ସାବଧାନ! ପାକିସ୍ତାନୀ ହ୍ୟାକର ପଠାଉଛନ୍ତି ଜାଲ୍ ଆରୋଗ୍ୟ ସେତୁ ଲିଙ୍କ୍

ଭୁବନେଶ୍ବର : ଆଖପାଖରେ କରୋନା ଆକ୍ରାନ୍ତ ରହିଛନ୍ତି କି ନାହିଁ ସୂଚାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି ଆରୋଗ୍ୟ ସେତୁ ଆପ୍। ସେହିପରି କୋରନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାଣିବା ପାଇଁ ଏହି ଆରୋଗ୍ୟ ସେତୁ ଆପ୍ ସରକାରଙ୍କୁ ମଧ୍ୟ ବେଶ୍ ସହାୟକ ହେଉଛି। କିନ୍ତୁ ଆରୋଗ୍ୟ ସେତୁ ଆପକୁ ନେଇ ଆରମ୍ଭ ହୋଇଯାଇଛି ସାଇବର କ୍ରାଇମ୍। ଜାଲ ଆରୋଗ୍ୟ ସେତୁ ଡାଉନଲୋଡ୍ କରିବା ପାଇଁ ପାକିସ୍ତାନୀ ହ୍ୟାକର ପଠାଉଛନ୍ତି ଲିଙ୍କ୍। ଯିଏ ଏହି ଲିଙ୍କକୁ ନିଜ ମୋବାଇଲରେ ଡାଉନଲୋଡ୍ କଲା ସେହି ବ୍ୟକ୍ତିର ମୋବାଇଲ ଫୋନରେ ଥିବା ସମସ୍ତ ତଥ୍ୟ ହ୍ୟାକରଙ୍କ ହାତ ମୁଠାରେ ପହଞ୍ଚି ଯାଉଛି। ସାଇବର ହ୍ୟାକରଙ୍କ ଠକାମିର ଶିକାର ନ ହେବା ଲାଗି କମିସନରେଟ ପୁଲିସ ସତର୍କ କରାଇଛି। ଏ ନେଇ ଏକ ଆଡଭାଇଜରି ଜାରି କରିଛି।

କେମିତି ଆସୁଛି ଲିଙ୍କ୍ ଓ ପ୍ରତିକାର କ’ଣ
ଅଜଣା ନମ୍ବରରୁ ଏସ୍ଏମ୍‌ଏସ୍‌, ହ୍ବାଟସଆପ୍ ଓ ମେସେଞ୍ଜର ଜରିଆରେ ଜାଲ୍ ଆରୋଗ୍ୟ ସେତୁ ଆପର ଲିଙ୍କ୍ ଆସୁଛି।
ଏଭଳି ଲିଙ୍କକୁ ଡାଉନଲୋଡ୍ କଲା ପରେ ଏହା ‘ଚାଟ୍ ମି’ ନାଁରେ ଆପ୍ ଦେଖାଉଛି।
ଏଭଳି ଲିଙ୍କ୍‌ ଉପରେ କ୍ଲିକ୍ ନ କରିବା ପାଇଁ ପରାମର୍ଶ ଦେଇଛି କମିସନରେଟ ପୁଲିସ।
ଏଭ​ଳି ଲିଙ୍କ୍‌କୁ ତୁରନ୍ତ ମୋବାଇଲ ଫୋନରୁ ଡିଲିଟ୍ କରିବା ପାଇଁ କୁହାଯାଇଛି।
ଯଦି ଲିଙ୍କ୍‌ କ୍ଲିକ୍ କରି କେହି ଡାଉନଲୋଡ୍ କରିଛନ୍ତି ତାହାଲେ ତୁରନ୍ତ ମୋବାଇଲ ଫୋନକୁ ରିସେଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି।
ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ପାଇଁ ପରାମର୍ଶ ଦେଇଛି କମିସନରେଟ ପୁଲିସ।

କେମିତି ଜାଲ ବିଛାଉଛନ୍ତି ହ୍ୟାକର
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନୀ ହ୍ୟାକରମାନେ ଜାଲ ଆରୋଗ୍ୟ ସେତୁ ଆପ ଲିଙ୍କ ମାଧ୍ୟମରେ ବିଶେଷ କରି ସେନା କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ସେନା ବାହିନୀ କର୍ମଚାରୀ, ଯବାନଙ୍କ ନିକଟକୁ ଜାଲ ଆରୋଗ୍ୟ ସେତୁ ଆପ୍ ଲିଙ୍କ୍ ପଠାଉଛନ୍ତି। ଯଦି କେହି ଡାଉନଲୋଡ୍ କଲା ତାହାଲେ ସେମାନଙ୍କ ମୋବାଇଲରେ ଥିବା ସମସ୍ତ ତଥ୍ୟ ଚୋରି କରି ନେଉଛନ୍ତି। ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ ଚୋରି କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ହ୍ୟାକର୍। ଯଦି କେହି ସାଧାରଣ ଲୋକ ହ୍ୟାକରଙ୍କ ଶିକାର ହେଲା ତାହାଲେ ମୋବାଇଲର ସମସ୍ତ ତଥ୍ୟ ଚୋରି କରି ନେଉଛନ୍ତି। ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, କେବଳ ଏହି ଲିଙ୍କ୍ ନୁହେଁ ଯେ କୌଣସି ଅଜଣା ନମ୍ବରରୁ ଲିଙ୍କ୍ ଆସୁଛି ତାହାକୁ ଡାଉନଲୋଡ୍ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର