ରାସ୍ତାରେ ଝୁଲୁଛି ମରଣ ଫାଶ, ଦଶା ଭୋଗୁଛନ୍ତି ଲୋକ

ଚନ୍ଦ୍ରଶେଖରପୁର : ମହାବାତ୍ୟା ‘ଫନି’କୁ ଅଢ଼େଇ ମାସ ବିତି ଯାଇଥିଲେ ମଧ୍ୟ ରାଜଧାନୀର ଚେହେରା ବଦଳି ପାରୁନାହିଁ। ରାସ୍ତାକଡ଼ରୁ ଉପୁଡ଼ି ଯାଇଥିବା ଗଛ କାଟି ସଫା କରିଦିଆଗଲା। ଶୋଇପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ସିଧା କରି ଦିଆଗଲା। ହେଲେ ଭୁବନେଶ୍ବର ସାରା ବିଛାଇ ହୋଇ ରହିଥିବା କେବୁଲ୍ ତାର କଥା ସମସ୍ତେ ଭୁଲିଗଲେ। ଫଳରେ ଏବେ ଦଶା ଭୋଗୁଛନ୍ତି ସାଧାରଣ ଜନତା। ଏନେଇ ବିଦ୍ୟୁତ୍ ବିଭାଗ ନିକଟରେ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ଅନେକ ସମୟରେ ଦୁର୍ଘଟଣା ‌ଘଟୁଥିବା ଦେଖି ବିଦ୍ୟୁତ୍ ବିଭାଗ ନିରବଦ୍ରଷ୍ଟା ସାଜିଛି। ବିଦ୍ୟୁତ୍ ଖୁଣ୍ଟରେ ଗୋଛା ଗୋଛା କେବୁଲ୍ ତାର ଛନ୍ଦା ଛନ୍ଦି ହୋଇ ରହିଥିବା ବେଳେ ଏବେ ତାର ମରଣ ଫାଶ ଭଳି ଝୁଲୁଛି। ପୂରା ରାଜଧାନୀ‌‌‌ରେ ଏପରି ସମସ୍ୟା ଦେଖାଯାଉଛି।

ଆଜି ମଧ୍ୟାହ୍ନରେ ଡମଣା ଛକରେ ମୋପେଡ୍‌ ଚଲାଇ ଯାଉଥିବା ସ୍ନେହଲତା ପୂଜାରୀ ନାମକ ଜଣେ ଯୁବତୀଙ୍କ ବେକରେ ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ତାର ଲାଗି ଯିବାରୁ ସେ ଛିଟିକି ପଡ଼ିବା ସହ ଚାପି ହୋଇ ଅଣନିଶ୍ବାସୀ ହୋଇପଡ଼ିଥିଲେ। ନିକଟରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ସେହିଭଳି ଆଜି ସକାଳେ ନାଲ୍‌କୋ ଛକରୁ ଡମଣା ଦିଗକୁ ଯାଉଥିବା ବେଳେ ବିଡିଏ କଲୋନିର ପ୍ରଶାନ୍ତ ରାଉତରାୟଙ୍କ ବାଇକ୍‌ରେ ରେଳସଦନ ନିକଟ ଡିଭାଇଡର୍‌ ଉପରେ ଥିବା ବତି ଖୁଣ୍ଟରୁ ଝୁଲୁଥିବା କେବୁଲ ଛନ୍ଦି ହୋଇଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଥିଲେ। ତାଙ୍କୁ ଏକ କାର୍ ପଛପଟରୁ ଧକ୍କା ଦେଇଥିଲା। ଏବେ ସେ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମଞ୍ଚେଶ୍ବର ଷ୍ଟେସନ୍ ରାସ୍ତା ଧିରିକୁଟି ସାହି ଛକରେ କେବୁଲ୍ ତାର ରାସ୍ତା ଉପରେ ଝୁଲୁଥିବା ବେଳେ ଆଜି ଅପରାହ୍‌ଣରେ ବିଶ୍ବଜିତ୍ ନାୟକ ନାମକ ଜଣେ ଯୁବକ ଛନ୍ଦି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଛି। ସେ ଏବେ ପାଣ୍ଡରା ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ମାସ ହେଲା ଝୁଲନ୍ତା ତାରରେ ଛନ୍ଦି ହୋଇ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ଲୋକ ପ୍ରକାଶ କରିଥିବା ବେଳେ ବିଦ୍ୟୁତ୍ ବିଭାଗ କେବୁଲ ଅପରେଟର୍ ମାନଙ୍କୁ ତାଗିଦ କରୁନାହିଁ କିମ୍ବା ଖୁଣ୍ଟରୁ ଛନ୍ଦାଛନ୍ଦି ହୋଇ ଝୁଲିଥିବା ତାରକୁ କାଟି ସଫା କରୁନାହିଁ।

ସମ୍ବନ୍ଧିତ ଖବର