ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କର: ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଗୁରୁତ୍ବ, ୭ ଦିନରେ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ବର: ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁ ମରୁଡ଼ି ସ୍ଥିତି ଗୁରୁତର ଆକାର ଧାରଣ କରିବାର ଆଶଙ୍କା ଦେଖାଦେଇଛି। ମରୁଡ଼ିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବ ପରିସ୍ଥିତିର ସମୀକ୍ଷା କରି ପ୍ରଶାସନକୁ ସଜାଗ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସମୀକ୍ଷା କରିଛନ୍ତି। ମରୁଡ଼ିର ମୁକାବିଲା ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେବା ସହ ଚାଷୀମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍‌ରେ ବର୍ଷାର ଅଭାବ ଦେଖାଦେଇଛି ଯାହା କି କୃଷି କାର୍ଯ୍ୟକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗକୁ ସତର୍କ ରହିବା ସହ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଜିଲ୍ଲାପାଳମାନେ କ୍ଷେତ୍ର ସ୍ତରରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଚାଷୀଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ବିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀଙ୍କୁ ଡିଜେଲ ପମ୍ପସେଟ୍ ଯୋଗାଇ ଦିଆଯିବ।

ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ (ଫାର୍ମ ପଣ୍ଡ୍) ଖୋଳିବାଯିବ। ଏହା ସହିତ ସମସ୍ତ ଉଠାଜଳସେଚନ ପଏଣ୍ଟଗୁଡ଼ିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ଜରୁରୀ। ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକ ମାନଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦିଆଯିବ। ତଳିଆ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଓ ଭୂତଳ ଜଳ ରିଚାର୍ଜିଂ ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ନେବ। ଜନସାଧାରଣ ଓ ପ୍ରାଣୀସମ୍ପଦ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବା ଲାଗି ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍ ରହିଛି। ଧାନ ଫସଲ ପାଇଁ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଅଣଧାନ ଫସଲ ପାଇଁ କୌଣସି ସମସ୍ୟା ସୃଷ୍ଡି ହୋଇ ନାହିଁ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ବୈଠକରେ ପଞ୍ଚାୟତିରାଜ, କୃଷି ଓ ଜଳସମ୍ପଦ ବିଭାଗ ନିଜସ୍ବ ବିକଳ୍ପ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ ରଖିଥିଲେ। କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଯାଉଥିବା ଲୋକଙ୍କୁ ଯେପରି ରାଜ୍ୟ ମଧ୍ୟରେ କାମ ଯୋଗାଇ ଦିଆଯାଇପାରିବ, ସେ ସମ୍ପର୍କରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା।

କଳାହଣ୍ଡି, ସୁନ୍ଦରଗଡ଼, ଅନୁଗୁଳ ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ରାଜ୍ୟରେ ବୃଷ୍ଟିପାତ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ସେପ୍ଟେମ୍ବର ମାସରେ ସ୍ବଭାବିକ ବୃଷ୍ଟିପାତ ହୋଇ ୨୨୬.୬ ମି.ମି. ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଉନ୍ନୟନ କମିସନର ଏବଂ ବିଭିନ୍ନ ବିଭାଗର ସଚିବ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର