ରାମରାଜ୍ୟ ପାଇଁ ହିଂସାବିହୀନ ମଣିଷ ଜରୁରି: ତାରା ଗାନ୍ଧୀ

ଗାନ୍ଧିବାଦୀ ଫୋରମ୍‌ର ରାଜ୍ୟ ସମ୍ମିଳନୀ

ଜଗତସିଂହପୁର ଟାଉନ୍‍ : ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ଭାରତରେ ସହିଷ୍ଣୁତା ହ୍ରାସ ପାଇଛି। ଅହିଂସାକୁ ହିଂସା କବଳିତ କରିଛି। ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ନାରୀ ନିର୍ଯାତନା, କୁସଂସ୍କାର ଓ ଜାତିଆଣ ଭେଦଭାବ ମୁଣ୍ଡ ଟେକିଛି। ଏଭଳି ପରିସ୍ଥିତିରେ ଗାନ୍ଧିବାଦର ପ୍ରାସଙ୍ଗିକତା ରହିଛି। ହିଂସାବିହୀନ ମଣିଷ ସୃଷ୍ଟି ହେଲେ ଗାନ୍ଧିଜୀଙ୍କ ରାମରାଜ୍ୟର ସ୍ୱପ୍ନ ସାକାର ହେବ ବୋଲି ବାପୁଙ୍କ ନାତୁଣୀ, ବିଶିଷ୍ଟ ଗାନ୍ଧିବାଦୀ ତଥା କସ୍ତୁରବା ସ୍ମାରକୀ ଟ୍ରଷ୍ଟର ଅଧ୍ୟକ୍ଷା ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଆଜି ଓଡ଼ିଶା ଗାନ୍ଧିବାଦୀ ଫୋରମ୍‌ ପକ୍ଷରୁ ଏଠାରେ ଆୟୋଜିତ ‘ଗାନ୍ଧୀ ମାର୍ଗ ଏକ ଚିନ୍ତନ’ ରାଜ୍ୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି।

ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଗାନ୍ଧୀ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ ଯେ, ଲୋକତନ୍ତ୍ରରେ କେବଳ ସରକାର ଚାହିଁଲେ ସବୁ କିଛି ପରିବର୍ତ୍ତନ କରିପାରିବେ ନାହିଁ। ସାଧାରଣ ଲୋକ ଯେତେବେଳେ ଚାହିଁବେ ସେତେବେଳେ ସମାଜରୁ ହିଂସା ଓ ଦୁର୍ନୀତି ଦୂର ହେବ। ଏହି ଅବସରରେ ସେ ପିଲାମାନଙ୍କୁ ଖଦି ପୋଷାକ ପିନ୍ଧାଇବାକୁ ପରାମର୍ଶ ଦେଇଥିଲେ।

ସଂଗଠନର ଅଧ୍ୟକ୍ଷା ଡ. ରୀନା ରାଉତରାୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଜଗତ୍‌ସିଂହପୁର ଜିଲ୍ଲାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଉତ୍କଳ ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷା କ୍ରିଷ୍ଣା ମହାନ୍ତି, ପଦ୍ମଶ୍ରୀ ହଳଧର ନାଗ, କ୍ୟାଟ୍‌ର ପୂର୍ବତନ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି, ହିରୋସୀମା ନାଗାସାକି ବିଶ୍ୱବିଦ୍ୟାଳୟ-ଜାପାନର ପ୍ରଫେସର ଡ, ନଚିକେତ ଦାସ, ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନ, କସ୍ତୁରବା ଗାନ୍ଧି ଟ୍ରଷ୍ଟ୍‌ର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଗାୟତ୍ରୀ ଦାସ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ନିଜକୁ ଗାନ୍ଧିବାଦୀ ବୋଲି କହି କେବଳ ଖଦି ପୋଷାକ ନ ପିନ୍ଧି ଗାନ୍ଧୀଙ୍କ ଭଳି କଥା ଓ କାମରେ ସମନ୍ଵୟ ରଖିଲେ ତାହା ତାଙ୍କ ପାଇଁ କୃତ ସମ୍ମାନ ହେବ ବୋଲି କହିଥିଲେ।

ଆବାହକ ଜ୍ଞାନରଂଜନ ସାମନ୍ତରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ପରିପ୍ରେଷୀରେ ଗାନ୍ଧି ବାର୍ତ୍ତା ପତ୍ରିକା ଏବଂ ମୋ ବୋଉ ପୁସ୍ତକକୁ ଶ୍ରୀମତୀ ଗାନ୍ଧୀ ଉନ୍ମୋଚନ କରିଥିଲେ। ଏହି ଉପଲକ୍ଷେ ପୂର୍ବାହ୍ନରେ ‘ସାଂପ୍ରତିକ ପରିସ୍ଥତିରେ ଗାନ୍ଧି ଦର୍ଶନର ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍‌ଘାଟକ ଭାବେ ଲୋକସେବକ ମଣ୍ଡଳର ସମ୍ପାଦକ ନିରଞ୍ଜନ ରଥ, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ସଚିବ ମନୋଜ କୁମାର ମହାନ୍ତି, ସ୍ୱାଧୀନତାସଂଗ୍ରାମୀ ଗନ୍ଧର୍ବ ଆଚାର୍ଯ୍ୟ, ଡ. ଅରୁନ୍ଧତି ଦେବୀ, ଆଇନଜୀବୀ ବାସୁଦେବ, ଯୁବ ଗାନ୍ଧିବାଦୀ ଡ. ବିଶ୍ୱଜିତ୍‍, ସାମ୍ବାଦିକ ଗୁରୁ କଲ୍ୟାଣ ମହାନ୍ତି, ପୁଲିସ ଅଧିକାରୀ ବିଷ୍ଣୁପଦ ଦାସ, ନରେଶ ଚନ୍ଦ୍ର ରଥ, ଶିକ୍ଷାବିତ ଡ. ଚାଇନା ପ୍ରଧାନ, ମାନବାଧିକାର କର୍ମୀ ମନୋଜ ଜେନା, ଡ. ସତ୍ୟରାୟ, ଦୂରଦର୍ଶନର ପୂର୍ବତନ ନିର୍ଦେଶକ ଜୟନ୍ତ ମଞ୍ଜରୀ ରଥ ପ୍ରମୁଖ ଦେଇଥିଲେ।

ଆଜି ପ୍ରଥମ ଥର ପାଇଁ ଶ୍ରୀମତୀ ଗାନ୍ଧୀ ଓଡ଼ିଶା ଆସିଥିବାରୁ ଗାନ୍ଧିବାଦୀ ଫୋରମ୍‍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସକାଳେ ଜଗତସିଂହପୁର ବାଗଲପୁରରେ ନବନିର୍ମିିତ ଗୌରାଙ୍ଗ ଦାସ ସ୍ମୃତି ସ୍ମାରକୀ ପୀଠ ଏବଂ ଗାନ୍ଧୀ ଉଦ୍ୟାନକୁ ଶ୍ରୀମତୀ ଗାନ୍ଧୀ ଉଦ୍‌ଘାଟନ କରିବା ସହ ସଂଗ୍ରାମୀ ସଂଗ୍ରହାଳୟର ଶିଳାନ୍ୟାସ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗାନ୍ଧିଜୀ ଓ ଓଡ଼ିଶାକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା। ଏହାକୁ ଯୁଗ୍ମ ସଚିବ ମନୋରଞ୍ଜନ ମହାନ୍ତି ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର