କମିସନରେଟ୍‌ ପୁଲିସର ତ୍ରୈମାସିକ ଅପରାଧ ସମୀକ୍ଷା: ଚୋରି, ଲୁଟ୍ ମୁକାବିଲାରେ ପୁଲିସ ଫେଲ୍

ପୁରୁଣା ମାମଲା ଚିନ୍ତା ବଢ଼ାଉଛି

ଭୁବନେଶ୍ବର: ଚୋରି, ଲୁଟ୍ ମାମଲା ଅପରାଧୀକୁ ଧରିବା ହାର କମୁଛି। ଅନେକ ମାମଲାରେ ଅପରାଧୀ ଧରା ପଡ଼ୁନାହାନ୍ତି, ଚୋରି ଓ ଲୁଟ୍ ସାମଗ୍ରୀ ବି ଉଦ୍ଧାର ହୋଇପାରୁନାହିଁ। ଏହି ସବୁ ମାମଲାରେ ଅପରାଧୀଙ୍କୁ ଧରିବା ହାର କମିସନରେଟ୍‌ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ପ୍ରକାଶ କରାଯାଇନାହିଁ। ବି‌ଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚୋରି ମାମଲାରେ ଅପରାଧୀ ଚିହ୍ନଟ ହାର ମାତ୍ର ୨୦ ପ୍ରତିଶତ ରହିଛି। ଆଜି ପୁଲିସ ସେବା ଭବନରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ତ୍ରୈମାସିକ ଅପରାଧ ସମୀକ୍ଷା ବୈଠକରେ ଏଭଳି ଉଦ୍‌ବେଗଜନକ ତଥ୍ୟ ପଦାକୁ ଆସିଛି। ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଚୋରି ଓ ଲୁଟ୍ ମାମଲାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ। ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକର ସୁପରଭିଜନ୍ କରିବା ପାଇଁ ମଧ୍ୟ ଜୋନାଲ୍ ଏସିପିମାନଙ୍କୁ କୁହାଯାଇଛି। ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟା, ଲୁଟ୍, ରାହଜାନି ଭଳି ଯେଉଁ ପୁରୁଣା ମାମଲା ପଡ଼ି ରହିଛି, ସେଗୁଡ଼ିକର ତଦନ୍ତ ସାରିବା ପାଇଁ ମଧ୍ୟ ଥାନା ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର୍‌।

ତଥ୍ୟ ଲୁଚାଉଛି ପୁଲିସ
କି ପ୍ରକାର ଅପରାଧ କେତେ ପରିମାଣରେ ହୋଇଛି ‌ସେ ନେଇ ତଥ୍ୟ ଦେବାକୁ ଚାହୁନି କମିସନରେଟ୍‌ ପୁଲିସ। ବିଗତ ଦିନରେ ବର୍ଷକର ଅପରାଧ ରିପୋର୍ଟ ଜାନୁଆରି ମାସରେ ପ୍ରକାଶ ପାଉଥିବା ବେଳେ ଏବେ କେବଳ ସମୀକ୍ଷା ଚାଲିଛି। କିନ୍ତୁ କେତେ ପରିମାଣରେ କି ପ୍ରକାର ଅପରାଧ ବଢ଼ୁଛି ସେ ନେଇ ସୂଚନା ଦିଆଯାଉ ନାହିଁ। ପୂର୍ବରୁ ସମସ୍ତ ଅପରାଧ ସମ୍ବନ୍ଧରେ ସବିଶେଷ ବିବରଣୀ କମିସନରେଟ୍‌ ପୁଲିସ ୱେବ୍‌ସାଇଟ୍‌ରେ ପ୍ରକାଶ ପାଉଥିଲେ ମଧ୍ୟ ଏହା ୨୦୧୭ ପରେ ବନ୍ଦ ରହିଛି।

ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅ
ରାଜଧାନୀରେ ଏବେ ଅସାମାଜିକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବିଭିନ୍ନ ସ୍ଥାନରେ ସଂଘବଦ୍ଧ ଆକ୍ରମଣ ଘଟଣା ଘଟୁଛି। ଗତ କିଛି ମାସ ମଧ୍ୟରେ ରାଜଧାନୀରେ ଏକାଧିକ ଘଟଣା କମିସନରେଟ୍ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ରାଜଧାନୀବାସୀ ଭୟଭୀତ ହୋଇଛନ୍ତି। ଅସାମାଜିକଙ୍କ ବିରୋଧରେ ଯେଉଁ ପୁରୁଣା ମାମଲା ପଡ଼ି ରହିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଯେଉଁମାନଙ୍କ ବିରୋଧରେ ଦଫା-୧୦୭, ୧୧୦ ଭଳି ମାମଲା ପଡ଼ି ରହିଛି ସେମାନଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର।

ଅପରାଧ ରୋକିବା ଲାଗି କଡ଼ା ନିର୍ଦ୍ଦେଶ
ବିଭିନ୍ନ ଥାନା ଅଞ୍ଚଳରେ ବହୁ ଅସାମାଜିକ ଯୁବକଙ୍କ ଆଡ଼ା ରହିଛି। ଏହାସହ ଗତ କିଛି ଦିନ ହେଲା ରାଜଧାନୀରେ ଚୋରି, ଲୁଟ୍, ଛିନତାଇ ମଧ୍ୟ ବଢ଼ି ଚାଲିଛି। ଏହି ମାମଲାରେ ଅପରାଧୀଙ୍କୁ ଧରିବାରେ ଫେଲ୍ ମାରିଛି ପୁଲିସ। ଅପରାଧ ରୋକିବା ଲାଗି ପାଟ୍ରୋଲିଂକୁ ଗୁରୁତ୍ବ ଦିଆଯାଇଛି। ସବୁ ଥାନା ଆଇଆଇସି ନିଜ ଅଞ୍ଚଳରେ ସନ୍ଧ୍ୟା ଓ ରାତି ପାଟ୍ରୋଲିଂକୁ କଡ଼ାକଡି କରିବା ଲାଗି କୁହାଯାଇଥିବା ଜଣାପଡ଼ିଛି। ଅପରାଧକୁ କିପରି ରୋକି ହେବ, ସେନେଇ ନିର୍ଦ୍ଦେଶ ଦିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର