ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଲଟକିଲା ‘ଧର୍ମପଦ ପୁରସ୍କାର’ ଭାଗ୍ୟ, ପୁରସ୍କାର ପାଇବେ କ’ଣ, ଆଖି ବୁଜିଲେଣି ୪

ଭୁବନେଶ୍ବର: ଦୀର୍ଘବର୍ଷର ବିବାଦ ପରେ ଧର୍ମପଦ ପୁରସ୍କାରର ଭାଗ୍ୟ ଫିଟିବା ଆଶା ସଞ୍ଚାର ହୋଇଥିଲା। ନ୍ୟାୟାଳୟରେ ଝୁଲି ରହିଥିବା ଓଡ଼ିଶା ଲଳିତ କଳା ଏକାଡେମିର ଏହି ସର୍ବୋଚ୍ଚ ସମ୍ମାନ ମାମଲାର ଫଇସଲା ହେବା ପରେ ଦୀର୍ଘ ବର୍ଷ ଧରି ଉପେକ୍ଷିତ ପ୍ରତିଭାଙ୍କ ମୁହଁରେ ହସ ‌ଫୁଟିଥିଲା। କାଳେ ଆଉ କିଏ କେସ୍‌ କରିଦେବ, ସେଥିପାଇଁ ଏ ପୁରସ୍କାର କେମିତି ଶୀଘ୍ର ଦିଆଯିବ, ସେନେଇ ଏକାଡେମି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପୁରସ୍କାର ବାବଦ ଫଳକ ମଧ୍ୟ ପ୍ରସ୍ତୁତ ସରିଛି। ମାତ୍ର ଆଶା ଉଙ୍କି ମାରୁମାରୁ ପୁଣି ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅଟକି ଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଫାଇଲ୍‌ ଉପରେ ଆଖି ପଡ଼ିବ ନା ପୁଣି ଅନ୍ୟ ଫାଇଲ୍‌ ଭଳି ଧର୍ମପଦ ପୁରସ୍କାର ଫାଇଲ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦୀର୍ଘଦିନ ପଡ଼ି ରହି ଧୂଳି ଜମିବ, ସେନେଇ କିଛି ବିଶିଷ୍ଟ ଚିତ୍ରଶିଳ୍ପୀ ସନ୍ଦେହ ପ୍ରକଟ କରିଛନ୍ତି।

୨୦୦୯ରୁ ୨୦୧୫ ମସିହା ପର୍ଯ୍ୟନ୍ତ ୭ ବର୍ଷ ପାଇଁ ୭ ଜଣ ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ଚାରୁକଳା ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ନାମ ଘୋଷଣା ହୋଇଥିଲା। ୨୦୦୯ ପାଇଁ ପଟ୍ଟଚିତ୍ର ଶିଳ୍ପୀ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଶିଳ୍ପୀ ଅସୀମ ବସୁ, ୨୦୧୧ ପାଇଁ ଖଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ଚିତ୍ରଶିଳ୍ପୀ ଯତୀନ ଦାସ, ୨୦୧୪ ପାଇଁ ଚିତ୍ରଶିଳ୍ପୀ ଡ. ଦୀନନାଥ ପାଠୀ, ୨୦୧୫ ପାଇଁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଡ. ରଘୁନାଥ ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିଲା। ମାତ୍ର ଏହି ବିବାଦ କୋର୍ଟକୁ ଯିବାରୁ ପୁରସ୍କାରରେ ରୋକ୍‌ ଲାଗିଥିଲା। ତେଣୁ ଇତିମଧ୍ୟରେ ଗୋକୁଳ ପଟ୍ଟନାୟକ, ଅସୀମ ବସୁ, ଦୀନନାଥ ପାଠୀଙ୍କର ମୃତ୍ୟୁ ହୋଇଯାଇଛି।

ସେହିପରି ୨୦୧୪ ପାଇଁ ଏକାଡେମି ପକ୍ଷରୁ ଚିତ୍ରଶିଳ୍ପୀ ଶରତ କୁମାର ରଥ, ହରିସିହ୍ନା ବାବୁ, ଟେରାକୋଟା ଶିଳ୍ପୀ ଦେବରାଜ ସାହୁ, ଚିତ୍ରଶିଳ୍ପୀ ପ୍ରମୋଦ ମହାନ୍ତି, ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦଙ୍କୁ ସମ୍ବର୍ଧିତ କରାଯିବାର ଥିଲେ ହେଁ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଗଲାଣି। ୨୦୧୫ ନିମନ୍ତେ ଚିତ୍ରଶିଳ୍ପୀ ଚନ୍ଦ୍ରମଣି ବିଶ୍ବାଳ, ଚିତ୍ରା ପଟ୍ଟନାୟକ, କୈଳାସ ମେହେର, ରାମହରି ଜେନା ଓ ଶୈଳବାଳା ନାୟକଙ୍କୁ ଏକାଡେମି ସମ୍ବର୍ଧନା ପ୍ରଦାନ କରାଯିବାର ଥିଲେ ହେଁ ସେମାନଙ୍କ ମଧ୍ୟରୁ ଜଣଙ୍କର ଦେହାନ୍ତ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ସଂପ୍ରତି ଅବସ୍ଥାପିତ ଓଡ଼ିଶା ଲଳିତ କଳା ଏକାଡେମି ସଚିବ ଗଜେନ୍ଦ୍ର ସାହୁ ଏନେଇ ଉଦ୍ୟମ କରି ପୁରସ୍କାର ଦେବାକୁ ତ୍ବରିତ ବେଗରେ କାମ ଆରମ୍ଭ କରିଦେଇଥିଲେ। ମାତ୍ର ଏ‌ ବାବଦ ଯେଉଁ ଫାଇଲ୍‌ଟି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଅନୁମୋଦନ ପାଇଁ ଗଲା, ତାହା ସେଇଠି ଅଟକିଗଲା। ଏହା ମଧ୍ୟରେ ଏକ ସୁଖର କଥା ହେଉଛି, ୨୦୧୭ ମସିହାରୁ ଅଟକି ରହିଥିବା ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ୮ଜଣ ଶିଳ୍ପୀଙ୍କୁ ଶୁକ୍ରବାର ବୁଦ୍ଧ ଆର୍ଟ ଗ୍ୟାଲେରିରେ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର