ଚାଉଳି ଭାଟିରେ ଅବକାରୀ ଚଢ଼ଉ, ୫ ହଜାର ଲିଟର ପୋଚ ଓ ୫ ଶହ ଲିଟର ମଦ ଜବତ, ୯ ଗିରଫ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସୋମବାର କଟକ ଅବକାରୀ ଫ୍ଲାଇଂ ସ୍କ୍ବାଡ୍‌ ଓ ଭୁବନେଶ୍ବର ଅବକାରୀ ବିଭାଗ ପକ୍ଷରୁ ମିଳିତଭାବେ ଭୁବନେଶ୍ବର ସାଲିଆସାହିର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ କିଛି ଚାଉଳି ଭାଟିରୁ ୫ ହଜାର ଲିଟର ପୋଚ ଓ ୫ ଶହ ଲିଟର ରନ୍ଧା ମଦ ଜବତ କରାଯାଇଛି। ପ୍ରାୟ ୩ଟି ଭାଟିରୁ ବିପୁଳ ପରିମାଣର ବଡ଼ ବଡ଼ ରସ ହାଣ୍ଡି ଜବତ କରାଯାଇଛି।

ଅଭିଯୁକ୍ତ ବେପାରୀମାନେ ହେଲେ ଶୁକଲତା ମୁର୍ମୁ(୪୦), ଗୋଲାପି ମୁର୍ମୁ(୫୫), ବାସନ୍ତୀ ମାରାଣ୍ଡି(୪୮), ସୁମିତ୍ରା ହେମ୍ବ୍ରମ୍‌(୪୦), ମଧୁ ସୋରେନ୍‌(୨୨), ସୁକାନ୍ତି ହେମ୍ବ୍ରମ୍(୪୦), ଶମ୍ବରୀ ଟୁଡୁ(୩୮), ଶିବରାମ୍‌ ହାଂସ୍‌ଦା(୪୫) ଓ ସର୍‌କାର ଦେହୁରୀ(୨୮)। କରୋନା କଟକଣା ପରଠାରୁ ମହୁଲି ଚାଲାଣ ବାଧାପ୍ରାପ୍ତ ହୋଇଛି। ତେଣୁ ମହୁଲି ଅଭାବରୁ ଏମାନେ ଗତ ପ୍ରାୟ ୮ ମାସ ହେଲା ଚାଉଳି ଦେଶୀ ମଦ ରାନ୍ଧୁଥିବା ଜଣାପଡ଼ିଛି। ମହିଳାମାନେ ଭାଟିରେ ଚାଉଳି ମଦ ପ୍ରସ୍ତୁତ କରୁଥିବାବେଳେ ପୁରୁଷମାନେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଯୋଗାଇବା କାମ କରନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ ଓ ଅବକାରୀ ଅଧୀକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଚଢ଼ଉ କରାଯାଇଥିଲା। ଖୋର୍ଦ୍ଧା ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୁମିତ୍ରା ଓରାମ୍‌ଙ୍କ ନେତୃତ୍ବରେ ଗଠିତ ଟିମ୍‌ରେ କଟକ ଫ୍ଲାଇଂ ସ୍କ୍ବାଡ୍‌ ଆଇଆଇସି ସୁଶାନ୍ତ ପାଢ଼ୀ, ଭୁବନେଶ୍ବର ଆଇଆଇସି ବିକାଶ କୁମାର ନାୟକ, ଖୋର୍ଦ୍ଧା ଆଇଆଇସି ସମରଜିତ୍ ଦାସ, ଏସ୍‌ଆଇ ନାରାୟଣ ଜେନା, ଅଂଶୁମାନ ଜେନା, କଟକ ଫ୍ଲାଇଂ ସ୍କ୍ବାଡ୍‌ ଏସ୍‌ଆଇ ମନୀଷା ଭୋଳ ଓ ଭୁବନେଶ୍ବର ଏଏସ୍‌ଆଇ ସୁଜିତ୍ ମୁଦୁଲି ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର