ରାତିଅଧରେ ରାଜଧାନୀ ଅଶାନ୍ତ: କର୍ପୋରେଟର୍ଙ୍କ ଭାଇ, ପୁତୁରାଙ୍କୁ ଗୁଳିମାଡ଼
ପୂର୍ବତନ ପୁଲିସ କର୍ମଚାରୀ ସମେତ ୨ଅଟକ, ବନ୍ଧୁକ ଜବତ
ଭୁବନେଶ୍ବର : ବୁଧବାର ରାତି ଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ। ପୁଣି ପୁଲିସ ସମ୍ମୁଖରେ। ଗୁଳିକାଣ୍ଡ ଯୋଗୁ ବାପ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ। ଶିଖରଙ୍କ ବାମ ଗୋଡ଼ ଆଣ୍ଠୁ ତଳେ ଗୋଟିଏ ଗୁଳି ବାଜିଥିବା ବେଳେ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି। ସେ ପ୍ରଭାତଙ୍କ ବଡିଗାର୍ଡ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଅନ୍ୟପଟେ ଗୁଳିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଏକ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ମୁତାବକ, ରାତି ପାଖାପାଖି ୧୧ଟା ସମୟରେ ଶିଖର ଜେନାଙ୍କ ବଡ଼ପୁଅ ଦୀପକ ଜେନା ପୁରୀ ବାଇପାସ୍ ରୋଡ୍ରୁ କାମ ସାରି ଘରକୁ ଫେରୁଥିଲେ। ସେ ପ୍ରଜାପତି ମଣ୍ଡପ ନିକଟରେ ଯାଉଥିବା ବେଳେ ପ୍ରଭାତ ମାର୍ଥା ଓରଫ୍ ଗୁଲ ମାର୍ଥା ଏବଂ ତାଙ୍କର କିଛି ସହଯୋଗୀ ହଠାତ୍ ତାଙ୍କ କାର୍ ସମ୍ମୁଖରେ ସେମାନଙ୍କ କାର୍ ଲଗାଇଥିଲେ। ଏହାପରେ ଗାଳିମନ୍ଦ ଆରମ୍ଭ କରିଥିଲେ। ସ୍ଥିତି ବିଗିଡ଼ିବା ପୂର୍ବରୁ ଦୀପୁ ସାନଭାଇ ରିଙ୍କୁଙ୍କୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ଭାଇ ସମସ୍ୟାରେ ପଡ଼ିଥିବା ଜାଣିବା ପରେ ତୁରନ୍ତ ସେ ପୁଲିସକୁ ଜଣାଇବା ସହ ସେ ଏକ କାର୍ରେ ତାଙ୍କ ଦାଦା କର୍ପୋରେଟର୍ ଶ୍ରୀଧର ଜେନା ଓ ବାପା ଶିଖର ଜେନାଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। କାହିଁକି ଗାଡ଼ି ଛାଡ଼ୁନ ବୋଲି ପଚାରିବାରୁ ହଠାତ୍ ପ୍ରତିପକ୍ଷର ଲୋକେ କାର୍ ଭିତରୁ ଫାଇରିଂ କରିଥିଲେ। ପ୍ରାୟ ୬ ରାଉଣ୍ଡ ଗୁଳି ଫାୟାର୍ ହୋଇଥିଲା। ସେତେବେଳକୁ ସେଠାରେ ପିସିଆର୍ ଭ୍ୟାନ୍ ଥିଲେ ବି ସେମାନେ ଗୁଳି ଚଳାଇବାକୁ ପଛାଇନଥିଲେ। ଗୋଟିଏ ଗୁଳି ଶିଖରଙ୍କ ବାମ ଗୋଡ଼ରେ ବାଜିଥିବା ବେଳେ ଅନ୍ୟଟି ରିଙ୍କୁଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଅନ୍ୟ ଦୁଇଟି ଗୁଳି ସେଠାରେ ଥିବା ଦୁଇ ଜଣ ଯୁବଙ୍କ ଗୋଡ଼ରେ ସାମାନ୍ୟ ବାଜି ଖସିଯାଇଥିଲା।
ପିସିଆର୍ ପୁଲିସ ପରିସ୍ଥିତିକୁ ସମ୍ଭାଳି ନପାରି ଲକ୍ଷ୍ମୀସାଗର ଥାନାକୁ ଜଣାଇଥିଲେ ଏବଂ ପୁଲିସର ଅନ୍ୟ ଏକ ଭ୍ୟାନ୍ ପହଞ୍ଚିଥିଲା। ଦୁଇ ଦୁଇଟି ଭ୍ୟାନ୍ ଦେଖି ପ୍ରଭାତ ସହଯୋଗୀଙ୍କୁ ବନ୍ଧୁକ ଦେଇ ବାହାରକୁ ପଠାଇବାକୁ ବସିଥିଲେ। ହେଲେ ପୁଲିସ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ସେହିପରି ପୁଲିସ ସେଠାରୁ ଆହତ ଦ୍ବୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା। ସେଠାରେ ଶ୍ରୀଧର ଓ ଶିଖରଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା। ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଖୋଦ ଡିସିପି ପ୍ରତୀକ ସିଂ ସେଠାରେ ପହଞ୍ଚି ତଦାରଖ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝାସୁଝା କରିଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି।
ଅନ୍ୟପଟେ ପୁଲିସ ସମ୍ମୁଖରେ ଗୁଳିକାଣ୍ଡକୁ ଡିସିପି ଶ୍ରୀ ସିଂ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ପହଞ୍ଚିବା ପୂର୍ବରୁ ଗୁଳିକାଣ୍ଡ ଘଟିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଫେରାର୍ ହୋଇଯିବାକୁ ଉଦ୍ୟମ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ କାବୁ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଛି। ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଶ୍ରୀ ସିଂ କହିଛନ୍ତି।