କରୋନା ଲକ୍‌ଡାଉନ୍‌: ସଂସ୍କୃତି ଦୁନିଆ ଶିଥିଳ

ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହାୟତା ରାଶି ବଢ଼ାନ୍ତୁ

ଭୁବନେଶ୍ବର: ଲକ୍‌ଡାଉନ୍‌ ପ୍ରଭାବ ସବୁଥିରେ ଦେଖିବାକୁ ମିଳିଛି। କେବଳ ରବୀନ୍ଦ୍ର ମଣ୍ଡପ କି ଜୟଦେବ ଭବନ ନୁ‌ହେଁ, ରାଜଧାନୀର ସମସ୍ତ ପ୍ରେକ୍ଷାଳୟ ନିରବ ପାଲଟି ଯାଇଛନ୍ତି। ପୂରା ସଂସ୍କୃତି ଜଗତ ଯେମିତି ଶିଥିଳ ହୋଇଯାଇଛି। ନାଟକର ଦମ୍‌ଦାର ସଂଳାପ ଆଉ କେଉଁଠି ଶୁଣାଯାଉ ନାହିଁ। ନୂପୁରର ରୁଣୁଝୁଣୁ ଶବ୍ଦ ଓ ଶାସ୍ତ୍ରୀୟ ସଙ୍ଗୀତର ମୃଦୁ ଝଙ୍କାର ବି କାନରେ ପଡ଼ୁନାହିଁ। ଦର୍ଶକ ଓ ଶ୍ରୋତାଙ୍କ କରତାଳିର ଗୁଞ୍ଜରଣ ନାହିଁ, ସେମାନଙ୍କ ଗହଳଚହଳରେ ପ୍ରେକ୍ଷାଳୟ ଆମୋଦିତ ହେଉନାହିଁ। ଚାରିଆଡ଼େ ଯେମିତି ଖାଁ ଖାଁର ରାଜୁତି। ରାଜଧାନୀର ମଣ୍ଡପ କି ପ୍ରେକ୍ଷାଳୟ ନୁହେଁ ପୂରା ସଂସ୍କୃତି ଜଗତ ଯେମିତି ଶିଥିଳ ହୋଇଯାଇଛି। କେବେ ସ୍ଥିତି ସୁଧୁରିବ ଏବଂ ମଣ୍ଡପ ଓ ପ୍ରେକ୍ଷାଳୟଗୁଡ଼ିକ ପୁଣି ଥରେ କେବେ ଆମ ସଂସ୍କୃତି, ପରମ୍ପରାର ଗାଥା ଗାଇବେ ତ‌ାକୁ ହିଁ ସମସ୍ତଙ୍କ ଅପେକ୍ଷା। ବର୍ଷ ସାରା ବୁକିଂ ହୋଇ ରହୁଥିବା ରବୀନ୍ଦ୍ର ମଣ୍ଡପ ଏବେ ଫାଙ୍କା ପଡ଼ିଛି। ବହୁ ସାଂସ୍କୃତିକ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପତ୍ରପତ୍ରିକାର ବାର୍ଷିକୋତ୍ସବ, ଅନେକ ଅନୁଷ୍ଠାନର ପୁରସ୍କାର ବିତରଣ ମହୋତ୍ସବ ଆଦିରେ ବ୍ୟସ୍ତ ରହୁଥିବା ମଣ୍ଡପ‌ଟି ଏବେ ସମ୍ପୂର୍ଣ୍ଣ ଖାଲିପଡ଼ିଛି। ଏପ୍ରିଲ ଯାଏ ବୁକିଂ ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗ ପକ୍ଷରୁ ବାତିଲ କରିଦିଆଯାଇଛି। ଲକ୍‌ଡାଉନ୍‌ ଏତିକିରେ ଶେଷ ହେବ ନା ନାହିଁ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମା‌ଜିକ ଦୂରତ୍ବ କେତେ ଦିନ ବଳବତ୍ତର ରହିବ ତାହା ବି କାର୍ଯ୍ୟକ୍ରମ ଆୟୋଜକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏ ସବୁ ମଧ୍ୟରେ କାର୍ଯ୍ୟକ୍ରମ ସବୁ କରିବାକୁ କେବେ ଅନୁମତି ଦିଆଯିବ, କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏବେ କେହି ପ୍ରାୟୋଜକ ମି‌ଳିବେ କି ନାହିଁ ସେ ନେଇ ବି କଳାକାରଙ୍କଠାରୁ ଆରମ୍ଭ କରି ଆୟୋଜକଙ୍କର ଚିନ୍ତାର କାରଣ ହୋଇଛି। କେବଳ ରବୀନ୍ଦ୍ର ମଣ୍ଡପ ନୁହେଁ, କଳା ଓ ସଂସ୍କୃତିର ପ୍ରଚାର କ୍ଷେତ୍ରରେ ଗୁରୁତ୍ବ ବହନ କରୁଥିବା ଉତ୍କଳ ମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସମାନ ସ୍ଥିତି। ଏଠାରେ ମଧ୍ୟ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଚାଲେ। ଏଠି ମଧ୍ୟ ସେମିତି ଖାଁ ଖାଁର ରାଜୁତି। ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ଜୟଦେବ ଭବନ ଓ ଗୀତଗୋବିନ୍ଦ ସଦନରେ ବି ସମାନ ସ୍ଥିତି। ବୁକିଂ ବନ୍ଦ ହେବା ପରେ ଜୟଦେବ ଭବନରେ କିଛି ଦିନ ନବୀକରଣ କାର୍ଯ୍ୟ ଚାଲିଥିଲା। ଏବେ ଲକ୍‌ଡାଉନ୍‌ ଯୋଗୁଁ ନବୀକରଣ କାର୍ଯ୍ୟ ବି ବନ୍ଦ କହିଛି। ଲକ୍‌ଡାଉନ୍‌ ପରେ ଏହି ଦୁଇଟି ପ୍ରେକ୍ଷାଳୟ ବି କେବେ ଖୋଲିବ ତାହା ବି ଠିକ୍‌ ନାହିଁ। ଏମିତି ଏକ ସ୍ଥିତରେ କଳା ସଂସ୍କୃତି ଦୁନିଆ ଏକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ରବୀନ୍ଦ୍ର ମଣ୍ଡପର ତତ୍ତ୍ବାବଧାରକ ପ୍ରମୋ‌ଦ କୁମାର ବିଶ୍ବାଳ କହିଛନ୍ତି, ପୂର୍ବରୁ ରବୀନ୍ଦ୍ର ମଣ୍ଡପ କେବେ ଏତେ ଦିନ ପାଇଁ ବନ୍ଦ ହୋଇନଥିଲା। କେବଳ ଯାହା ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ୧୫ ଦିନ କି ବେଶି ହେଲେ ମାସେ ମଣ୍ଡପ ବନ୍ଦ ରୁହେ। ଗତ ବର୍ଷ ‘ଫନି’ ପରେ ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ୧୦ ଦିନ ମଣ୍ଡପ ବନ୍ଦ କରାଯାଇଥିଲା। କିନ୍ତୁ ମଣ୍ଡପ ପ୍ରତିଷ୍ଠା ହେବାଠାରୁ ଏଭଳି ପରିସ୍ଥିତି କେବେ ଉପୁଜି ନଥିଲା। ମାର୍ଚ୍ଚ ୧୩ ତାରିଖ ସଂଧ୍ୟାରେ ସମସ୍ତ ବୁକିଂ ବାତିଲ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତ ନିଆଗଲା। ଏହାପରଠାରୁ ମଣ୍ଡପ ବନ୍ଦ ରହିଛି। କିନ୍ତୁ ଏପ୍ରିଲ ୩୦ ତାରିଖ ଯାଏ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ଟଙ୍କା ନିଆଯାଇ ଥିବାରୁ ଏହାକୁ ସମସ୍ତ ଆୟୋଜକଙ୍କୁ ଫେରାଇ ଦିଆଯିବ। ବୁକିଂର ରସିଦ୍‌ ସହ ସଂସ୍କୃତି ବିଭାଗକୁ ଦରଖାସ୍ତ ଦେଲେ ଆୟୋଜକ ମାନେ ନିଜ ବାତିଲ ହୋଇଥିବା କାର୍ଯ୍ୟକ୍ରମର ଟଙ୍କା ଫେରସ୍ତ ପାଇପା‌ରିବେ। ତେବେ ଏ ଭିତରେ ଅନେକ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ବି ବନ୍ଦ ରହିଛି। ‘ଉତ୍କଳ ଦିବସ’ ଉତ୍ସବ ଠାରୁ ଆରମ୍ଭ କରି ନିୟମିତ ଭାବେ ପ୍ରତିମାସରେ ହେଉଥିବା ଶ୍ରୀ ଜଗନ୍ନାଥାୟନ, ସଙ୍ଗୀତାୟନ, ଆମ ଲୋକନୃତ୍ୟ ଉତ୍ସବ ଆଦି ମଧ୍ୟ ଏହି ସମୟରେ ବାତିଲ କରିଦିଆଯାଇଛି।

ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସହାୟତା ରାଶି ବଢ଼ାନ୍ତୁ
ଓଡ଼ିଆ ଭା‌ଷା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଆମ ଅନୁଷ୍ଠାନ ‘ସଂଭାବନା’ ବର୍ଷ ସାରା କାର୍ଯ୍ୟକ୍ରମ କରି ଆସୁଥିଲା। ବର୍ତ୍ତମାନ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ ଚାଲିଥାନ୍ତା। କିନ୍ତୁ କ‌ରୋନା ମହାମାରୀ ସବୁ କିଛି ବନ୍ଦ କରି ଦେଇଛି। ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍କୃତି ବାଭାଗ ଓ ଅନ୍ୟ କିଛି ଅନୁଷ୍ଠାନ ପକ୍ଷରୁ ଯାହା ଆର୍ଥିକ ସହଯୋଗ ଆସେ ସେଥିରୁ ଟେଣ୍ଟ ହାଉସ୍‌, ବାଦ୍ୟଯନ୍ତ୍ର ଶିଳ୍ପୀ, କଣ୍ଠଶିଳ୍ପୀ, କଳାକାରମାନେ କିଛି କିଛି ରୋଜଗାର କରନ୍ତି। କିନ୍ତୁ ବର୍ତ୍ତମାନ ତ’ ସରକାର ସବୁ କାର୍ଯ୍ୟକ୍ରମ ବନ୍ଦ କରି ଦେଇଛନ୍ତି, ଫଳରେ ଏମାନଙ୍କ ରୋଜଗାରର ପନ୍ଥା ଗୋଟିଏ ପ୍ରକାର ବନ୍ଦ ହୋଇଯାଇଛି। ଏଭଳି ପରିସ୍ଥିତିରେ ସରକାର ଯଦି ଆଗକୁ ନିଷ୍ପତ୍ତି ନେବେ ଯେ ଆମେ ଏବେ ସଂସ୍କୃତି ଦିଗରେ କିଛି ଖର୍ଚ୍ଚ କରିବୁନି ତେବେ ଗୁଡ଼ାଏ ଲୋକ ଆର୍ଥିକ ଦୁଃସ୍ଥିତି ଭିତରକୁ ଚାଲିଯିବେ। ସଂସ୍କୃତି ଉପରେ ନିର୍ଭରଶୀଳ ଅନେକ ବ୍ୟକ୍ତି ମାନସିକ ଦୁଃଶ୍ଚିନ୍ତା ଭିତରକୁ ଚାଲିଯିବେ। ଏଭଳି ପରିସ୍ଥିତି‌ରେ ସରକାର ନିଜର ଆର୍ଥିକ ସହାୟତା ବଢ଼ାଇବା ଦରକାର। ଯାହା ଫଳରେ କଳା କ୍ଷେତ୍ରର କଳାକାରଟିଏ ବଞ୍ଚିଯାଇପାରିବ।
ଦେବପ୍ରସାଦ ପରିଜା, ସମ୍ପାଦକ, ସଂଭାବନା

ଶ୍ରମିକ ଓ କୃଷକଙ୍କ ଭଳି କଳାକାରଙ୍କୁ ସହାୟତା ମିଳୁ
ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପ କି ଭଞ୍ଜକଳା ମଣ୍ଡପ ଖାଲି ନୁହେଁ, ରାଉରକେଲା, ବାଲେଶ୍ବର ଓ ବାରିପଦା ଆଦି ସ୍ଥାନରେ ପ୍ରାୟ ବର୍ଷ ସାରା ନାଟକ ହୁଏ। ବିଶେଷ କରି ଭୁବନେଶ୍ବରରେ ୩୬୫ ଦିନରୁ ୩୫୦ ଦିନ ନାଟକ ହୁଏ। ନାଟ୍ୟ କାର୍ଯ୍ୟକ୍ରମ ଦ୍ବାରା ନାଟକରେ ଗୀତ ଗାଉଥିବା ଅବା ବଂଶୀ, ହାର୍‌ମୋନିୟମ୍‌ ଆଦି ବଜାଉଥିବା କଳାକାରଙ୍କଠାରୁ ଆରମ୍ଭ କରି ମେକ୍‌ଅପ୍‌ ଆର୍ଟିଷ୍ଟ, ‌ମଞ୍ଚସଜ୍ଜା ଆଦି କଳାକାରମାନେ କିଛିକିଛି ଟଙ୍କା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସେମାନଙ୍କ ରୋଜଗାର ପୂରା ବନ୍ଦ ହୋଇଯାଇଛି। ଅନେକ ସମୟରେ ସେମାନେ ଆମଠାରୁ ଟଙ୍କା ଧାରକରଜ କରିବାକୁ ବାଧ୍ୟ ହେଉଛନ୍ତି। ଏଣୁ ସରକାରଙ୍କୁ ଅନୁରୋଧ ଶ୍ରମିକ ଓ କୃଷକଙ୍କୁ ସହାୟତା ଯୋଗାଇବା ଭଳି କଳାକାରମାନଙ୍କୁ ସହାୟତାର ହାତ ବଢ଼ାନ୍ତୁ। ଆମେ ଏଥିପାଇଁ ସଂସ୍କୃତି ସଚିବଙ୍କ ସହ କଥା ହୋଇ କଳାକାରମାନଙ୍କର ଏକ ବାୟୋଡାଟା ପ୍ରସ୍ତୁତ କରୁଛୁ। ଏହା ଦ୍ବାରା ସେମାନେ କିଛି ସାହାଯ୍ୟ ପାଇପାରିଲେ ଭଲ ହୁଅନ୍ତା। ତେବେ ବର୍ତ୍ତମାନ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରାୟ ୫୦ଟି ନାଟ୍ୟ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସେ କହିଛନ୍ତି।
ଧୀ‌ରେନ୍ଦ୍ର ମଲ୍ଲିକ, ନାଟ୍ୟ ବ୍ୟକ୍ତିତ୍ବ

‘ବୈଶାଖୀ ମହୋତ୍ସବ’ ଓ ‘ବର୍ଷା ମହୋତ୍ସବ’ ବାତିଲ
ଯେଉଁଠି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହୋଇଯାଉଛି, ରେଳବ‌ାଇ ଆରମ୍ଭ ହେଲାଠାରୁ କେବେ ବନ୍ଦ ହୋଇନଥିବା ରେଳ ଯଦି ବନ୍ଦ ହୋଇଯାଉଛି ସେଠି ଆମ କାର୍ଯ୍ୟକ୍ରମ ବନ୍ଦ ହେବା କିଛି ବଡ଼ କଥା ନୁହେଁ। ୪୨ ବର୍ଷ ଧରି ଓଡ଼ିଆ ନବବର୍ଷ ଅବସରରେ ଆମେ ୭ ଦିନ ଧରି ‘ବୈଶାଖୀ ମହୋତ୍ସବ’ କରି ଆସୁଥିଲୁ। ଚଳିତ ବର୍ଷ ମଧ୍ୟ ଏପ୍ରିଲ ୧୫ରୁ ୨୧ ଯାଏ ରବୀନ୍ଦ୍ର ମଣ୍ଡପ ବୁକ୍‌ କରାଯାଇଥିଲା। କିନ୍ତୁ କରୋନା ଯୋଗୁଁ ବାତିଲ କରିବାକୁ ପଡ଼ିଲା। ବିଭିନ୍ନ ବର୍ଗ ଲୋକ ବିଶେଷ କରି ଛୋଟ ଛୋଟ କଳାକାରମାନେ ଏହା ଦ୍ବାରା ନିରୁତ୍ସାହିତ ହୋଇଛନ୍ତି। କରୋନାର ପ୍ରଭାବ ଯେ କେତେ ଦିନ ରହିବ ଜଣାନାହିଁ। ଏଣୁ ଆମେ ଆସନ୍ତା ଅଗଷ୍ଟ ୨୭, ୨୮ ଓ ୨୯ ତାରିଖରେ ହେବାକୁ ଥିବା ‘ବର୍ଷା ମହୋତ୍ସବ’କୁ ବି ବାତିଲ କରି ଦେବାର ନିଷ୍ପତ୍ତି ନେଇଛୁ।
ସୁରେନ୍ଦ୍ର ଦାସ, ସାଧାରଣ ସଂପାଦକ, ‌ଚିନ୍ତା ଓ ଚେତନା

ସମ୍ବନ୍ଧିତ ଖବର