ଚେକିଂ ବେଳେ ଧରାପଡ଼ିଲେ ବାଇକ୍‌ ଚୋର, ୨ ଗିରଫ, ୫ ବାଇକ୍‌ ଜବତ

ଭୁବନେଶ୍ୱର : ସିଆର୍‌ପି ଛକରେ ଚେକିଂ ଚାଲିଥିବା ବେଳେ ନୟାପଲ୍ଲୀ ଥାନା ପୁଲିସ ଗତକାଲି ଦୁଇଜଣ ବାଇକ୍‌ ଚୋରଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୫ଟି ବାଇକ୍‌ ଜବତ କରାଯାଇଛି। ଅଭିଯୁକ୍ତ ଦ୍ବୟ ସାଲିଆସାହି ଶ୍ରୀରାମ ନଗର ବସ୍ତିର ଜୀତେନ୍ଦ୍ର ପ୍ରଧାନ ଓ ସତ୍ୟନଗର ବସ୍ତିର ଏମ୍‌. ଦେବ ରେଡ୍ଡୀ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ଚଳାଉଥିବା ଚୋରା ବାଇକ୍‌ ଓଡି୦୫ୱାଇ-୬୦୯୩ ସମେତ ତାଙ୍କ ଘର ଅଗଣାରେ ରଖାଯାଇଥିବା ଆଉ ତିନୋଟି ବାଇକ୍‌ ଓଆର୦-୨ବିଟି-୪୧୬୮, ଓଆର୦୨ବିକେ-୫୫୨୨, ଓଆର୦୨ବିଜେ-୩୧୦୮ ଏବଂ ଓଆର୦୨ଏଚ୍‌-୧୫୧୬ ଜବତ କରାଯାଇଛି।

ସୂଚନା ମୁତାବକ, ୨୮ ତାରିଖ ରାତି ୭ଟା ବେଳେ ନୟାପଲ୍ଲୀ ଥାନା ପୁଲିସ ପକ୍ଷରୁ ସିଆରପି ଛକରେ ବ୍ଲକିଂ ଚାଲିଥିଲା। ସେଠାରେ କାର୍ଯ୍ୟରତ ଏସ୍‌ଆଇ ରବୀନ୍ଦ୍ରନାଥ ପାତ୍ର ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ହେଲେ ସେମାନେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ଖୋଳତାଡ଼ ପରେ ଏହା ଚୋରା ଗାଡ଼ି ବୋଲି ଜଣାପଡ଼ିଥିଲା। ଅଧିକ ପଚରାଉଚରାରୁ ଉଭୟଙ୍କ ଘରେ ଥିବା ଏହି ସବୁ ଚୋରା ଗାଡ଼ି ଉଦ୍ଧାର କରାଯାଇଥିଲା। ଗାଡ଼ିଗୁଡ଼ିକର ମାଲିକଙ୍କୁ ଠାବ କରାଯାଇଛି। ଖୁବ୍‌ଶୀଘ୍ର ଉପଯୁକ୍ତ କାଗଜପତ୍ର ବଳରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। ଅନ୍ୟପଟେ ଦୁଇ ଅଭିଯୁକ୍ତ ଗାଡ଼ି ଗୁଡ଼ିକୁ କିଣିଛନ୍ତି ବୋଲି କହିଛନ୍ତି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର