୩ ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାରସ୍ବତ ସଂଗଠନ ‘ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ’ ପକ୍ଷରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକ‌ାର୍ପିତ ହୋଇଯାଇଛି। ସହିଦନଗରସ୍ଥିତ ଓରିଏଣ୍ଟାଲ ଏକା‌ଡେମି ଅଫ୍‌ ଆର୍ଟସ୍‌ ଆଣ୍ଡ ଲେଟର୍ସଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଥିଲେ। ଉନ୍ମୋଚିତ ପୁସ୍ତକ ମଧ୍ୟରେ ରହିଛି, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୁଅ ଭଗବାନ ମେହେରଙ୍କ ଲିଖିତ ଜୀବନୀ ପୁସ୍ତକ ‘ପିତୃପ୍ରସଙ୍ଗ’ର ଇଂରାଜୀ ଅନୁବାଦ, ବାମାଚରଣ ମିତ୍ରଙ୍କ ‘ଚନ୍ଦ୍ର ଓ ଚମ୍ପା’ ଉପନ୍ୟାସ ଓ ୧୦ଟି ଗଳ୍ପର ବଙ୍ଗଳା ଅନୁବାଦ ଏବଂ ସାହିତ୍ୟ ଅକା‌ଦେମି ପୁରସ୍କାରପ୍ରାପ୍ତ ତେଲୁଗୁ ଔପନ୍ୟାସିକ ସୟେଦ ସଲିମ୍‌ଙ୍କ ‘ଧ୍ବଂସ ତଳର ଜୀବନ’। ଏହି ପୁସ୍ତକ ତିନୋଟିକୁ ଯଥାକ୍ରମେ ମାଳବିକା ପଟେଲ, ଜ୍ୟୋତିରିନ୍ଦ୍ରମୋହନ ଜୋଆରଦାର ଓ ଅଜିତ ପାତ୍ର ଏବଂ କମଳା ଶତପଥୀ ଅନୁବାଦ କରିଛନ୍ତି।

ଉତ୍ସବରେ ଯୋଗଦେଇ ଅନୁବାଦକ ଓ ଅନୁବାଦିକାମାନେ ଅନୁବାଦ ସଂପର୍କରେ ନିଜ ନିଜର ଅନୁଭୂତି ବଖାଣିଥିଲେ। ବାମାଚରଣ ମିତ୍ରଙ୍କ ଦୁଇ ପୁଅ ଚନ୍ଦ୍ରମୌଳି ମିତ୍ର ଓ ମନୁମ୍ୟାନ ମିତ୍ର ଉପସ୍ଥିତ ରହି ପିତାଙ୍କ ସ୍ମୃତିଚାରଣ କରିଥିଲେ। ଅନ୍ୟ ଆଲୋଚକମାନଙ୍କ ମଧ୍ୟ‌ରେ ‘ପିତୃପ୍ରସଙ୍ଗ’ର ଅନୁବାଦିକା ମାଳବିକା ପଟେଲ, ଗବେଷକ ନରେନ୍ଦ୍ର ନାରାୟଣ ଦାଶ, ଡାକ୍ତର ଶୈଳେଶ୍ବର ନନ୍ଦ, ପୌରୁଷର ସଂପାଦକ ଅସିତ ମହାନ୍ତି, ଡ. ବାସନ୍ତୀ ମହାନ୍ତି ଏବଂ ସଂସ୍କୃତି ସଂଗଠକ ଶ୍ବେତାଙ୍ଗ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରିଷଦର ସଭାପତି ପ୍ରଫେସର୍‌ ହିମାଂଶୁ ଶେଖର ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲା ବେଳେ ସଂପାଦକ ତାପସ ତ୍ରିପାଠୀ ସହାୟତା କରିଥି‌ଲେ। ଉପସଭାପତି ସୋମେଶ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର