ସେବା, ଭୋଟ୍‌ ସହ ଯୁବକଙ୍କୁ ଯୋଡ଼ିବାକୁ ପ୍ରୟାସ

ଭୁବନେଶ୍ବର: ଦିନେ ଲୋକଙ୍କ ସେବା ପାଇଁ ଆଦର୍ଶ ଶ୍ରେଣୀୟ ବ୍ୟକ୍ତିବିଶେଷ ରାଜନୀତିକୁ ଓହ୍ଲାଉଥିଲେ। କ୍ଷମତା ଲୋଭୀ ରାଜନୀତିଜ୍ଞଙ୍କ ଆଚରଣ ଓ ଉଚ୍ଚାରଣରେ ଫରକ ଯୋଗୁଁ ଆଜି କିନ୍ତୁ ରାଜନୀତିର ସଂଜ୍ଞା ବଦଳିଯାଇଥିବା ଭଳି ହୃଦବୋଧ ହେଉଛି। ଏଭଳି ସ୍ଥଳେ ଯୁବଗୋଷ୍ଠୀଙ୍କୁ ଲୋକଙ୍କ ସହ‌ ଯୋଡ଼ିବା, ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବା ଏବଂ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବା ପାଇଁ ଅବସର ଦେଇଛି ସ୍ବେଚ୍ଛାସେବୀ ସଂଗଠନ ‘ବକୁଳ ଫାଉଣ୍ଡେସନ୍‌’ । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏପରି ଭିନ୍ନ ଚିନ୍ତା କରିଛି ବକୁଳ। ଏଥିରେ ବିଭିନ୍ନ ସ୍କୁଲ୍‌, କଲେଜ୍‌, ଆଇଟି ସଂସ୍ଥାର ୩ଶହରୁ ଅଧିକ ଯୁବକଙ୍କୁ ସାମିଲ୍‌ କରିଛି ବକୁଳ। ଏନେଇ ଆଜି ୧୨ଟି ବସ୍ତିରେ କିଛି କାର୍ଯ୍ୟକ୍ରମ ଆୟୋଜନ କରି ଯୁବକମାନଙ୍କୁ ସମ୍ପୃକ୍ତ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ବକୁଳର ପୂଜା ମିଶ୍ରଙ୍କ କହିବା ମୁତାବକ, ସଂପ୍ରତି ବସ୍ତିବାସିନ୍ଦାମାନେ ହିଁ ବେଶି ଭୋଟ ଦାନ କରୁଛନ୍ତି। ମାତ୍ର ସେଇମାନେ ହିଁ ସବୁଠୁ ଅବହେଳିତ ଭାବେ ପଡ଼ି ରହିଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ଏବଂ ଯୁବବର୍ଗ କିନ୍ତୁ ଏହି ଭୋଟ୍‌ ପ୍ରକ୍ରିୟାରେ ସାମିଲ୍‌ ହେଉନଥିବାରୁ ଉଚିତ୍‌ ଫଳାଫଳ ହେଉନାହିଁ। ତେଣୁ ଯୁବପିଢ଼ିଙ୍କୁ ସ୍ବେଚ୍ଛାକୃତ ସେବା ପାଇଁ ଉତ୍ସାହିତ କରିବା ସହ ଭୋଟ୍‌ ପ୍ରକ୍ରିୟା‌ରେ ସେମାନଙ୍କୁ ସାମିଲ୍‌ କରିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମ ଜରିଆରେ ଯୁବକମାନେ ବସ୍ତି ବୁଲି ଦେଖିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶି ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କୁ ସଚେତନ କରାଇଥିଲେ। ଏହି ସେବାରେ ଏମ୍‌ସ, ହାଇଟେକ୍‌, ଆଇଆଇଟି, କିଟ୍‌, ଆଇଟିଇଆର୍‌, ଟ୍ରାଇଡେଣ୍ଟ୍‌, ଜେଡି ଇନ୍‌ଷ୍ଟିଚ୍ୟୁଟ୍‌, ଓୟୁଏଟି ଏବଂ ବିଭିନ୍ନ ଆଇଟି କର୍ମଚାରୀ ସାମିଲ୍‌ ହୋଇଥିଲେ। ଭୁବନେଶ୍ବର ବ୍ୟତୀତ କଟକ, ଅନୁଗୁଳ, ମୁମ୍ବାଇ, ପୁନେ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଦିଲ୍ଲୀରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବସ୍ତିରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ସମାନ ଚିନ୍ତାଧାରାକୁ ଉତ୍ସାହିତ କରାଯିବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଭୋଟ୍‌ଦାନ ଏବଂ ରାଜନୈତିକ ସଂପୃକ୍ତି କ୍ଷେତ୍ରରେ ଏହା ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ପୂଜା ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର