୯ ଜରି ଗୋଟାଳି ପିଲା ଉଦ୍ଧାର
ଭୁବନେଶ୍ବର: ରାଜଧାନୀର ଗଳିକନ୍ଦିରେ ଜରି ଗୋଟାଉଥିବା ଅବା ମଦ ବୋତଲ ଗୋଟେଇ ବିକ୍ରି କରୁଥିବା ୯ ପିଲାଙ୍କୁ ଉଦ୍ଧାର କରାଯାଇଛି। ସ୍ବେଚ୍ଛାସେବୀଙ୍କ ମିଳିତ ପ୍ରୟାସରେ ଏହି ପିଲାଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଆବାସିକ ଛାତ୍ରାବାସରେ ରହି ପଢ଼ାଇବାର ବନ୍ଦୋବସ୍ତ କରାଯାଇଛି। ଶିକ୍ଷା ବିଭାଗର ଯୋଜନା ସଂଯୋଜକ ମନସ୍ବିନୀ ପ୍ରଧାନ, ପଞ୍ଚସଖା ସ୍ବେଚ୍ଛାସେବୀ ଅନୁଷ୍ଠାନର ଦେବଦାସ ମହାନ୍ତି, ଗୋପୀମୋହନ ପଟ୍ଟନାୟକ, ଶ୍ରୀପତି ଆଚାର୍ଯ୍ୟ, ସନ୍ତୋଷ ତ୍ରିପାଠୀ ଓ ଗଗନ ପୈତାଳଙ୍କ ସମେତ ସମାଜସେବୀ ବବିତା ସ୍ବାଇଁ ଓ ରଂଜୁ ପ୍ରମୁଖଙ୍କ ମିଳିତ ପ୍ରୟାସରେ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ଧାର ହୋଇଥିବା ପିଲାମାନେ କିଏ ନିଜ ଜେଜେ ମା’ ପାଖରେ ରହୁଥିଲେ ତ କେହି ସମ୍ପର୍କୀୟଙ୍କ ଘରେ ରହୁଥିଲେ। ସକାଳ ପାହିଲେ ସେମାନେ ଜରି ଗୋଟା କାମରେ ନିୟୋଜିତ ରହିବା ସହ ଦିନଯାକ ଏଣେତେଣେ ବୁଲୁଥିଲେ। ଆଜି ୧୧ଟା ବେଳେ ସ୍ବେଚ୍ଛାସେବୀମାନେ ପାଣିଟାଙ୍କି ବସ୍ତି, ଆର୍କେ ଲେନ୍ ବସ୍ତି, ବିର୍ସାମୁଣ୍ଡା ବସ୍ତି ଓ ପଥରବନ୍ଧ ବସ୍ତି ବୁଲି ଏହି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ୯ ଜଣଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ଆଦିବାସୀ। ୮ଜଣଙ୍କର ବୟସ ୭ରୁ ୯ ବର୍ଷ ମଧ୍ୟରେ ହୋଇଥିବା ବେଳେ ଜଣଙ୍କର ବୟସ ୧୦ ବର୍ଷ। ସେମାନେ ମୟୂରଭଂଜ, ଭଦ୍ରକ, କେଉଁଝର, ବାଲେଶ୍ବର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ରାଜଭବନ ଆବାସିକ ସ୍କୁଲ୍ରେ ପଢ଼ିବାର ସୁଯୋଗ ଦିଆଯିବା ସହ ଆବାସିକ ଛାତ୍ରାବାସରେ ରଖାଯିବ। ସେମାନଙ୍କ ଖାଇବା, ରହିବା ଓ ବହିପତ୍ର ଖର୍ଚ ସରକାର ବହନ କରିବେ।