ଚଳନ୍ତା କାର୍‌ ଜଳିଗଲା, ବର୍ତ୍ତିଲେ ଡ୍ରାଇଭର, ଯାତ୍ରୀ

ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥର ଖଣ୍ଡଗିରି ନିକଟରେ ଏକ ଚଳନ୍ତା କାର୍‌ ଜଳି ଯାଇଛି। ସୌଭାଗ୍ୟବଶତଃ ଡ୍ରାଇଭର ଓ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ୪ଟାରେ କାରଟି ବରମୁଣ୍ଡା ପଟୁ ଖୋର୍ଦ୍ଧା ଆଡ଼କୁ ଯାଉଥିଲା। ଖଣ୍ଡଗିରି ଛକ ନିକଟରେ ହଠାତ୍ ଗାଡ଼ିର ବନେଟ୍ ନିକଟରୁ ଧୂଆଁ ବାହାରିଥିଲା। ଏହା ଦେଖି ଡ୍ରାଇଭର ଗାଡ଼ିକୁ ଅଟକାଇବା ସହ ନିକଟକୁ ଯାଇ ଦେଖିଥିଲେ। ଜଳୁଥିବା ଦେଖିବା ପରେ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀଙ୍କୁ ବାହାରକୁ ନେଇ ଆସିଥିଲେ। କିଛି ସମୟ ମଧ୍ୟରେ ଗାଡ଼ି ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେହି ବାଟ ଦେଇ ଯାଉଥିବା ଲୋକେ ଭୟଭୀତ ହୋଇ ଯାଇଥିଲେ। ଗାଡ଼ି ଜବତ କରି ଖଣ୍ଡଗିରି ଥାନାକୁ ନିଆଯାଇଛି।

ସମ୍ବନ୍ଧିତ ଖବର