୩ ବର୍ଷ ହେବ ଖାଲି ପଡ଼ିଛି ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ପଦ

ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣା ପରୀକ୍ଷାଗାର

ଭୁବନେଶ୍ବର: ରାଜ୍ୟରେ ଏକମାତ୍ର ଆୟୁର୍ବେଦିକ ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣା ପରୀକ୍ଷାଗାରରେ ୩ ବର୍ଷ ହେବ ଖାଲି ପଡ଼ିଛି ସ୍ଥାୟୀ ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ପଦ। ପରୀକ୍ଷାଗାର ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦ ହୋଇଥିବା ବେଳେ ଏହାକୁ ପୂରଣ କରିବା ପାଇଁ ଆୟୁଷ ବିଭାଗ ଆଗ୍ରହ ଦେଖାଉନାହିଁ। ରାଜ୍ୟ ସରକାର ହୋମିଓପ୍ୟାଥିକ ପରୀକ୍ଷାଗାର ରାଜ୍ୟରେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆୟୁର୍ବେଦିକ ପରୀକ୍ଷାଗାର ବିନା ଆୟୁର୍ବେଦିକ ମୁଖ୍ୟରେ ଚାଲିଛି।

୨୦୦୭ ମସିହାରେ ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣା ପରୀକ୍ଷାଗାର ଉଦ୍‌ଘାଟିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା‌ ଯୋଗାଇ ଦିଆଯାଇଥିଲା। ଏହି ପରୀକ୍ଷାଗାର ମୁଖ୍ୟତଃ ଏଫ୍‌ପିଆଇ ବା ଫାର୍ମକୋପିଆ ଅଫ୍ ଇଣ୍ଡିଆ ଓ ଆୟୁର୍ବେଦିକ ଫର୍ମୁଲାରି ଅଫ ଇଣ୍ଡିଆ ଏଏଫ୍‌ଆଇ ଉପରେ କାର୍ଯ୍ୟ କରିଥାଏ। ଆରମ୍ଭରୁ ପରୀକ୍ଷାଗାର ପାଇଁ ଆବଶ୍ୟକ ପଦ ସୃଷ୍ଟି ହୋଇ ନଥିଲା, ମାତ୍ର ପରବର୍ତୀ ସମୟରେ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ପଦ ସୃଷ୍ଟି ହୋଇଥିଲା। ପରୀକ୍ଷାଗାର ପାଇଁ ଏବେ ଆୟୁର୍ବେଦିକ, କେମିଷ୍ଟ୍ରି, ବଟାନି ଓ ମାଇକ୍ରୋବାଇଓଲୋଜିରେ ଜଣେ ଲେଖାଏଁ ଅଧିକାରୀଙ୍କ ସହ ୨ଜଣ ସହକାରୀ ଅଧିକାରୀ ପଦ ରହିଛି। ୨୦୧୬ ମସିହାରେ ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ଅବସର ଗ୍ରହଣ କରିବା ପରଠାରୁ ପରୀକ୍ଷାଗାରରେ ଏହି ପଦ ଖାଲି ପଡ଼ିଛି। ସେହିପରି ମାଇକ୍ରୋବାଇଓଲୋଜିରେ ମଧ୍ୟ କେହି ଅଧିକାରୀ ନିଯୁକ୍ତ ହୋଇନାହାନ୍ତି। ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ପଦ ଖାଲି ପଡ଼ିବା ପରେ ଆୟୁଷ ବିଭାଗ ପକ୍ଷରୁ ଜଣକୁ ଆୟୁର୍ବେଦିକ ମେଡିକାଲ ଅଫିକାରୀଙ୍କୁ ଡେପୁଟେସନ୍‌ରେ ପରୀକ୍ଷାଗାରରେ ନିଯୁକ୍ତ କରାଯାଇଛି। ଡ୍ରଗ୍‌ ଏଣ୍ଡ କସମେଟିକ୍‌ ଆକ୍ଟ ଓ ରୁଲ ୧୯୪୫ ଅନୁସାରେ ପରୀକ୍ଷାଗାରରେ ବିଏମ୍‌ ସହିତ ୩ ବର୍ଷର ପରୀକ୍ଷାଗାର ଅଭିଜ୍ଞତା ରହିଥିବା ବ୍ୟକ୍ତି ହିଁ ସରକାରୀ ଆନାଲିଷ୍ଟ ହୋଇପାରିବେ। ମାତ୍ର ଏବେ ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ନ ଥିବାରୁ ଏହାର ବଦଳରେ ଅନ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ସରକାରୀ ଆନାଲିଷ୍ଟ ଭାବେ ନିଯୁକ୍ତ କରାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷାଗାର ପ୍ରତିଷ୍ଠା ହେବା ସମୟରେ ‌କୌଣସି ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ପଦ ନ ଥିଲା। ପରବର୍ତୀ ସମୟରେ ସରକାରଙ୍କ ପକ୍ଷରୁ ବଲାଙ୍ଗୀର ଆୟୁର୍ବେଦିକ କଲେଜରେ ଥିବା ଫାର୍ମାସିର ସାଇଣ୍ଟିଫିକ୍ ଅଧିକାରୀଙ୍କୁ ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣା ପରୀକ୍ଷାଗାରରେ ନିଯୁକ୍ତି ଦିଆଯାଇଥିଲା। ସଂପୃକ୍ତ ଅଧିକାରୀ ଅବସର ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିଥିଲେ। ପରେ ଅନ୍ୟ ୩ଟି ବିଭାଗ ସୃଷ୍ଟି କରାଯାଇଥିଲା। ତେବେ ପରୀକ୍ଷାଗାର ପାଇଁ ଉଦ୍ଦିଷ୍ଟ ଥିବା ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀଙ୍କ କ୍ୟାଡର ଭିନ୍ନ ଥିବାରୁ ସେଠାରେ ଅନ୍ୟ ଆୟୁର୍ବେଦିକ ଅଧିକାରୀଙ୍କୁ ନିଯୁକ୍ତି ଦେବାରେ ସମସ୍ୟା ସୃଷ୍ଟି ହେଉଛି। ପରୀକ୍ଷାଗାରରେ ଆୟୁର୍ବେଦିକ ଔଷଧ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏଥିପାଇଁ ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀଙ୍କ ନିଯୁକ୍ତି ଜରୁରୀ। ଏଭଳି ପରିସ୍ଥିତିରେ ଆୟୁର୍ବେଦିକ ପରୀକ୍ଷାଗାରରେ ଆୟୁର୍ବେଦିକ ବିଭାଗର କୌଣସି ଅଧିକାରୀ ନ ଥିବା ସରକାରଙ୍କ ଆନ୍ତରିକତାକୁ ସୂଚାଉଛନ୍ତି। ଆୟୁର୍ବେଦିକ ସାଇଣ୍ଟିଫିକ୍ ଅଧିକାରୀ ପଦ ପୂରଣ କରିବା ପାଇଁ ପୂର୍ବରୁ ବହୁବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପଦ‌କ୍ଷେପ ଗ୍ରହଣ କରାଯାଇ ନାହିଁ।

ରାଜ୍ୟ ଆୟୁଷ ନିର୍ଦେଶକ ନ ଥିବାରୁ ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ଦିଲ୍ଲୀପ ଷଡ଼ଙ୍ଗୀ କହିଛନ୍ତି, ଏ ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନା‌ହିଁ। ମେଡିକାଲ କଲେଜରେ ଖାଲି ପଡ଼ିଥିବା ପଦବି ପୂରଣ କରିବା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଡା. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର