏଫ୍‌ସିରେ ୨ଟି, ଏସ୍‌ବିଆଇ, ଆଇସିଆଇସିଆଇ, ଆକ୍ସିସ୍‌, କୋଟାକ୍ ଭଳି ବ୍ୟାଙ୍କରେ ଆକାଉଣ୍ଟ ରହିଛି। ସମସ୍ତ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଛି। ହେଲେ ଗୋଟିଏ ବି ଆକାଉଣ୍ଟରେ ଏବେ ଟଙ୍କା ନାହିଁ। ବୁବୁ ଚତୁରତାର ସହ ସମସ୍ତ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛି। ତେବେ ସେ ଟଙ୍କା କେଉଁଠି ବିନିଯୋଗ ହୋଇଛି? ନା ଅନ୍ୟ କୌଣସି ଆକାଉଣ୍ଟରେ ଅଛି? ନା ଜମିବାଡ଼ି କିମ୍ବା କୌଣସି ସଂସ୍ଥାରେ ନିବେଶ ହୋଇଛି? ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର