ଏଥର ୪୩୦ କୋଟିର ମେଗା ବଜେଟ୍‌

୨୦୧୮-୧୯ ପାଇଁ ବିଏମ୍‌ସିର ବଜେଟ୍‌ ପାରିତ

ନିର୍ବାଚନ ପୂର୍ବରୁ ଶେଷ ବଜେଟ୍‌ ବଢ଼ିଲା ୩୬କୋଟି
ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଏମ୍‌ସି ୪୩୦କୋଟି ୧୭ଲକ୍ଷ ୯୯ହଜାର ୯୧ଟଙ୍କାର ବଜେଟ୍‌ କରିଛି। ବିଏମ୍‌ସିର ଷ୍ଟାଣ୍ଡିଂ କମିଟି (ଅର୍ଥ) ଅଧ୍ୟକ୍ଷ ସେକ୍‌ ନିଜାମୁଦ୍ଦିନ କାଉନସିଲ୍‌ ବୈଠକରେ ବଜେଟ୍‌ ଉପସ୍ଥାପନ କରିବା ପରେ ଏହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ଚଳିତ ବଜେଟ୍‌ରେ ପରିମଳ ବ୍ୟବସ୍ଥା, ଆଲୋକୀକରଣ, କଙ୍କ୍ରିଟ ରାସ୍ତା ଓ ଡ୍ରେନ୍‌କୁ ଗୁରୁତ୍ୱ ଦିଆଯାଇଛି। ବିଏମ୍‌ସିର ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ୍‌ ହୋଇଥିବାରୁ ଚଳିତ ବଜେଟ୍‌ ପୂର୍ବ ବଜେଟ୍‌ ତୁଳନାରେ ପ୍ରାୟ ୩୬କୋଟି ଅଧିକ ରହିଛି। ବିଏମ୍‌ସିର ଚଳିତ ବଜେଟ୍‌ରେ ୧୩୫କୋଟି ୪୨ଲକ୍ଷ ଟଙ୍କା ବିଭିନ୍ନ ସୂତ୍ରରୁ ଆୟ କରିବାକୁ ଟାର୍ଗେଟ ରଖାଯାଇଥିବାବେଳେ ଚତୁର୍ଥ ଅର୍ଥ କମିସନ, ୧୪ତମ କେନ୍ଦ୍ରୀୟ ଅର୍ଥ କମିସନରୁ ମୋଟ୍‌ ୨୨୮.୮୯କୋଟି ପାଇବାକୁ ଆଶା ରଖିଛି। ଏଥର ମୋଟ୍‌ ୩୬୪କୋଟି ୩୧ଲକ୍ଷ ୬୮ହଜାର ୨୯୧ଟଙ୍କା ଆୟ କରିବାକୁ ଆକଳନ ହୋଇଛି। ଏହାବାଦ୍‌ ବଳକା ବଜେଟ୍‌ ୬୫କୋଟି ୮୬ଲକ୍ଷ ୩୦ହଜାର ୮୦୦ଟଙ୍କା ରହିଛି। ଏହିପରି ବିଏମ୍‌ସି ଆସନ୍ତା ଆର୍ଥିକ ବର୍ଷ ପାଇଁ ୪୩୦କୋଟି ୧୭ଲକ୍ଷର ବଜେଟ୍‌ କରିଛି। ଏଥିରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ୩୪୯କୋଟି ୩୦ଲକ୍ଷ ୧ହଜାର ୭୪ଟଙ୍କା ଖର୍ଚ୍ଚ କରିବାକୁ ଟାର୍ଗେଟ୍‌ ରଖିଥିବାବେଳେ ବର୍ଷ ଶେଷକୁ ୮୦କୋଟି ୮୭ଲକ୍ଷ ୯୭ହଜାର ୬୧୭ଟଙ୍କା ବଳକା ରଖିବାକୁ ଯୋଜନା ହୋଇଛି।

କେଉଁ କ୍ଷେତ୍ରରୁ କେତେ ଆୟ ହେବ
ବଜେଟ୍‌ରେ ବିଏମ୍‌ସି ହୋଲ୍‌ଡିଂ ଟିକସରୁ ୪୬.୪୯କୋଟି, ବିଜ୍ଞାପନରୁ ୧୮.୩୭କୋଟି, ସମ୍ପତ୍ତି ଭଡ଼ାରୁ ୩.୧୭କୋଟି, ଟ୍ରେଡ୍‌ ଲାଇସେନ୍ସରୁ ୬.୦୩କୋଟି, ୟୁଜର ଫି’ରୁ ୧୯.୬୬କୋଟି, ଏନ୍‌ଓସିରୁ ୧୧.୮୪କୋଟି, ପାର୍କିଂରୁ ୪.୯୦କୋଟି, ଟେଣ୍ଡର ପେପର ବିକ୍ରିରୁ ୧.୬୦କୋଟି, ଜମା ହୋଇଥିବା ଅର୍ଥରୁ ସୁଧ ବାବଦକୁ ୧୫.୪୦କୋଟି ଏବଂ ଅନ୍ୟାନ୍ୟ ଆୟରେ ୨.୬୩କୋଟି ରହିଛି। ଏହିପରି ମୋଟ୍‌ ୧୩୫.୪୨କୋଟି ଆୟ କରିବାକୁ ଟାର୍ଗେଟ୍‌ ହୋଇଛି। ଚତୁର୍ଥ ଅର୍ଥ କମିସନ ଓ ୧୪ତମ କେନ୍ଦ୍ରୀୟ ଅର୍ଥ କମିସନର ଅନୁଦାନ ବାବଦକୁ ୨୨୮.୮୯କୋଟି ମିଳିବ।
କେଉଁଥିରେ କେତେ ଖର୍ଚ୍ଚ ହେବ ବିଏମ୍‌ସି ୨୦୧୮-୧୯ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ବେତନ, ପେନସନ୍‌, ଏରିଅର ଏବଂ ଏଷ୍ଟାବ୍ଲିସମେଣ୍ଟ ଖର୍ଚ୍ଚ ବାବଦରେ ୭୭.୮୬କୋଟି ଖର୍ଚ୍ଚ କରିବ। ପ୍ରଶାସନିକ ଖର୍ଚ୍ଚ ୭.୨୨କୋଟି ହେବ। ବିଦ୍ୟୁତ୍‌ ବିଲ୍‌ ବାବଦକୁ ୨୬.୫୭କୋଟି, ତେଲ ବାବଦକୁ ୩.୨୭କୋଟି, ଗାଡ଼ି ଭଡ଼ାକୁ ୧.୨୯କୋଟି, ରାସ୍ତା ଓ ଡ୍ରେନ୍‌ ପାଇଁ ୩.୧୫କୋଟି, ପାର୍କ ପାଇଁ ୧କୋଟି, ଆହାର କେନ୍ଦ୍ର ପାଇଁ ୧କୋଟି, ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୫କୋଟି ଖର୍ଚ୍ଚ କରିବ। ଏହିପରି ମୋଟ୍‌ ୪୧.୨୧ କୋଟି ଖର୍ଚ୍ଚ ହେବ। ଏହାବାଦ୍‌ ସଫେଇ ଓ ପରିମଳ ବ୍ୟବସ୍ଥା ପାଇଁ ୬୭.୭୯କୋଟି ଖର୍ଚ୍ଚ ହେବ। ଓୟୁଆଇଡିଏଫ୍‌ ଋଣ ପାଇଁ ୦.୯୭କୋଟି ସୁଧ ଗଣିବାକୁ ଥିବାବେଳେ ପୂଜା ପ୍ରସ୍ତୁତି, ସ୍ୱାୟତ ଶାସନ ଦିବସ ପାଳନ ଓ ଏହି ସମ୍ବନ୍ଧୀୟ ବିଭିନ୍ନ ଖର୍ଚ୍ଚ ପାଇଁ ୧.୪୭କୋଟି, ଓଏପି ପେନସନ୍‌, ଆହାର, ଏବିସି, ହରିଶ୍ଚନ୍ଦ୍ର ସହାୟତା ଓ କର୍ପୋରେସନ ବୈଠକ ଖର୍ଚ୍ଚ ବାବଦକୁ ୨୧.୦୧କୋଟି ଖର୍ଚ୍ଚ ହେବ। ହସ୍ପିଟାଲ ଖର୍ଚ୍ଚ ଓ ବୃକ୍ଷରୋପଣ ପାଇଁ ୦.୬୫କୋଟି ଖର୍ଚ୍ଚ ହେବ।

୧୩ ଓ୍ଵାର୍ଡ ପାଇଁ ସ୍ୱତନ୍ତ୍ର ପ୍ଲାନ୍‌
ବିଏମ୍‌ସିର ୬୭ଟି ଯାକ ଓ୍ଵାର୍ଡରୁ ଯେଉଁ ୧୩ଟି ଓ୍ଵାର୍ଡ ବିଭିନ୍ନ କାରଣରୁ ଅନ୍ୟ ଓ୍ଵାର୍ଡ ତୁଳନାରେ ପଛରେ ପଡ଼ିଯାଇଛି ସେଥିପାଇଁ ବିଏମ୍‌ସି ବଜେଟରେ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ହୋଇଛି। ଦୁଇଟି ଶ୍ରେଣୀରେ ୧୩ଟି ଓ୍ଵାର୍ଡକୁ ବିଭକ୍ତ କରାଯାଇଥିବାବେଳେ କ୍ୟାଟେଗୋରି ‘ଏ’ରେ ୬ଟି ଓ କ୍ୟାଟେଗୋରି ‘ବି’ ରେ ୭ଟି ଓ୍ଵାର୍ଡ ରଖାଯାଇଛି। କ୍ୟାଟେଗୋରି ‘ଏ’ରେ ଓ୍ଵାର୍ଡ ୪, ୫, ୧୮, ୨୩, ୪୯ ଓ ୬୫ ରହିଛି। ଏହି ସମସ୍ତ ଓ୍ଵାର୍ଡ ପାଇଁ ୧କୋଟି ଲେଖାଏଁ ଅତିରିକ୍ତ ଅନୁଦାନ ମିଳିବ। ସେହିପରି କ୍ୟାଟେଗୋରି ‘ବି’ରେ ଓ୍ଵାର୍ଡ ୩, ୨୨, ୪୪, ୫୯, ୬୪, ୬୬ ଓ ୬୭ ରହିଛି। ଏହି ସବୁ ଓ୍ଵାର୍ଡର ବିକାଶ ପାଇଁ ୫୦ଲକ୍ଷ ଲେଖାଏଁ ଅତିରିକ୍ତ ଅନୁଦାନ ମିଳିବ। ଏଥିରେ ଓ୍ଵାର୍ଡଗୁଡ଼ିକରେ ଷ୍ଟ୍ରିଟ୍‌ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା, ଗୋଷ୍ଠୀ ଉନ୍ନୟନ କେନ୍ଦ୍ର, ପାର୍କ, ଖେଳପଡ଼ିଆ, ମାର୍କେଟ, ଡ୍ରେନ୍‌ ଓ ଓସାରିଆ ରାସ୍ତା ନିର୍ମାଣ କରାଯିବ।

ମୌସୁମି ପାଇଁ ଶୀଘ୍ର ପ୍ରସ୍ତୁତି
ଗତବର୍ଷ ମୌସୁମି ବର୍ଷାରେ ରାଜଧାନୀ ଜଳବନ୍ଦୀ ହେବା ପରେ ଏଥର ଯେପରି ସେହିଭଳି ତ୍ରୁଟି ନ ହୁଏ ସେଥିପାଇଁ ଆଗୁଆ ମୌସୁମି ପ୍ରସ୍ତୁତି କରିବାକୁ ଡ୍ରେନେଜ୍‌ ବିଭାଗକୁ କୁହାଯାଇଛି। ବର୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଡ୍ରେନ୍‌, ମୁଖ୍ୟ ଡ୍ରେନ୍‌ ସଫେଇ କରିବା ସହ ଆବଶ୍ୟକ ସ୍ଥାନରେ ଡ୍ରେନ୍‌ ମରାମତି କରିବା, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଥିବା ସମସ୍ୟାକୁ ଦୂର କରିବାକୁ କୁହାଯାଇଛି। ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟି ମେୟର କେ.ଶାନ୍ତି, ସମସ୍ତ କର୍ପୋରେଟର, କମିସନର କ୍ରିଷନ କୁମାର, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ସିଓଓ ଆର୍‌ ଭିନିଲ୍‌୍‌ କ୍ରିଷ୍ଣା, ଅତିରିକ୍ତ କମିସନର ଶୁଭମ୍‌ ସାକ୍ସେନା, ବିଏମ୍‌ସି ସିଏଫ୍‌ଓ ଲାବଣ୍ୟ ସବର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ଯୁବ ବାହିନୀ ନାମରେ ନୂଆ ଯୋଜନା ଆରମ୍ଭ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତା ବିଏମ୍‌ସି ଅଞ୍ଚଳରେ କିପରି ହେବ ସେନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର