ବିସିଡିଡି-୨ରେ କର୍ମଚାରୀ ସଙ୍କଟ, ଠପ୍‌ ହୋଇପାରେ ବିଦ୍ୟୁତ୍‌ ସେବା

ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଚନ୍ଦ୍ରଶେଖରପୁର: ଗୁରୁବାରଠାରୁ ଅଧା ରାଜଧାନୀରେ ସୃଷ୍ଟି ହେବ ବିଦ୍ୟୁତ୍‌ ବିଭ୍ରାଟ। ବିଜୁଳି କଟିଲେ ସଜାଡ଼ିବାକୁ କେହି କର୍ମଚାରୀ ଆସିବେନି କି ତାର ଛିଡ଼ିଲେ ମରାମତି ହେବନି। ଦୀର୍ଘଦିନ ଧରି ବିସିଡିଡି-୨ ଡିଭିଜନ୍‌ରେ ପ୍ରାୟ ୧୨୦୦ କର୍ମଚାରୀ ପଦବି ପୂରଣ କରା ଯାଉ ନ ଥିବାରୁ ଗୁରୁବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ। ଡିଭିଜନ୍‌ ଅଧୀନରେ ଥିବା ୧୩ଟି ଯାକ ସେକ୍ସନର କର୍ମଚାରୀ ଏଥିରେ ସାମିଲ ହୋଇଥିବାରୁ ଅଧା ରାଜଧାନୀରେ ବିଦ୍ୟୁତ୍‌ ସରବରାହ ଠପ୍‌ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସ˚ଘ ପକ୍ଷରୁ କୁହାଯାଇଛି ଯେ ବିସିଡିଡି-୨ ଡିଭିଜନ୍‌ରେ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ହଇରାଣ ହେବାକୁ ପଡ଼ୁଛି। ଜଣେ ଜଣେ କର୍ମଚାରୀଙ୍କ ଉପରେ ୪ ଜଣଙ୍କ କାମ ଲଦି ଦିଆଯାଉଛି। କର୍ମଚାରୀଙ୍କୁ ଆବଶ୍ୟକତାଠାରୁ ଅଧିକ କାର୍ଯ୍ୟ କରିବାକୁ ଦିଆଯାଉଛି। ୮ ଘଣ୍ଟା ବଦଳରେ ୧୪ ଘଣ୍ଟା କାମ କରିବାକୁ କୁହାଯାଉଛି। ଫଳସ୍ବରୂପ ବିଭିନ୍ନ ସମୟରେ ଖଣ୍ତଗିରି, ଚନ୍ଦ୍ରଶେଖରପୁର, ବାରଙ୍ଗ, ଭରତପୁର ଓ ଗୋଡ଼ିସାହି ସେକ୍ସନରେ କର୍ମଚାରୀମାନେ ଉପଭୋକ୍ତା ତଥା ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ସମସ୍ୟା ନେଇ ପୂର୍ବରୁ ମଧ୍ୟ ବାରମ୍ବାର ଦାବି କରାଯାଇଛି। ସେସୁର ବରିଷ୍ଠ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ ହୋଇଛି। ତଥାପି କୌଣସି ସୁଫଳ ମିଳିନି। ଏମିତିକି ଗତବର୍ଷ ଖଣ୍ତଗିରି ସେକ୍ସନରେ ୟୁନିୟନ୍‌ ପକ୍ଷରୁ ଆମରଣ ଅନଶନ ଚାଲିଥିବା ବେଳେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଯେତିକି ପଦବି ମଞ୍ଜୁର ହୋଇଛି ତାହା ପୂରଣ ହେବ। ହେଲେ ଏହାପରେ ଆଉ କୌଣସି ପଦକ୍ଷେପ ନିଆଯାଇ ନାହିଁ। ମଞ୍ଜୁର ହୋଇଥିବା ପଦବି ପୂରଣ ନେଇ ଗତ ମାସରେ କର୍ମଚାରୀମାନେ ସ୍ବର ଉଠାଇବା ପରେ ଫେବ୍ରୁଆରି ୪ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଥିଲା। ଇତି ମଧ୍ୟରେ ୧୫ ଦିନ ବିତିଗଲାଣି। ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। କାର୍ଯ୍ୟରେ ଯୋଗଦେବେ ନାହିଁ। ଏହାପରେ ଉପଭୋକ୍ତାଙ୍କର ଯଦି କୌଣସି ଅସୁବିଧା ହୁଏ ସେଥିପାଇଁ ମ୍ୟାନେଜ୍‌ମେଣ୍ଟ ଦାୟୀ ରହିବ। ସ˚ଘ ସବୁବେଳେ ମ୍ୟାନେଜ୍‌ମେଣ୍ଟ ସହ ରହିଛି। ସହଯୋଗ କରୁଥିଲେ ମଧ୍ୟ ଦାବି ପୂରଣ ହେଉନି। ବିସିଡିଡି-୨ ଡିଭିଜନ୍‌ରେ ନୟାପଲ୍ଲୀ, ଆଇଆରସି ଭିଲେଜ୍‌, ଖଣ୍ତଗିରି, ବରମୁଣ୍ତା, ଚନ୍ଦ୍ରଶେଖରପୁର, କାନନ ବିହାର, ଜାଭିଅର, ଡମଣା, ଭରତପୁର, ଡୁମୁଡୁମା, କଳିଙ୍ଗ ବିହାର, ବାରଙ୍ଗ ଓ ଗୋଡ଼ିସାହି ବିଦ୍ୟୁତ୍‌ ସେକ୍ସନ ରହିଛି। ମୋଟ ୮୨ କିମି ପରିଧିରେ ଏକ ଲକ୍ଷ ୪୬ ହଜାର ଗ୍ରାହକ ରହିଛନ୍ତି। ଏଠାରେ ୪୧ଟି ପାଵାର ଟ୍ରାନ୍ସଫର୍ମର ଥିବା ବେଳେ ୧୮୦ କିମିର ୩୩ କେଭି ଲାଇନ୍‌, ୯୦୫ କିମିର ୧୧ କେଭି ଲାଇନ୍‌, ୨୧୧୨ କିମି ଏଲଟି ଲାଇନ୍‌ ମଧ୍ୟ ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୧୫୦୦ କର୍ମଚାରୀଙ୍କ ଆବଶ୍ୟକତା ଥିବାବେଳେ ସେସୁ କର୍ତୃପକ୍ଷ ମାତ୍ର ୨୩୮ ଜଣ ବୈଷୟିକ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ସେସୁ ଅଧୀନରେ ଥିବା ସମସ୍ତ ଜିଲ୍ଲାରେ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ସ˚ଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିଲେ ମଧ୍ୟ ସେହି ତୁଳନାରେ କର୍ମଚାରୀଙ୍କ ସ˚ଖ୍ୟା ବଢ଼ୁନି। ବର˚ ହ୍ରାସ ପାଉଛି। ୨୦୦୯-୧୦ରେ ଉପଭୋକ୍ତାଙ୍କ ସ˚ଖ୍ୟା ୧୧ ଲକ୍ଷ ୪୩ ହଜାର ୫୦୦ ଓ କର୍ମଚାରୀଙ୍କ ସ˚ଖ୍ୟା ପ୍ରାୟ ୮ ହଜାର ରହିଥିଲା। ୧୦ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ଗ୍ରାହକଙ୍କ ସ˚ଖ୍ୟା ୨୨ ଲକ୍ଷ ୩୪ ହଜାର ୩୮ ଜଣରେ ପହଞ୍ଚିଥିବା ବେଳେ କର୍ମଚାରୀଙ୍କ ସ˚ଖ୍ୟା ହ୍ରାସ ପାଇ ୬ ହଜାର ୪୦୭ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର