ସାଇବର ଠକଙ୍କ ନୂଆ ତରିକା : ହ୍ୱାଟସ୍‌ଆପ୍ ମେସେଜ୍‌ ପଠାଇ ଲୁଟୁଛନ୍ତି

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ନୂଆ ତରିକାରେ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ। ଅନଲାଇନ୍ ମଦ, ହୋମ୍ ଡେଲିଭରି, ଘରେ ବସି ରୋଜଗାର, ଚାକିରି, କୋରିୟର୍‌ ଡେଲିଭରି, ସହଜରେ ଋଣ ପ୍ରଦାନ ନାଁରେ ଠକିବା ପରେ ଏବେ ହ୍ବାଟସ୍‌-ଆପ୍‌ ମେସେଜ୍‌କୁ ଅସ୍ତ୍ର କରିଛନ୍ତି। ସମ୍ପର୍କୀୟ, ସାଙ୍ଗସାଥୀ ଫାଇନାନ୍ସ ସଂସ୍ଥାରୁ ଋଣ ନେଇ ପରିଶୋଧ କରୁ ନ ଥିବା ନାଁରେ ଆସୁଛି ମେସେଜ୍। ଋଣଗ୍ରହୀତା ଏବଂ ତାଙ୍କର ରେଫରେନ୍ସ ରହିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହ୍ବାଟସଆପରେ ଚେତାବନୀ ଦିଆଯାଉଛି। ଯାହା ପାଖକୁ ମେସେଜ୍‌ ଆସୁଛି, ସେ ଭୟଭୀତ ହୋଇ ସେହି ନମ୍ବରରେ ଯୋଗାଯୋଗ କଲେ ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟୁଛି ଠକ। ରାଜଧାନୀରେ ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି। ଏମିତି ଜଣେ ଯୁବକ ଠକେଇର ଶିକାର ହେବା ପରେ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଥିବା ଯୁବକଜଣଙ୍କ ବଡ଼ଗଡ ଅଞ୍ଚଳର ସରୋଜ ସାହୁ ବୋଲି ଜଣାପଡ଼ିଛି। ଆହୁରି କିଛି ଅଭିଯୋଗ କେତେକ ଥାନାରେ ପହଞ୍ଚିଛି।

କେମିତି ହେଲା ଠକେଇ: ସରୋଜଙ୍କ ମୋବାଇଲ ଫୋନକୁ ଦୁଇ ଦିନ ତଳେ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା। ଜଣେ ସମ୍ପର୍କୀୟ ତାଙ୍କ ମୋବାଇଲ ନମ୍ବରକୁ ରେଫରେନ୍ସ ଦେଇ ୫ହଜାର ଟଙ୍କା ଋଣ ନେଇଛନ୍ତି। କିନ୍ତୁ ଋଣ ଶୁଝୁ ନାହାନ୍ତି ଏବଂ ଯେଉଁ ମୋବାଇଲ ନମ୍ବର ଦେଇଥି‌‌ଲେ, ତାହା ସୁଇଚ୍ ଅଫ୍ ରହୁଛି। ଯଦି ଋଣ ନ ଶୁଝନ୍ତି, ତାହାଲେ ଋଣଗ୍ରହୀତା ଓ ରେଫରେନ୍ସରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଋଣ ଅର୍ଥ ମଧ୍ୟ ସେମିତି ଅଧିକ ନ ଥିଲା। ମାତ୍ର ୭ ହଜାର ଟଙ୍କା ଥିବା ମେସେଜ୍‌ରେ ଦର୍ଶା ଯାଇଥିଲା। ସେ ହଡ଼ବଡ଼େଇ ଯାଇ ତୁରନ୍ତ ମେସେଜ୍ ଆସିଥିବା ନମ୍ବରକୁ ଯୋଗାଯୋଗ କରିଥିଲେ। ସେହି ଆଳରେ ମେସେଜ୍ ପଠାଇଥିବା ବ୍ୟକ୍ତି ଆଧାରକାର୍ଡ ନମ୍ବର, ଆକାଉଣ୍ଟ ନମ୍ବର, ଆଉ ଗୋଟିଏ ଫୋନ୍ ନମ୍ବର ନେଇ ଯାଇଥିଲା। ଏହି ମେସେଜ୍ ଭୁଲରେ ଚାଲି ଯାଇଛି ବୋଲି କହିଥିଲା। ତାଙ୍କ ମୋବାଇଲ ଫୋନକୁ ଯେଉଁ ଓଟିପି ଯିବ, ସେହି ନମ୍ବର କହିଲେ ରେଫରେନ୍ସରୁ ନାଁ ଏବଂ ନମ୍ବର କାଟି ଦିଆଯିବ ବୋଲି ମେସେଜ୍ ପଠାଇଥିବା ବ୍ୟକ୍ତି ସରୋଜଙ୍କୁ କହିଥିଲା। ସରୋଜ ଓଟିପି ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ୩୦ହଜାର ଟଙ୍କା କଟି ଯାଇଥିଲା। ହ୍ବାଟସ୍‌ଆପରେ ମେସେଜ୍ ପଠାଇଥିବା ବ୍ୟକ୍ତି ସାଇବର ଠକ ବୋଲି ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥି‌ଲେ ସରୋଜ। ଏ ନେଇ ସେ ସାଇବର ସେଲରେ ଅଭିଯୋଗ କରିଛନ୍ତି। କେବଳ ସରୋଜ ନୁହେଁ, ଏକାଧିକ ବ୍ୟକ୍ତି ଏଭଳି ସାଇବର ଠକଙ୍କ ହାବୁଡ଼‌‌‌‌‌‌ରେ ପଡ଼ିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର