ସାଇବର ଠକଙ୍କ ଲୁଟ୍‌ର ନୂଆ ତରିକା: ଆଇଫୋନ୍‌ର ଲୋଭ ଦେଖାଇ ଜାଲ ବିଛାଉଛନ୍ତି

ଭୁବନେଶ୍ବର: ଗୁଗୁଲ୍ କ୍ରୋମ୍‌କୁ ସର୍ବେକ୍ଷଣର ମାଧ୍ୟମ କରି ହ୍ୟାକର୍ ଏବେ ଇଣ୍ଟରନେଟ୍‌ରେ ଜାଲ ବିଛାଇଛନ୍ତି। ସର୍ବେକ୍ଷଣ ନାଁରେ ଲୋକଙ୍କୁ ଲକି କଷ୍ଟମର୍ ଭାବେ ଚୟନ କରି ତାଙ୍କୁ ଖୁବ୍ କମ୍ ଟଙ୍କାରେ ନାମୀ ବ୍ରାଣ୍ଡେଡ୍ ଆପଲ୍ ଆଇଫୋନ ଦେବାକୁ ଥୋପ ପକାଉଛନ୍ତି। ଆଉ ଏତେ ଶସ୍ତାରେ ଆଇଫୋନ୍ ପାଇବା ଲୋଭରେ ଲୋକ ସାଇବର ଠକଙ୍କ ଜାଲରେ ପଡ଼ି ଟଙ୍କା ହରାଉଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଏବେ ସାଇବର ହ୍ୟାକର୍ ନେଟ୍ ବ୍ରାଉଜିଂ ଆପ୍ ଦ୍ବାରା ଲୋକଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି। ସାଧାରଣତଃ ଗୁଗୁଲ୍ କ୍ରୋମ୍‌କୁ ବ୍ରାଉଜିଂ ୱେବସାଇଟ୍ ଭାବେ ସର୍ବାଧିକ ଲୋକ ବ୍ୟବହାର କରୁଥିବାରୁ ଏହି ଆପ୍‌କୁ ମୋହରା କରିଛନ୍ତି ସାଇବର ଠକ। କ୍ରୋମ୍‌ରେ ବ୍ରାଉଜିଂ କରିବା ସମୟରେ ହଠାତ୍ ମୋବାଇଲ୍ ସ୍କ୍ରିନ୍‌କୁ କ୍ରୋମ୍‌ର ଲୋକପ୍ରିୟତା ତଥା ଏହାର ବ୍ୟବହାରକୁ ନେଇ ଏକ ପେଜ୍ ଆସୁଛି। ପେଜ୍‌ରେ ଉଲ୍ଲେଖ ରହୁଛି, କ୍ରୋମ୍‌କୁ ବ୍ୟବହାର କରୁଥିବାରୁ ଏହି ଆପ୍ ସମ୍ବନ୍ଧୀୟ କିଛି ତଥ୍ୟ ସର୍ବେକ୍ଷଣ ଆଧାରରେ ଦେବା ପାଇଁ ବ୍ୟବହାରକାରୀଙ୍କୁ କୁହାଯାଉଛି। ଆଉ ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କଲେ ମାତ୍ର ୧୭୩ ଟଙ୍କାରେ ଗୁଗୁଲ୍ କ୍ରୋମ୍ ପକ୍ଷରୁ ଆପଣଙ୍କୁ ଆପଲ୍‌ର ଲାଟେଷ୍ଟ ମଡେଲ୍ ଆଇଫୋନ୍ ୧୨ପ୍ରୋ ମିଳିବ ବୋଲି କୁହାଯାଉଛି। ଆଇଫୋନ୍ ଲୋଭରେ ପଡ଼ି ଲୋକେ ହ୍ୟାକର୍ ଦ୍ବାରା ମଗାଯାଇଥିବା ସମସ୍ତ ତଥ୍ୟ ଦେବା ପରେ କୋରିଅର୍ ଯୋଗେ ଆଇଫୋନ୍ ପଠାଇ ଦିଆଯିବ କୁହାଯାଉଛି। ଆଉ କୋରିଅର୍‌ରେ ହ୍ୟାକର୍ ଦ୍ବାରା ପଠାଯାଇଥିବା ଜିନିଷ ଗ୍ରହଣ କରିବା ପରେ ସେଥିରେ ଫୋନ୍ ବଦଳରେ ଇଟା ବା ସାବୁନ୍ ଖଣ୍ଡ ଥିବା ଦେଖାଯାଉଛି।

ଏ ନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ସାଇବର ଠକ କିଛି ଟଙ୍କା ନେଇ ଲୋକଙ୍କୁ ଠକିବା ଗୁରୁତ୍ବପୂର୍ଣ୍ଣ ନୁହେଁ। ଅସଲରେ ସେମାନେ ବ୍ୟକ୍ତିଗତ ତଥ୍ୟ, ମୋବାଇଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ପାଇବା ପରେ ଲୋକଙ୍କୁ ଟ୍ରାପ୍ କରନ୍ତି। ଆଉ ଜାଲରେ ପକାଇ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଲୁଟ୍ କରିବାକୁ ଉଦ୍ୟମ କରନ୍ତି ଏବଂ ଅନେକାଂଶରେ ସଫଳ ମଧ୍ୟ ହୁଅନ୍ତି। ତେଣୁ ଏଭଳି ଲୋଭନୀୟ ଅଫର୍‌ରୁ ଯେତେ ସମ୍ଭବ ଦୂରେଇ ରହିବା ଉଚିତ।

ସମ୍ବନ୍ଧିତ ଖବର