ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ପାଇଁ ଓଡ଼ିଶାର ଦାବି

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନେଇ ସମୀକ୍ଷା

ଭୁବନେଶ୍ୱର : ଉପା ସରକାରଙ୍କ ସମୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ଵାଇ)ରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ଦେଉଥିଲେ। ୨୦୧୫-୧୬ ପରଠାରୁ ଏହି ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି। ଫଳରେ ଓଡ଼ିଶା ଭଳି ବିକାଶଶୀଳ ରାଜ୍ୟ କ୍ଷତି ସହୁଛି। ଏଣୁ, ପୂର୍ବପରି ଏହି ସହାୟତା ହାରକୁ ଶତ ପ୍ରତିଶତ କରିବାକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ନିକଟରେ ଦାବି କରିଛନ୍ତିି।

ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏମ୍‌ଜିଏସ୍‌ଓ୍ଵାଇ ସମୀକ୍ଷା ବୈଠକରେ ଓଡ଼ିଶାର ଦାବି ଉଠାଇଥିଲେ ମନ୍ତ୍ରୀ ଶ୍ରୀ ଆରୁଖ। ସେ କହିଲେ ଯେ, ରାଜ୍ୟ ସରକାର ମୋଟ ପ୍ରକଳ୍ପ ଖର୍ଚର ୮ ପ୍ରତିଶତ ବାର୍ଷିକ ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ବାବଦରେ ଖର୍ଚ କରୁଛନ୍ତି। କିନ୍ତୁ ଏସବୁ ପ୍ରକଳ୍ପ ନିର୍ମାଣ ସରିବାର ୫ ବର୍ଷ ପର୍ଯ୍ୟନ୍ତ ଏହି ଖର୍ଚର ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ଜରୁରୀ। ସେହିପରି ବାମପନ୍ଥୀ ଉଗ୍ରବାଦ କବଳିତ ରାଜ୍ୟର ୧୮ଟି ଜିଲ୍ଲାରେ ପିଏମ୍‌ଜିଏସ୍‌ଓ୍ଵାଇ ସର୍ତାବଳୀକୁ କୋହଳ କରି ୨୫୦ ଜନସଂଖ୍ୟାରୁ ୧୦୦ ବିଶିଷ୍ଟ ଜନବସତିକୁ କମାଇ ସେସବୁ ଗ୍ରାମଗୁଡ଼ିକରେ ରାସ୍ତା ସଂଯୋଗୀକରଣ କରିବା ଦାବି ସେ ଦୋହରାଇଥିଲେ।

ରାଜ୍ୟମନ୍ତ୍ରୀ ଶ୍ରୀ ଆରୁଖଙ୍କ କହିବାନୁସାରେ ୨୦୦୧ରେ ପିଏମ୍‌ଜିଏସ୍‌ଓ୍ଵାଇ ପ୍ରକଳ୍ପ ପାଇଁ ନେଟ୍‌ଓ୍ଵାର୍କ ପ୍ରସ୍ତୁତ କରାଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ ଏହାର ସଂଶୋଧନ ଜରୁରୀ ଅନୁଭୂତ ହେଉଛି। ଫଳରେ ଅଧିକ ସଂଖ୍ୟକ ଜନବସତିକୁ ଯୋଜନାରେ ଅନ୍ତର୍ଭୁକ୍ତ କରିହେବ ବୋଲି ସେ କହିଥିଲେ। ଓଡ଼ିଶାରେ ଏହି ଯୋଜନାର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ, ୨୦୦୦ରୁ ଚଳିତ ଆର୍ଥିକ ବର୍ଷ ଫେବ୍ରୁଆରି ମାସ ସୁଦ୍ଧା ୪୪୩୪୨ କି.ମି. ଗ୍ରାମ ସଡ଼କ, ୨୧୪ଟି ପୋଲ ନିର୍ମାଣ ହୋଇଛି। ଏ ବାବଦରେ ଖର୍ଚ ହୋଇଛି ୧୮୯୬୦ କୋଟି। ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ଥିବା ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର