ସଫେଇ ପାଇଁ ୨୭୫୧ କର୍ମଚାରୀ, ୫୧୬ ଗାଡ଼ି

ବଦଳିଲେ ନଗର ସ୍ବାସ୍ଥ୍ୟ ଅଧିକାରୀ

ଭୁବନେଶ୍ବର : ରାଜଧାନୀରେ ଏବେ ଚାରିଆଡ଼େ କୁଢ଼କୁମ ଆବର୍ଜନା ଗଦା ହୋଇଥିବାବେଳେ ସବୁଠି ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗଛ ଏବଂ ଭାଙ୍ଗି ଯାଇଥିବା ଗଛର ଡାଳ, ପତ୍ର ଆଦି ପଡ଼ିଛି। ଏଗୁଡ଼ିକ ସଢ଼ି ଯାଇଥିବାରୁ ପୁତିଗନ୍ଧମୟ ପରିବେଶ ‌ସୃଷ୍ଟି ହେଲାଣି। ଏପରିକି ବହୁ ସ୍ଥାନରେ ରାସ୍ତା ଉପରେ ଡାଳ ପଡ଼ିଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଏଗୁଡ଼ିକୁ ତୁରନ୍ତ ଉଠାଇବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଚାରିଟି ସଫେଇ ସଂସ୍ଥା ୨୩୦୬ଜଣ ଏବଂ ବିଏମ୍‌ସିର ୪୪୫ଜଣ ସଫେଇ କର୍ମଚାରୀଙ୍କୁ ମିଶାଇ ‌େମାଟ୍‌ ୨୭୫୧ଜଣଙ୍କୁ ନିୟୋଜିତ କରାଯାଇଛି। ଏଥିରୁ ବିଏମ୍‌ସିର ୧୦ଟି ୱାର୍ଡରେ ନିଜର ୪୪୫ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ଜାଗୃତି ତାର ଅଞ୍ଚଳରେ ୧୨୮୫ ଜଣ, ପିଏମ୍‌ଆର୍ ୪୪୦ଜଣ, ରାମ୍‌କି ୫୧୬ଜଣ ଏବଂ ଲାୟନ୍ସ ୬୫ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ସେହିପରି ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ରାଜଧାନୀରେ ୨୫ଟି ହାଇୱା ଟ୍ରକ୍, ୧୬ଟି ଜେସିବି, ୩୦ଟି ଟ୍ରାକ୍ଟର ବିଏମ୍‌ସି କର୍ମଚାରୀ ସଫେଇ କରୁଥିବା ୧୦ଟି ୱାର୍ଡରେ ମୁତୟନ ହୋଇଥିବାବେଳେ ସଫେଇ ସଂସ୍ଥା ପକ୍ଷରୁ ବିଏମ୍‌ସିର ୨୫ଟି ଟ୍ରାକ୍ଟର ସମେତ ସଫେଇ ସଂସ୍ଥାଙ୍କର ୩୦ଟି ଜେସିବି, ୫୫ଟି ଟିପର୍, ୧୦ଟି ହାଇୱା, ୧୦୦ଟ୍ରାକ୍ଟର, ୧୮ଟି କମ୍ପାକ୍ଟର, ୧୦ଟି ଡମ୍ପର, ୨୩ଟି ଅଟୋରିକ୍ସା ଟିପର୍ ନିୟୋଜିତ କରାଯାଇଛି। ଏହିପରି ମୋଟ୍‌ ୫୧୬ଟି ଗାଡ଼ିରେ ଆବର୍ଜନା ବୁହାଯାଉଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସବୁ ଆବର୍ଜନା ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି।

ଏହାବାଦ୍ ପୂର୍ତ୍ତ ବିଭାଗ, ଏନ୍‌ଡିଆରଏଫ୍‌, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ପକ୍ଷରୁ ଜେସିବି ଓ ହାଇୱା, ଟ୍ରାକ୍ଟର ମାଧ୍ୟମରେ ସଫେଇ କରାଯାଉଛି। ସବୁଜ ଆବର୍ଜନାଗୁଡ଼ିକୁ ଗାଡ଼ିରେ ଲଦି ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡକୁ ନିଆଯାଉଥିବାବେଳେ କିଛି ଆବର୍ଜନା ବିଭିନ୍ନ ୱାର୍ଡରେ ଥିବା ଖୋଲା ଅଞ୍ଚଳ ଏବଂ ସ୍କୁଲ ପଡ଼ିଆରେ ଗଦାଇ ରଖାଯାଉଛି। ଏହାପରେ ଏହାକୁ ‌ଡମ୍ପିଂୟାର୍ଡକୁ ନିଆଯାଉଛି।

ବଦଳିଲେ ନଗର ସ୍ବାସ୍ଥ୍ୟ ଅଧିକାରୀ

ଭୁବନେଶ୍ବର : ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ‌ନାୟକଙ୍କ ସ୍ଥାନରେ ଆଜି ବିଏମ୍‌ସିର ଡିଭିଜନ-୨ ନିର୍ବାହୀ ଯନ୍ତ୍ରୀ ଅସୀମ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ବାତ୍ୟା ସମୟରେ ବିଏମ୍‌ସିର ପ୍ରସ୍ତୁତିରେ ଏବଂ ପରବର୍ତ୍ତୀ ସମୟରେ ବିଏମ୍‌ସିର ଉଦ୍ଧାର କାର୍ଯ୍ୟରେ ଡା. ନାୟକ ସାମିଲ୍‌ ନହେବାରୁ ତାଙ୍କୁ ବଦଳି କରାଯାଇଛି। ଡା. ନାୟକ ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ଥିବାବେଳେ ତାଙ୍କୁ ସ୍ବାସ୍ଥ୍ୟ ବିଭାଗକୁ ଫେରାଇ ଦିଆଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନଗର ସ୍ବାସ୍ଥ୍ୟ ଅଧିକାରୀ ବାତ୍ୟା ପ୍ରସ୍ତୁତି ଓ ମୁକାବିଲା ଜନିତ କୌଣସି ବୈଠକରେ ଯୋଗଦେଇ ନଥିବାବେଳେ ସେ କୌଣସି ଅଧିକାରୀଙ୍କ ସହ ଯୋଗାଯୋଗ କରି ନଥିଲେ। ତେଣୁ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି। ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ହେଉଥିବାରୁ ବିଏମ୍‌ସିର ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର