ହାଉସିଂବୋର୍ଡ ଗ୍ରାହକଙ୍କ ଅସନ୍ତୋଷ: ଦିନ ଗଡ଼ୁଛି, ଘର ମିଳୁନି

ଖଣ୍ଡଗିରି: ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ (ଓଏସ୍‌ଏଚ୍‌ବି)ର ଗ୍ରାହକମାନଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ବାରମ୍ବାର ଧାର୍ଯ୍ୟ ସମୟ ଗଡ଼ି ଗଡ଼ି ଚାଲିଥିଲେ ବି ଗ୍ରାହକମାନଙ୍କୁ ଘର ମିଳୁ ନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କା ଋଣ କରି ଘର ଖଣ୍ଡିଏ ପାଇଁ ଅପେକ୍ଷା କରିଥିବା ଗ୍ରାହକମାନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। ଏମିତି ସ୍ଥିତିରେ ଗ୍ରାହକମାନଙ୍କୁ ଠିକା ସଂସ୍ଥାର କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କ ଅସଦ୍‌ ବ୍ୟବହାର ଆହୁରି ବାଧୁଛି ବୋଲି ଅଭିଯୋଗ ହେଉଛି।

ସୂଚନାନୁଯାୟୀ, ହାଉସିଂବୋର୍ଡ ପକ୍ଷରୁ ଡୁମଡୁମା ଫେଜ୍‌-୭ରେ ୩ପ୍ରକାର ଫ୍ଲାଟ ବିକ୍ରି ପାଇଁ ନିର୍ଦିଷ୍ଟ ମାନଦଣ୍ଡ ସହ ଲଟେରି ଜରିଆରେ ଆବଣ୍ଟନ କରାଯାଇଥିଲା। ୨୦୧୯ ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ସେହି ଅନୁଯାୟୀ ଗ୍ରାହକମାନେ ପର୍ଯ୍ୟାୟକ୍ରମେ ଟଙ୍କା ଜମା କରିଥିଲେ। ରୋଜାଲିନ୍‌ ଆଚାର୍ଯ୍ୟ ନାମକ ଜଣେ ଗ୍ରାହକଙ୍କ ଅଭିଯୋଗ ଅନୁସାରେ ୨୦୧୬ ଡିସେମ୍ବର ୩୧ ତାରିଖରୁ ଏ ପର୍ଯ୍ୟନ୍ତ ଜିଏସ୍‌ଟି ସହ ସେ ମୋଟ ୧୭ଲକ୍ଷ ଜମା କରି ସାରିଛନ୍ତି। ଏଥିପାଇଁ ସେ ବିଭିନ୍ନ ଉତ୍ସରୁ ଋଣ କରିଛନ୍ତି। ୨୦୧୯ ଡିସେମ୍ବର ୩୧ରେ ତାଙ୍କୁ ଘର ମିଳିଯିବ ‌ବୋଲି ସେ ବଡ଼ ଆଶା କରିଥି‌ଲେ। କିନ୍ତୁ ଘର ମିଳିବା ଅବଧି ସରି ଦେଢ଼ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଏପର୍ଯ୍ୟନ୍ତ ଘର ମିଳିନାହିଁ। ଅପରପକ୍ଷେ ସେ ଋଣ ବାବଦରେ ସୁଧମୂଳ ଓ ଘରଭଡ଼ା ଗଣି ଗଣି ନୟାନ୍ତ ହେଲେଣି।

ଏନେଇ ଗ୍ରାହକମାନେ ହାଉସିଂବୋର୍ଡର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଇଲେକ୍ଟ୍ରିଫିକେସନ୍‌ କାର୍ଯ୍ୟ ପାଇଁ ବିଳମ୍ବ ହେଉଥିବା ବାହାନା କରାଯାଇଥିଲା। ତେବେ ଏଇ ମାସ ଅର୍ଥାତ୍ ଜୁନ୍‌ ପ୍ରଥମ ସପ୍ତାହରେ ସେମାନଙ୍କୁ ଫ୍ଲାଟ୍‌ ହସ୍ତାନ୍ତର କରାଯିବ ବୋଲି ପୁଣି ଏକ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ବି ହେଲା ନାହିଁ। ଘର କାମର ଅଗ୍ରଗତି ଦେଖିବା ପାଇଁ ଆଜି ରୋଜାଲିନ୍‌ଙ୍କ ସ୍ବାମୀ ସଂଜୀବ ଆପାର୍ଟମେଣ୍ଟ ଭିତରକୁ ଯିବାକୁ ଉଦ୍ୟମ କରିବାରୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା ଓ ଭିତରକୁ ଯିବାକୁ ଦିଆଯାଇନଥିଲା। ତେଣୁ ଘର ମିଳିବା ପୁଣି ବିଳମ୍ବିତ ହେବ ଓ ତାଙ୍କୁ ପ୍ରତାରିତ କରାଯାଉଛି ବୋଲି ରୋଜାଲିନ୍‌ ଅଭିଯୋଗ କରିଛନ୍ତି। ଏନେଇ ଅଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର